୪ର୍ଥ ଦିନରେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ରେଡ୍‌: ମିଳିଛି ନଗଦ ୫ କୋଟି, ୪ କିଲୋ ସୁନା techguruodia


ରାଉରକେଲା ୨୧।୦୧ : ଚତୁର୍ଥ ଦିନରେ ଆୟକର ବିଭାଗର ରେଡ୍‌ । ଓଡିଶାର ଏକାକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ସହ ନଗଦ ପାଞ୍ଚ କୋଟି ଟଙ୍କା ଏବଂ ୪ କିଲୋ ସୁନା ଅଳଙ୍କାର ଜବତ ହୋଇଛି । ସେପଟେ ଏହି ଚଢାଉରେ ସୁରକ୍ଷାକୁ ନଜରରେ ରଖି ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି ।

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ସାମ୍ରାଜ୍ୟରେ ଚଢ଼ଉର ୨ ଦିନ ପରେ ଆୟକର ବିଭାଗକୁ ଜ୍ୟାକ୍‌ପଟ୍‌ ଲାଗିଛି । ତୃତୀୟ ଦିନରେ ଆୟକର ବିଭାଗ ଘନଶ୍ୟାମ, ତାଙ୍କ ଭାଇ ଯୋଗେଶ ଓ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କଠୁ ପ୍ରାୟ ୫ କୋଟି ଟଙ୍କା ଠାବ କରିଛି । ୩ଟି ବ୍ୟାଗରୁ ୨ କେଜିର ସୁନା ଅଳଙ୍କାର ମିଳିଛି । ଆୟକର ଅଧିକାରୀମାନେ ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ରାଉରକେଲାର ଏକ ଅଜ୍ଞାତ ସ୍ଥାନରେ ଜେରା କରୁଛନ୍ତି । ଘନଶ୍ୟାମଙ୍କ ବିଲେଇମୁଣ୍ଡାସ୍ଥିତ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କ ବଡ଼ଭାଇ ଯୋଗେଶଙ୍କ ରାଉରକେଲାସ୍ଥିତ ସିଭିଲ୍‌ ଟାଉନ୍‌ସିପ୍‌ ବାସଭବନରୁ ୨ କୋଟି ଟଙ୍କା ମିଳିଛି । ୨ କିଲୋ ଓଜନର ସୁନାଗହଣା ଜବତ ହୋଇଥିବା ଜଣାପଡ଼ିଛି ।

ସେହିପରି ଘନଶ୍ୟାମଙ୍କ ଘନିଷ୍ଠ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କ ଉପରେ ମଧ୍ୟ ଆଇଟି ପଞ୍ଝା ପକାଇଛି । ଉଦିତ୍‌ନଗରସ୍ଥିତ ନନ୍ଦକିଶୋରଙ୍କ ନାଁରେ ଥିବା ନାରାୟଣୀ ଆପାର୍ଟମେଣ୍ଟର ଫ୍ଲାଟ୍‌ ନମ୍ବର ୪୦୧ରେ ଯାଞ୍ଚ ଚାଲିଛି । ଏହି ଆପାର୍ଟମେଣ୍ଟକୁ ୨.୫ କୋଟି ଟଙ୍କାରେ ବ୍ୟବସାୟୀ ନନ୍ଦ କିଶୋର ଅଗ୍ରୱାଲ କିଣିଥିଲେ । ଉକ୍ତ ଆପାର୍ଟମେଣ୍ଟରୁ ଶନିବାର ସନ୍ଧ୍ୟା ସୁଦ୍ଧା ପାଖାପାଖି ଅଢ଼େଇ କୋଟି ଟଙ୍କା ଜବତ ହୋଇଛି । ଏସବୁ ଟଙ୍କା ଓ ସୁନା ଅଳଙ୍କାର ମିଳିଥିବା ଆୟକର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସୁନ୍ଦରଗଡ଼ର ୩ଟି ସ୍ଥାନ, ରାଜଗାଙ୍ଗପୁରରେ ଗୋଟିଏ ଏବଂ ରାଉରକେଲାର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି । ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଅଧିକାରୀଙ୍କ ହାତରେ ପଡ଼ିଛି ।

ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ଯୋଗେଶଙ୍କ ଆପାର୍ଟମେଣ୍ଟରୁ ଆୟକର ଟିମ୍‌ ଉଠାଇ ନେଇଛନ୍ତି । ଅଧିକାରୀମାନେ ଏକ ଅଜ୍ଞାତ ସ୍ଥାନରେ ତାଙ୍କୁ ମାରାଥନ୍‌ ଜେରା କରୁଛନ୍ତି । ଜେରା ବେଳେ କୋଇଲା ବ୍ୟବସାୟୀଙ୍କ କଳାସାମ୍ରାଜ୍ୟ ସମ୍ପର୍କରେ ଅନେକ ଗୁଢ଼ ତଥ୍ୟ ଗୋଟାଇଛି ଆୟକର ବିଭାଗ । ତଥ୍ୟ ମୁତାବକ, ଘନଶ୍ୟାମଙ୍କ କୋଇଲା ବେପାର ଓଡି଼ଶା ସମେତ ୬ରୁ ଅଧିକ ରାଜ୍ୟକୁ ବ୍ୟାପିଛି । ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ କୋଇଲା ବେପାର ଚାଲିଛି । ସେଠାରେ ଘନଶ୍ୟାମଙ୍କ ଅଫିସ ମଧ୍ୟ ଅଛି । ଆଗକୁ ସେଠାରେ ଚଢ଼ଉ କରାଯିବ ବୋଲି ଆଇଟି ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ, ଘନଶ୍ୟାମଙ୍କ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ସ୍ଥିତ ଗୋପାଳପୁରରେ ଥିବା ୨ ମହଲା କୋଠା, କାର୍ଯ୍ୟାଳୟ, ବିଲେଇମୁଣ୍ଡାର କାର୍ଯ୍ୟାଳୟ, ସୋ’ ରୁମ, ବସୁନ୍ଧରା ମେଟାଲିକ ସ୍ପଞ୍ଜ ଆଇରନ କାରଖାନା, ଏମ୍‌ସିଏଲ୍‌ର କୋଇଲା ପରିବହନ ସାଇଟ, ଗୋପାଳପୁର ପାଖରେ ଥିବା ପେଟ୍ରୋଲ ପମ୍ପ୍‌, ତାଙ୍କ ବଡ଼ଭାଇ ଯୋଗେଶଙ୍କ ସିଭିଲଟାଉନସିପ ସ୍ଥିତ ବାସଭବନ, ବରପାଲି ସ୍ଥିତ ସୂରଜ ସ୍ପଞ୍ଜ ଆଇରନ କାରଖାନା ଏବଂ ତାଙ୍କ ଲିଙ୍କ୍‌ରେ ଥିବା ନନ୍ଦ କିଶୋରଙ୍କ ଉଦିତନଗର ସ୍ଥିତ ଆପାର୍ଟମେଣ୍ଟରେ ଚଢ଼ଉ ହେଉଛି । ଚଢ଼ଉ ସ୍ଥାନରେ ସିଆଇଏସ୍‌ଏଫ୍‌ ଯବାନଙ୍କ ସହ ସ୍ଥାନୀୟ ପୁଲିସ୍‌ କର୍ମଚାରୀମାନେ ଜଗି ରହିଛନ୍ତି ।




Leave a Comment