ଅଝଟିଆ ଆଲ୍ଲାଦ୍ଦିନ୍ Aladdin O Kuhuka Dipa Odia Book
ଅନେକ ବର୍ଷ ତଳର କଥା । ଚୀଦ ଦେଶରେ ଗୋଟିଏ ଗରୀବ ଦରଜି ବୁଢ଼ା ବାସ କରୁଥାଏ। ତା’ର ପରିବାର କହିଲେ ବୁଢ଼ା, ବୁଢ଼ାର ସ୍ତ୍ରୀ ଓ ଗୋଟିଏ ମାତ୍ର ଛୋଟ ପୁଅ । ପୁଅଟିର ନାଁ ଆଲ୍ଲାଦ୍ଦିନ୍ । ବୁଢ଼ା ଦରଜି ଗୋଟିଏ ସିଲେଇ ଦୋକାନ କରି ପେଟ ପୋଷେ । ଯେଉ ଦିନ ରୋଜଗାର ହୁଏ ସେ ଦିନ ଘର ଭଲ ଭାବରେ ଚଳିଯାଏ ମାତ୍ର ଯେଉଦିନ ରୋଜଗାର ହୁଏ ନାହିଁ ସେ ଦିନ ତା’ର ପରିବାର ଉପାସରେ ରହନ୍ତି । ଜମି ବାଡ଼ି ବି କିଛି ନାହିଁ । ଜାମା ପଟା ସିଲେଇ ତା’ର ମୁଖ୍ୟ କାମ ।
Download Alladdin O Kuhuka Dipa PDFଆଲ୍ଲାଦ୍ଦିନ ଗୋଟିଏ ମାତ୍ର ପୁଅ ହୋଇଥିବାରୁ ବାପା ମାଆ ତାକୁ ସ୍ନେହ ଆଦରରେ ବଢ଼ାଇ ଥାଆନ୍ତି । ଆଲ୍ଲାଦ୍ଦିନ ଅବା ଗରୀବ ଘରର ଦୁଖ କଥା ବୁଝିବ କ’ଣ ? ସେ ତ ଛୋଟ ଛୁଆଟିଏ ।

ଭୋକ ହେଲେ କାନ୍ଦେ । ଭଲ ସୁନ୍ଦରୀଆ ଜିନିଷଟିଏ ଦେଖିଲେ ହାତ ବଢ଼ାଇ ମାଗେ । ନଦେଲେ ରୁଷିଯାଏ । ଭାରି ଅଝଟ ହୁଏ । କାନ୍ଦି କାନ୍ଦି ତଳେ ଗଡିଯାଏ । ବାପା ମାଆ ଆଲ୍ଲାଦ୍ଦିନର କାନ୍ଦ ଦେଖିଲେ ତାକୁ କୋଳେଇ କାଖେଇ ନେଇ ଗେଲ କରନ୍ତି । ଗାଲରେ ଚୁମାଦେଇ ତାକୁ କୋଧ ଶୋଧ କରନ୍ତି । ବାପା ମାଆ ଧାର ଉଦାର କରି ପାରୁପର୍ଯ୍ୟନ୍ତ ତାର ଅଭାବ ପୂରଣ କରିବାକୁ ଚେଷ୍ଟା କରନ୍ତି । ଦରଜୀ ବୁଢ଼ା ଏମିତି କଷ୍ଟେ ମଷ୍ଟେ ତା’ର ଛୋଟିଆ ସଂସାରକୁ ଚଳାଇ ନେବା ପାଇଁ ଆପଣ ଉଦ୍ୟମ କରୁଥାଏ ।
ଦିନ ଯାଇ ମାସ ଆସେ ମାସ ପରେ ବର୍ଷ ଆସେ । ଅଝଟିଆ ଆଲ୍ଲାଦ୍ଦିନର ବୟସ ମଧ୍ୟ ବଢ଼ୁଥାଏ । ତା’ର ବୟସ ଯେତେ ଯେତେ ବଢ଼ୁଥାଏ ସେ ସେତେ ସେତେ ବଦମାସ ହେଉଥାଏ। ବେଳେବେଳେ ତା’ର ଚଗଲାମି ସୀମା ଟପି ଯାଏ । ସାଙ୍ଗ ପିଲାମାନଙ୍କ ସହିତ ମିଳିମିଶି ଖେଳେ ମାତ୍ର ତାଙ୍କ ସହିତ କଳି କଜିଆ ଓ ମାରପିଟ୍ କରେ । ଭାରି ଅମାନିଆ ହୁଏ । ଯେତେ ବୁଝାଇଲେ ମଧ୍ୟ କୌଣସି କଥା ବୁଝେନି । ଅନ୍ୟ ପିଲାଙ୍କର ମାଆମାନେ ଆଲ୍ଲାଦ୍ଦିନର ମାଆ ପାଖରେ ଫେରାଦ୍ ହୁଅନ୍ତି ।
