ଗୋଟିଏ ଦେଶ, ଗୋଟିଏ ନିର୍ବାଚନରେ ବଢ଼ିବ ଖର୍ଚ୍ଚ; ପ୍ରତି ୧୫ବର୍ଷରେ ୧୦ ହଜାର କୋଟି ବ୍ୟୟ techguruodia


ନୂଆଦିଲ୍ଲୀ,୨୦।୧: ଏକ ଦେଶ ଏକ ନିର୍ବାଚନରେ ଖର୍ଚ୍ଚ ବଢ଼ିବ । ମହଙ୍ଗା ପଡ଼ିବ ଗୋଟିଏ ନିର୍ବାଚନ । ଦେଶରେ ଏକ  ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ  କରାଇବାକୁ ହେଲେ ଖର୍ଚ୍ଚ ବଢ଼ିବ । ପ୍ରତି ୧୫ ବର୍ଷ ଅର୍ଥାତ ୩ଟି ନିର୍ବାଚନ ପରେ ଇଭିଏମ୍‌ ବଦଳାଇବାକୁ ପଡିବ ।  କାରଣ ଇଭିଏମ୍‌ର ଜୀବନକାଳ ହେଉଛି ୧୫ବର୍ଷ ।  ଏଥିସହ ପ୍ରତି ଇଭିଏମ୍‌ ପାଇଁ ଗୋଟିଏ କଣ୍ଟ୍ରୋଲ  ୟୁନିଟ୍‌, ଗୋଟିଏ ବାଲଟ ୟୁନିଟ୍‌ ଓ ଗୋଟିଏ  ଭିଭିପାଟ ଦରକାର । ତେଣୁ ପ୍ରତି ୧୫ ବର୍ଷରେ ଥରେ ପ୍ରାୟ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ନିର୍ବାଚନ କମିଶନ ଦର୍ଶାଇଛନ୍ତି ।

କମିଶନ କହିଛନ୍ତି, ଗୋଟିଏ ପୋଲିଂ ବୁଥରେ ଦୁଇସେଟ୍‌ ଇଭିଏମ୍‌ ରହିବ । ଗୋଟିଏ  ବିଧାନସଭା ଓ ଅନ୍ୟଟି ଲୋକସଭା ନିର୍ବାଚନ ପାଇଁ ।  ତା’ଛଡା କିଛି ଇଭିଏମ୍‌କୁ ମଧ୍ୟ ଜରୁରିକାଳୀନ ପାଇଁ ସଂରକ୍ଷିତ ରଖାଯିବ । ମତଦାନ ସମୟରେ  ଯେଉଁଠାରେ ଇଭିଏମ୍‌ ଅଚଳ ହେବ କିମ୍ବା ତ୍ରୁଟି  ଦେଖାଦେବ ସେଠାକୁ ଏହି ଇଭିଏମ୍‌ ପଠାଯିବ ।  ତେଣୁ ଏକ ସମୟରେ ନିର୍ବାଚନ କରିବାକୁ ହେଲେ ୪୬, ୭୫,୧୦୦ ବାଲଟ ୟୁନିଟ୍‌, ୩୩, ୬୩, ୩୦୦ କଣ୍ଟ୍ରୋଲ ୟୁନିଟ୍‌ ଏବଂ ୩୬, ୬୨, ୬୦୦ ଭିଭିପାଟ୍ ମେସିନର ଆବଶ୍ୟକତା ରହିଛି । ପ୍ରତି ବାଲଟ୍  ୟୁନିଟ୍‌ ପାଇଁ ୭,୯୦୦ ଟଙ୍କା, କଣ୍ଟ୍ରୋଲ ୟୁନିଟ୍‌ ପାଇଁ ୯,୮୦୦ ଟଙ୍କା ଏବଂ ଭିଭିପାଟ୍ ପାଇଁ ୧୬,୦୦୦ ଟଙ୍କା ଦରକାର । ଚଳିତବର୍ଷ ଲୋକସଭା ନିର୍ବାଚନ  ପାଇଁ ୧୧.୮ ଲକ୍ଷ ପୋଲିଂ ବୁଥ ପ୍ରତିଷ୍ଠା କରାଯିବ ।  ଏକ ଦେଶ-ଏକ ନିର୍ବାଚନ ଲାଗୁ ହେଲେ ଅଧିକ ପୋଲିଂ ବୁଥ, ଅଧିକ ସୁରକ୍ଷା କର୍ମଚାରୀ, ପୋଲିଂ କର୍ମଚାରୀ, ଗାଡି ଓ ଇଭିଏମ୍‌ ରଖିବାକୁ ଗୋଦାମର ଆବଶ୍ୟକ ପଡିବ । ଏସବୁ ବ୍ୟବସ୍ଥା ଯଦି କରାଯିବ ତେବେ ୨୦୨୯ ବେଳକୁ ଏକସମୟରେ ନିର୍ବାଚନ  ସମ୍ଭବ ହୋଇପାରିବ ବୋଲି ନିର୍ବାଚନ କମିଶନ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ।

The post ଗୋଟିଏ ଦେଶ, ଗୋଟିଏ ନିର୍ବାଚନରେ ବଢ଼ିବ ଖର୍ଚ୍ଚ; ପ୍ରତି ୧୫ବର୍ଷରେ ୧୦ ହଜାର କୋଟି ବ୍ୟୟ appeared first on Prameya News7.



Leave a Comment