ଡ୍ରୋନ୍, ସିସିଟିଭି ଓ କମାଣ୍ଡୋଙ୍କ ନଜରରେ ଅଯୋଧ୍ୟା; ସୁରକ୍ଷା ଦାୟିତ୍ବରେ ୧୭ ଆଇପିଏସ୍ techguruodia


ଅଯୋଧ୍ୟା: ସୋମବାର ଅଯୋଧ୍ୟା ରାମମନ୍ଦିରର ଉଦଘାଟନ । ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ନିମନ୍ତ୍ରିତ ଅତିଥି ମଧ୍ୟ ଅଯୋଧ୍ୟାରେ ପହଞ୍ଚି ସାରିଲେଣି । ପ୍ରଥମ ଯଜମାନ ଡାକ୍ତର ଅନିଲ୍ ମିଶ୍ରା ଏବଂ ତାଙ୍କ ପତ୍ନୀ ଉଷା ମିଶ୍ରା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ରାମଲାଲାଙ୍କ ଆଖିରୁ ପଟି ଖୋଲିବେ । ଏନେଇ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୂରା ସହର ସୁରକ୍ଷାକର୍ମୀରେ ଛାଉଣୀ ହୋଇଛନ୍ତି । ସହର ସିସିଟିଭି ନଜରରେ ରହିଛି । ୩ ଦିନ ପର୍ଯ୍ୟନ୍ତ ଆଯୋଧ୍ୟା ଭିତରକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । କେବଳ ନିମନ୍ତ୍ରିତ ଅତିଥିଙ୍କୁ ପ୍ରବେଶ ଅନୁମତି ରହିଛି । ପ୍ରଧାନମନ୍ତ୍ରୀଙ୍କ ସହିତ ଦେଶର ୭ ହଜାର ବିଶିଷ୍ଠ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି ।  

ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ରାମନଗର ସହିତ ପୂରା ଅଯୋଧ୍ୟା ସହର ସୁରକ୍ଷାରେ ରହିଛନ୍ତି ବ୍ଲାକ୍ କ୍ୟାଟ୍ କମାଣ୍ଡୋ । ୨୪ ଘଣ୍ଟା ପାଟ୍ରୋଲିଂ ଜାରି ରହିଛି । ଡ୍ରୋନ କ୍ୟାମେରା ମାଧ୍ୟମରେ ପ୍ରତି ଗଳିକନ୍ଦି ଉପରେ ତୀକ୍ଷଣ ନଜର ରଖାଯାଉଛି  । ସରାୟୁ ନଦୀରେ ଏନଡିଆରଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି । କହିବାକୁ ଗଲେ ପୂରା ଅଯୋଧ୍ୟା ଏବେ ଅଭେଦ୍ୟ ଗଡ଼ ପାଲଟିଛି ।

ଅଯୋଧ୍ୟା ସହର ଘେରି ରହିଛନ୍ତି ପୋଲିସ ଓ କମାଣ୍ଡୋ । ବାହାର ଲୋକଙ୍କୁ ସହର ମଧ୍ୟକୁ ପ୍ରବେଶ ବାରଣ ହୋଇଛି । ସ୍ଥାନୀୟ ଲୋକ ନିଜ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ । ସୁରକ୍ଷା ବ୍ୟବସ୍ଥାରେ ୧୭ ଆଇପିଏସ୍ ଅଧିକାରୀ, ୧୦୦ ପିପିଏସ୍, ୩୨୫ ଇନ୍‌ସପେକ୍ଟର, ୮୦୦ ଏସଆଇ ଏବଂ ୧୦୦୦ରୁ ଅଧିକ କନ୍‌ଷ୍ଟେବଳ ନିୟୋଜିତ ହୋଇଛନ୍ତି ।

ସେପଟେ ସୁରକ୍ଷା ଦୃଷ୍ଟିରୁ ଅଯୋଧ୍ୟା ରେଡ୍ ଓ ୟେଲୋ ଜୋନ୍ ବଣ୍ଟା ଯାଇଛି । ରେଡ୍ ଜୋନରେ ପିଏସିର ୩ ବାଟାଲିୟନ ମୁତୟନ ହୋଇଛନ୍ତି । ୟେଲୋ ଜୋନରେ ୭ ବାଟାଲିୟନ ସୁରକ୍ଷା ଦାୟିତ୍ବରେ ରହିଛନ୍ତି । କେବଳ ପୋଲିସ୍ ନୁହେଁ ଘରୋଇ ସଂସ୍ଥାର ସିକ୍ୟୁରିଟି ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

The post ଡ୍ରୋନ୍, ସିସିଟିଭି ଓ କମାଣ୍ଡୋଙ୍କ ନଜରରେ ଅଯୋଧ୍ୟା; ସୁରକ୍ଷା ଦାୟିତ୍ବରେ ୧୭ ଆଇପିଏସ୍ appeared first on Prameya News7.



Leave a Comment