ଆଲ୍ଲାଦ୍ଦିନର ମାଆ ତା’ ପିଠି ଆଉସି ଦେଇ ବୁଝାଇ କହନ୍ତି ମୋ ଧନରେ କାହା ସହିତ କଳି କଜିଆ କରିବୁ ନାହିଁ । ତାଙ୍କ ସହିତ କଳି କଜିଆ କଲେ ସେମାନେ ତୋତେ ସାଙ୍ଗରେ ଖେଳେଇ ଦେବେ ନାହିଁ । ମୋ ବାପାଟା ପରା ! ସବୁ ବେଳେ ଅମାନିଆଁ ହେଉଛୁ । ତୁ ଯୋଉଦିନ କାହାରି ସହିତ କଳି କରିବୁ ନାହିଁ ସେଇଦିନ ଯାଇ ଭଲ ପିଲା ହେବୁ । ସମସ୍ତେ କହିବେ ଆଲ୍ଲାଦ୍ଦିନ୍ ସୁନା ପିଲାଟା । ସମସ୍ତେ ତତେ ଭଲ ପାଇବେ, ଗେହ୍ଲା କରିବେ, କହିବେ ଆଲ୍ଲାଦ୍ଦିନ ବଡ଼ ହେଲେ ବଡ଼ ମଣିଷ ହବ। ଆଲ୍ଲାଦ୍ଦିନ ମୁହଁରୁ ଏକଥା ଶୁଣିଲା ପରେ ତା’ ମାଆର ଛାତି କୁଣ୍ଢେମୋଟ ହେଇଯାଏ, ସେ ତାକୁ କୋଳକୁ ଟାଣି ନେଇ ଗେହ୍ଲା କରି କହନ୍ତି ମୋ ପୁଅ ଭଲ ମଣିଷ ହବ । ବାପା ମାଆଙ୍କର ନାଁ ରଖିବ ।
ଆଲ୍ଲାଦ୍ଦିନ ହସି ଦେଇ ମାଆ ଛାତିରେ ମୁହଁ ଲୁଚାଇ ଦିଏ । ମାଆ ଖୁସୀ ହୋଇ ତାକୁ ଛାତିରେ ଭିଡ଼ି ଧରନ୍ତି । ମାତ୍ର ରାତି ପାହିଲେ ଯେଉ କଥାକୁ ସେଇ କଥା । ସକାଳ ହେଲେ ସେ ସେମିତି ଦୁଷ୍ଟାମୀ କରେ । ପୂର୍ବ ଦିନର କଥା ତା’ର କିଛି ମନେ ନଥାଏ । ଏମିତି ଆଲ୍ଲାଦ୍ଦିନର ସମୟ କଟିଯାଏ।
ପିତାଙ୍କ ପରଲୋକ
ସବୁଦିନ ସମାନ ଯାଏନି । ସୁଖ ପରେ ଦୁଖ ଆସେ । ଦିନେ ଆଲ୍ଲାଦ୍ଦିନ୍ ର ବାପା ସବୁଦିନ ପାଇଁ ଆଖି ବୁଜି ଦେଲେ । ଗରୀବ ଘର ପରିବାରର ଏକୁଟିଆ ରୋଜଗାରିଆ ମଣିଷ ଥିଲେ । ପରିବାର ଅଭାବ ଅନାଟନ ଦୂର କରିବା ପାଇଁ ସେ ବୁଢ଼ା ବୟସରେ ମଧ୍ୟ ଖଟୁଥିଲେ । ତା’ର ମାଆ ପରିବାରର ବୋଝ କେମିତି ସମ୍ଭାଳିବେ । ସେ ମୁଣ୍ଡ ପିଟିପିଟି ବାହୁନି କାନ୍ଦିଲେ ।
