ଇତିହାସ ରଚିଲା ଜାପାନ, ଚନ୍ଦ୍ରରେ ଜାପାନୀ ମହାକାଶଯାନ SLIMର ସଫଳ ଅବତରଣ techguruodia


ନୂଆଦିଲ୍ଲୀ ୧୯।୧: ଜାପାନ  ଶୁକ୍ରବାର ଚନ୍ଦ୍ରରେ ସଫଳ ଅବତରଣ କରିଛି। ଏହା ସହ ଆମେରିକା, ପୂର୍ବତନ ସୋଭିଏତ ସଂଘ, ଚୀନ୍‌ ଓ ଭାରତ ପରେ ଜାପାନ ଚନ୍ଦ୍ର ଅବତରଣରେ ବିଶ୍ୱର ପଞ୍ଚମ ଦେଶ ପାଲଟିଛି। ତେବେ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ ଅନୁଭୂତି ହାସଲରେ ଭାରତ ପରେ ଜାପାନ ବିଶ୍ୱର ଦ୍ୱିତୀୟ ଦେଶ ପାଲଟିଛି। ଜାପାନ ମହାକାଶ ଯାନ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେଟିଂ ମୁନ (ସ୍ଲିମ୍)ର ଲ୍ୟାଣ୍ଡିଂ ସଫଳ ହୋଇଛି କି ନା ସେ ନେଇ ଜାପାନ ଏବେ ଘୋଷଣା କରିବା ବାକି ଅଛି।

ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ ଏଜେନ୍ସୀ (ଜେଏଏକ୍ସଏ) ସ୍ଲିମ୍ ଲ୍ୟାଣ୍ଡରକୁ ଲକ୍ଷ୍ୟର ୧୦୦ ମିଟର ମଧ୍ୟରେ ଅବତରଣ କରାଇବାର ଯୋଜନା ରଖିଥିଲା। ଜାପାନର ଏହି ଚନ୍ଦ୍ର ଅଭିଯାନ ୭ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିଲା। ଏକ ଏଚ-୨ ରକେଟ୍ ତନେଗାସୀମା ମହାକାଶ କେନ୍ଦ୍ରରୁ ମୁନ୍‌ ସ୍ନାଇପର ନାମକ ଚନ୍ଦ୍ରଯାନକୁ ନେଇ ମହାକାଶ ଯାତ୍ରା କରିଥିଲା। ମୁନ ସ୍ନାଇପର ଗତ ୨୫ ଡିସେମ୍ବର ୨୦୨୩ରେ ସଫଳତାର ସହ ଚନ୍ଦ୍ରର କକ୍ଷ ପଥକୁ ପହଞ୍ଚିବା ପରେ ଅବତରଣ ନିମନ୍ତେ ଚନ୍ଦ୍ରର ପ୍ରଦିକ୍ଷଣ କରିଥିଲା।

ତେବେ ୧୯ ଜାନୁୟାରୀ ଶୁକ୍ରବାର ଭାରତୀୟ ସମୟ ରାତି ୮ଟା ୫୦ ମିନିଟ୍‌ରେ ପିନ୍‌ ପଏଣ୍ଟ ଲ୍ୟାଣ୍ଡିଂ ଟେକ୍ନୋଲଜି ବ୍ୟବହାର କରି ଚନ୍ଦ୍ର ଭୂ-ମଧ୍ୟ ରେଖାର ଠିକ୍ ଦକ୍ଷିଣରେ ଏକ କ୍ରେଟରର ଢାଲୁରେ ଅବତରଣ କରିଛି। ଅର୍ଥାତ ଲ୍ୟାଣ୍ଡିଂ ଚିହ୍ନିତ ୧୦୦ ମିଟର ଭିତରେ ହୋଇଛି। ତେବେ ପିନପଏଣ୍ଟ ଲ୍ୟାଣ୍ଡିଂ ଟେକ୍ନୋଲଜିରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଜାପାନ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ତେବେ ଏପରି ଲ୍ୟାଣ୍ଡିଂ ଅଭିଜ୍ଞତା ଯୋଗୁ ଆଗାମୀ ଅନ୍ତର୍ଜାତୀୟ ମିସନ ‘ଆର୍ଟେମିସ’ କୁ ସହାୟତା ମିଳିବ ବୋଲି ଜାକ୍ସାଙ୍କ ‘ସ୍ଲିମ୍’ ପ୍ରୋଜେକ୍ଟ ମ୍ୟାନେଜର ଶିନିଚିରୋ ସକାଇ ଆଶାବ୍ୟକ୍ତ କରିଛନ୍ତି।  

The post ଇତିହାସ ରଚିଲା ଜାପାନ, ଚନ୍ଦ୍ରରେ ଜାପାନୀ ମହାକାଶଯାନ SLIMର ସଫଳ ଅବତରଣ appeared first on Prameya News7.



Leave a Comment