ଯୌତୁକ ପାଇଁ ନବବଧୂକୁ ହତ୍ୟା ! ଥାନାରେ ଶାଶୁଘରଲୋକଙ୍କ ବିରୋଧରେ ମାମଲା techguruodia


ନବରଙ୍ଗପୁର: ଯୌତୁକ ଜୁଇରେ ଆଉଜଣେ ନବବଧୂ। ଚାଲିଗଲା ୬ ମାସ ତଳେ ବିବାହ କରିଥିବା ନବବଧୂର ଜୀବନ । ଅଭିଯୋଗ ହୋଇଛି ଯୌତୁକ ପାଇଁ ତଣ୍ଟିଚିପି ହତ୍ୟା କରିଛନ୍ତି ଶଶୁର ଘରଲୋକ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପାପଡାହାଣ୍ଡି ଥାନା ଅଞ୍ଚଳରେ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ରାମ ସେଠି ଓ ସୁଷମା ସେଠୀଙ୍କ ଝିଅ ଗୀତା ସେଠି ଗତ ବର୍ଷ ଜୁଲାଇରେ ପାପଡାହାଣ୍ଡି ଗ୍ରାମର ବନମାଳୀ ସେଠିଙ୍କ ପୁଅ ସୁଦାମ ସେଠିଙ୍କୁ ବାହା ହୋଇଥିଲେ । କିନ୍ତୁ ବିବାହର ୬ ମାସ ମଧ୍ୟରେ ଶଶୁର ଘରଲୋକେ ଯୌତୁକ ପାଇଁ ଗୀତା ସେଠିଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ।

ଆଉ ଏହି ନିର୍ଯ୍ୟାତନାରେ ଅତିଷ୍ଠ ଗୀତା ନିଜ ବାପଘରକୁ ଫେରିଆସିଥିଲେ। ହେଲେ ଧୀରେ ଧୀରେ ସବୁଠିକ୍‌ ହୋଇଯିବ ବୋଲି କହିବା ଶାଶୁ ଘରକୁ ପଠାଇଦେଇଥିଲେ ତାଙ୍କ ପରିବାର । ତଥାପି କୌଣସି ପରିର୍ବତ୍ତନ ହୋଇନଥିଲା। ଗୀତାଙ୍କ ଶାଶୁ ଘରଲୋକେ ସେହିଭଳି ଅତ୍ୟାଚାର ଜାରି ରଖିଥିଲେ।

ଆହୁରି ପଢ଼ନ୍ତୁ: ଆତଙ୍କ ସୃଷ୍ଟି କଲା ପାଗଳ କୁକୁର, ଆକ୍ରମଣରେ ୧୦ରୁ ଅଧିକ ଆହତ

ଆଉ ଏହାରି ମଧ୍ୟରେ ଗୁରୁବାର ଗୀତାଙ୍କୁ ଶାଶୁ ଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ସେମାନେ କହିଛନ୍ତି, ଗୀତା ସକାଳେ ତାଙ୍କ ସାନ ଭଉଣୀଙ୍କୁ ଫୋନ୍‌ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ତାଙ୍କୁ ତାଙ୍କ ସ୍ବାମୀ ମାଡ଼ ମାରୁଛନ୍ତି। ଆଉ ଏହାର ଚାରି ଘଣ୍ଟା ପରେ ତାଙ୍କ ସ୍ବାମୀ ଫୋନ୍‌ କରି ଗୀତା ଆତ୍ମହତ୍ୟା କରିଥିବା କଥା କହିଥିଲେ। ଏମିତିକି ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତି ମୃତଦେହ ଦେଖିବାକୁ ଦିଆଯାଇନଥିଲା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ପରିବାରଲୋକେ। ତେ​‌ବେ ବର୍ତ୍ତମାନ ଗୀତାଙ୍କ ବାପଘର ତରଫରୁ ଗୀତାଙ୍କ ସ୍ବାମୀ, ଶାଶୁ, ନଣନ୍ଦ, ଭଣଜାଙ୍କ ନାଁରେ ଯୌତୁକ ନିର୍ଯ୍ୟାତନା ସହ ହତ୍ୟା ଅଭିଯୋଗ ରୁଜୁ କରାଯାଇଛି।

ସେପଟେ ଅଭିଯୋଗ ପରେ ଗୀତାଙ୍କ ଶଶୁର ଘର ଲୋକ ଫେରାର ଅଛନ୍ତି । ହେଲେ ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଗୀତାର ଶବକୁ ଶବ ବ୍ୟବଛେଦ କରାଇଦିଆଯିବନାହିଁ ବୋଲି ପରିବାର ଲୋକେ ଦାବି କରିଥିଲେ। ତେବେ, ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପାପଡାହାଣ୍ଡି ଏସ୍‌ଡିପିଓ ପ୍ରତିଶ୍ରୁତି ଦେବାପରେ ଶବକୁ ଛାଡିଥିଲେ ଗୀତାଙ୍କ ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ, ୨୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

The post ଯୌତୁକ ପାଇଁ ନବବଧୂକୁ ହତ୍ୟା ! ଥାନାରେ ଶାଶୁଘରଲୋକଙ୍କ ବିରୋଧରେ ମାମଲା appeared first on Prameya News7.



Leave a Comment