ଏ ଆଲ୍ଲାଦ୍ଦିନ୍ ଟା କିପରି ମଣିଷ ହବ । ଛୋଟ ପିଲାଟିଏ, ତା’ର ବାପା ଯେ ମରିଗଲେ ସେ ଏକଥା ଅବା କେମିତି ଜାଣିବ? ସେ ଖାଲି ଜୁଳୁଜୁଳୁ ହୋଇ ମାଆର ମୁହଁକୁ ଚାହିଁ ରହିଥାଏ । ତା’ ମାଆର କାନ୍ଦ ବୋବାଳି ଶୁଣି ସାଇ ପଡ଼ିଶାର ଲୋକମାନେ ଆସି ଜମାହେଲେ । କେତେକ ସ୍ତ୍ରୀ ଲୋକ ତାଙ୍କ ଲୁଗାକାନିରେ ମାଆ ଆଖିରୁ ଲୁହ ପୋଛି ଦେଇ ତାକୁ ବୁଝାଶୁଝା କଲେ । ଏହା ପରେ ଲୋକମାନେ ଆସି ତା’ର ବାପାକୁ ନେଇ କବର ଦେଇଦେଲେ । ସେଇ ଘରେ ରହିଗଲେ ଚଗଲା ଆଲ୍ଲାଦ୍ଦିନ ଓ ତା’ର ଦୁଖିନୀ ମାଆ ।
ଆଲ୍ଲାଦ୍ଦିନ୍ ର ମାଆଙ୍କ ଉପରେ ଘରର ବୋଝ ପଡ଼ିଲା । ସ୍ବାମୀ ତାଙ୍କର ଯେମିତି ହେଉ ଘର ସଂସାର ଚଳାଇ ନେଉଥିଲେ । ସେତ ଚାଲିଗଲେ। ଏ ବେଳରେ କିଏ ତାଙ୍କର ସାହା ହେବ ? ଆଲ୍ଲାଦ୍ଦିନ୍ ତ ଛୋଟ ପିଲାଟିଏ, ତା’ର ଦୁଷ୍ଟାମୀ ପ୍ରକୃତି ଏବେଯାଏ ଛାଡ଼ୁନି । ସେ କ’ଣ ବା ବୁଝିବ ମାଆର ଅବସ୍ଥା। କଥାରେ ଅଛି – ‘ବାୟାର କି ଯାଏ, ନା ବାଆ କଲେ ବସା ଦୋହଲୁଥାଏ।’ ତା’ର ହୋଲ୍ ଅଛି ନା ଡୋଲ୍ ଅଛି ।
ସେ ସେମିତି ଦୁଷ୍ଟ ହେଉଚି, ଖେଳି ବୁଲି ସମୟ କଟାଇ ଦେଉଛି । ଭୋକ ହେଲେ କାନ୍ଦୁଛି । ମାଆ ତା’ର ସବୁବେଳେ ଆଖିରୁ ଲୁହ ଗଡାଇ କାନ୍ଦୁଛି।
ଆଲ୍ଲାଦ୍ଦିନ ତା’ ବାପାଙ୍କର ଫେରିବା ବାଟକୁ ଚାହିଁ ରହିଲା, ମାତ୍ର ତା’ ବାପା ଆଉ ଫେରିଲେ ନାହିଁ । ଏମିତି କେତେ ଦିନ ଚାହିଁ ଚାହିଁ ସେ ନିରାଶ ହେଲା ଏବଂ ମନେ ମନେ ଭାବିଲା, ମରିଗଲା ଲୋକେ ଆଉ ଘରକୁ ଫେରେ ନାହିଁ । ମରଣ କ’ଣ ସେ କଥା ସେ ତା ଜୀବନରେ ପ୍ରଥମ କରି ଜାଣିଲା ।
ତା’ ବାପା ମରିଯିବା ପରେ ତା’ ମାଆ ଅଣ୍ଟା ଭିଡ଼ିଲା ଘର ଚଳେଇବାକୁ ସେ ମୁଣ୍ଡଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କଲା । ଯେମିତି ହଉ ପଛେ ଆଲ୍ଲାଦ୍ଦିନକୁ ତ ବଞ୍ଚେଇବାକୁ ପଡିବ । ନିଜେ ନ ଖଟିଲେ କିଏ ତାକୁ ଖାଇବାକୁ ଦେବ ? କିଏ ଦେଇ ଦେଇ ଦିନେ କି ଓଳିଏ ଦେବ । ସବୁ ଦିନ ତାଙ୍କୁ କିଏ ଖାଇବାକୁ ଦବ । ନିଜର ବୋଲି କହିଲେ ତାଙ୍କର କେହି ନଥିଲେ । ତେଣୁ କିଏ ବା କାହିଁକି ତାଙ୍କ ପ୍ରତି ଦୟାଭାବ ଦେଖାଇବ । ଦୁନିଆଟା ତ ଏଇଆ । ଯେଝା ସୁଖରେ ଯେଝା ।
ତା’ ମାଆ ତା’ ମୁହଁକୁ ଚାହିଁ କଠିନ ପରିଶ୍ରମ କଲା । ସେ କାମରେ ଏମିତି ମନ ପ୍ରାଣ ଢ଼ାଳି ଦେଲା ଯେ କ୍ରମେ କ୍ରମେ ସେ ସ୍ବାମୀର ମରଣ ଦୁଖ ଭୁଲିଗଲା । ଆଲ୍ଲାଦ୍ଦିନ୍ କୁ ବଞ୍ଚାଇବା ପାଇଁ ତା’ ମାଆ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କଲା । ତାକୁତ ପୁଣି ମଣିଷ ଧରି ମଣିଷଟିଏ କରିବାକୁ ପଡିବ ? ଏମିତି ତା’ର ମାଆ ପ୍ରାଣ ପଣେ ଖଟିବାକୁ ଲାଗିଲା ।
ଫକୀର ଦାଦା
ଥରେ ଆଲ୍ଲାଦ୍ଦିନ୍ ମନ ଖୁସୀରେ ଏଣେ ତେଣେ ଦଉଡୁ ଥାଏ । ହଠାତ୍ କୁଆଡ଼ୁ ଜଣେ ଫକୀର ବାବା ଆସି ତା ଆଗରେ ଛଡା ହୋଇଗଲେ । ଆଲ୍ଲାଦ୍ଦିନ୍ ଓ ପୂର୍ବରୁ ତାଙ୍କୁ କେବେ ଦେଖି ନଥିଲା, ସେ ତାଙ୍କୁ ଦେଖି ଡ଼ରିଗଲା । ଫକୀର ବାବା ତାକୁ ବଡ଼ ବଡ଼ ଆଖିରେ ଚାହିଁ ମୁରୁକି ମୁରୁକି ହସୁ ଥାଆନ୍ତି । ସେ ବହୁତ ଭୟ ପାଇଗଲା । ମୁହଁରେ ତାଙ୍କର ପୁଳାଏ ଧଳା ଦାଢ଼ି, ମୁଣ୍ଡରେ ଗୋଛାଏ ବାଳ ତା’ ଉପରେ ଗୋଟିଏ ଲମ୍ବାଟୋପି, ଦେହରେ ଢ଼ିଲା ପୋଷାକ, ଏପରି ବିଚିତ୍ର ଭୟଙ୍କର ଲୋକ ସେ ପୂର୍ବରୁ କେବେ ଦେଖିନଥିଲା ।
ଫକୀର ଆଲ୍ଲାଦ୍ଦିନ୍ କୁ ଚାହିଁ ହସି ହସି କହିଲେ – ଆରେ ଆଲ୍ଲାଦ୍ଦିନ୍ ! ଏମିତି ବଲ ବଲ କରି ଚାହିଁ ରହିଛି କ’ଣ ? ମୋତେ ଚିହ୍ନି ପାରୁନୁ ?
ଆଲ୍ଲାଦ୍ଦିନ୍ ମୁଣ୍ଡ ହଲାଇ କହିଲା – ନା । ଫକୀରଟି ଆଗେଇ ଆସି ତା’ ପିଠିକୁ ଆଉସି ଦେଇ ହସି ହସି କହିଲା – ଆରେ ତୁ କ’ଣ ସତରେ ମୋତେ ଡରୁଛୁ ? ସେ ଆଲ୍ଲାଦ୍ଦିନ୍ ର ଓଠକୁ ଧରିପକାଇ କହିଲେ ଆରେ ମୋଟେ ଡରନା, ମୋତେ ଚିହ୍ନି ପାରୁନୁ… ମୁଁ ପରା ତୋ’ର ଦାଦା ।

ଆଲ୍ଲାଦ୍ଦିନ୍ ଡରିଲା ଡରିଲା ଆଖିରେ ଥରିଲା ଥରିଲା କଣ୍ଠରେ କହିଲା – ତୁମେ ମୋର ଦାଦା ? ସେ ଏକଥାକୁ ମୋଟେ ବିଶ୍ବାସ କରିପାରିଲା ନାହିଁ । କାରଣ ସେ ଭଲଭାବରେ ଜାଣିଛି – ତାର ସାଙ୍ଗ ମାନଙ୍କର ଦାଦାମାନେ ତାଙ୍କ ସାଙ୍ଗମାନଙ୍କ ଘରକୁ ଆସନ୍ତି, ଭଲମନ୍ଦ କଥା ବୁଝି ଫେରି ଯାଆନ୍ତି । ମାତ୍ର ମୁଁ ଏ ଦାଦାଙ୍କୁ ଆଜି ପ୍ରଥମ କରି ଦେଖୁଛି । ସେତ ପୂର୍ବରୁ କେବେ ଆମ ଘରକୁ ଆସି ନାହାଁନ୍ତି କି ତା’ର ଦାଦା ଅଛି ବୋଲି ତା’ର ମା’ ପୂର୍ବରୁ କେବେ କହି ନାହାଁନ୍ତି ।
ଫକୀର ଜାଣିଗଲେ ଯେ ଆଲ୍ଲାଦ୍ଦିନ୍ ତା’ କଥାକୁ ମୋଟେ ବିଶ୍ବାସ କରୁ ନାହିଁ । ସେ କୋମଳ କଣ୍ଠରେ କହିଲେ – ଆଲ୍ଲାଦ୍ଦିନ୍ ଅନେକ ଦିନ ହେବ ମୁଁ ତୁମ ଘରକୁ ଯାଇ ପାରି ନଥିଲି । ତୋ ସାଙ୍ଗମାନଙ୍କର ଦାଦାମାନେ ଗାଁରେ ରହନ୍ତି, ତେଣୁ ସେମାନେ ବରାବର ଆସନ୍ତି, ମୁଁ ତ ଗାଁରେ ରହେ ନାହିଁ । ଦୂର ସହରରେ ରହେ । ସେଇଠି ବେପାର ବଣିଜ କରି ଚଳେ । ତୋ’ ମାଆ କ’ଣ ତୋତେ ଏ କଥା କେବେ କହିନି ?
ଆଲ୍ଲାଦ୍ଦିନ୍ କହିଲା – ନାତ ମା’ କେବେ ମୋଟେ ମୋତେ ଏକଥା କହିନି ।
ହଉ… ହଉ… ଯଦି ନକହିଥିବତ, ନକହିଥିବ । ଫକୀର ପକେଟରୁ ଗୋଟିଏ ସୁନା ମୋହର ବାହାର କରି ହାତରେ ଧରି ଆଲ୍ଲାଦ୍ଦିନ୍ କୁ ନିଜ ପୁଅ ପରି ଗେଲ କରି କହିଲା – ସହରରେ ଥାଇ ମୁଁ ଶୁଣିବାକୁ ପାଇଲି ତୋ’ ବାପା ମରିଯାଇଛି । ମତେ ଖୁବ୍ ଦୁଖ ଲାଗିଲା । ତୋ ବାପା ଜଣେ ଭଲ ମଣିଷ ଥିଲେ ଓ ମୋତେ ବହୁତ ଭଲ ପାଉଥିଲେ । ତୋ ବାପା ମୋର ବଡ଼ ଭାଇଥିଲେ । ସେ ମରିଗଲା ପରେ ମୁଁ ଭାବିଲି ତୁମେ ଦୁଖ କଷ୍ଟରେ ଚଳୁଥିବ । ଆସିବି ଆସିବି ବୋଲି ଆସିପାରୁ ନଥିଲି । ମୁଁ ସବୁବେଳେ କାମରେ ବ୍ୟସ୍ତ ଥାଏ । କେତେବେଳେ ଫୁରସତ୍ ମିଳେନି… ଫକୀର କହି ଚାଲିଥାଏ ଆଲ୍ଲାଦ୍ଦିନ୍ ଶୁଣୁଥାଏ ଓ ତା’ ହାତରେ ଚକ୍ ଚକ୍ କରୁଥିବା ସୁନା ମୋହରକୁ ଅନେଇଁଥାଏ ।
ଫକୀର ତା ହାତକୁ ସୁନା ମୋହରକୁ ବଢ଼େଇ ଦେଉ ଦେଉ କହିଲା – ମୋ ସୁନା ପୁଅଟା । ଏଇ ମୋହରଟି ନେଇ ତୋ ମାଆକୁ ଦବୁ, ବିଚାରୀ ବହୁତ କଷ୍ଟରେ ଚଳୁଛି । ଆଲ୍ଲାଦ୍ଦିନ୍ ସୁନା ମୋହରଟି ପାଇ ଖୁସୀ ହୋଇ ଯାଇ କହିଲା – ଦାଦା ! ମୋ ସାଙ୍ଗରେ ଆମ ଘରକୁ ଆସୁନ । ମାଆ ତମକୁ ଦେଖିଲେ ବହୁତ ଖୁସି ହେବେ । ଫକୀର କହିଲା – ଆଜି ନୁହେଁ କାଲି ଆସିବି । କାଲି ଠିକ୍ ସଂଧ୍ୟାବେଳେ ଆସିବି ।
ଫକୀର ଚାଲିଯିବାକୁ ବାହାରିଲା ବେଳକୁ ଆଲ୍ଲାଦିନର ମନ ପୁରାପୁରି ବଦଳି ଯାଇଥାଏ । ସେମାନେ ଭାବୁଥାଏ ଇଏ ମୋର ଦାଦା ହୋଇ ମୋତେ ସୁନା ମୋହର ଦେଇ ଥାଆନ୍ତେ କାହିଁକି ? ପୁଣି ଏତେ ଆଦର କରନ୍ତେ କାହିଁକି ? ତା’ ଦାଦାଟି ନିଶ୍ଚୟ ଖୁବ୍ ଭଲଲୋକ । ସେ ଫକୀର ପାଖକୁ ଯାଇ ନମସ୍କାର କଲା । ଫକୀର ଆଲ୍ଲାଦ୍ଦିନ୍ କୁ ଆଶିର୍ବ।ଦ କରିବା ପରେ ଚାଲିଗଲେ ।
ଏହାପରେ ଆଲ୍ଲାଦ୍ଦିନ୍ ଏକା ମୁହାଁ ହୋଇ ଦୌଡ଼ି ଦୌଡ଼ି ଯାଇ ମାଆ ପାଖରେ ପହଞ୍ଚିଗଲା । ଆଲ୍ଲାଦ୍ଦିନ୍ ର ହସ ହସ ମୁହଁ ଦେଖି ତା ମାଆ ପଚାରିଲେ- କିରେ କଥା କ’ଣ ? ଆଜି କ’ଣ ଭାରି ଖୁସି ଜଣାପଡୁଛୁ ?
ଆଲ୍ଲାଦ୍ଦିନ୍ ତା’ ମାଆଙ୍କୁ ଆଶ୍ଚର୍ଯ୍ୟ କରିଦେବ ବୋଲି ମନେ ମନେ ଭାବି କହିଲା – ତୁ ଆଗେ ଆଖି ବୁଜି, ତା’ପରେ ଯାଇ କହିବି । ମାଆ ହଉ କହି – ଆଖି ବୁଜିଲେ । ଆଲ୍ଲାଦ୍ଦିନ୍ କହିଲା – ମାଆ ଏଥର ହାତବଢ଼ା । ମାଆ ହାତ ବଢ଼ାଇବାରୁ ସେ ସୁନା ମୋହରଟି ମାଆ ହାତରେ ରଖିଦେଇ କହିଲା – ଏଥର ଆଖି ଖୋଲି ହାତକୁ ଦେଖ ଓ କୁହୁକ ଦେଖ । ସେ ନିଜ ହାତରେ ସୁନା ମୋହର ଦେଖି ଆଶ୍ଚର୍ଯ୍ୟ ହୋଇଯାଇ କହିଲେ – ଆରେ ଆଲ୍ଲା ! ଏ ଅମୂଲ୍ୟ ସୁନା ମୋହରଟି ହେଉଠୁ ଚୋରାଇ କରି ଆଣି ନାହୁଁତ? ସତ କହ ଏ ମୋହର କେଉଠୁ ଆଣିଲୁ ?
ଆଲ୍ଲାଦ୍ଦିନ୍ ନିଜ ମାଆ ଆଗରେ ସତ ସତ କଥା ସବୁ କହିଗଲା । ମାଆ ଟିକେ ବିରକ୍ତି ଭରା ସ୍ବରରେ କହିଲେ – କିରେ । ତୋ ଦାଦାଙ୍କୁ ସାଥୀରେ ଡାକି ଆଣିଲୁନି ? ଆଲ୍ଲାଦ୍ଦିନ୍ କହିଲା – ମାଆ ମୁଁ ଡାକିଲି, ମାତ୍ର ଦାଦା କହିଲେ କାଲି ରାତିରେ ଆସିବେ । ମାଆ ଲୋ ! ମୋ ଦାଦା ବହୁତ ଭଲ ଲୋକ । ସେ କାଲି ନିଶ୍ଚୟ ଆସିବେ । ଆଲ୍ଲାଦ୍ଦିନ୍ ର ମାଆ ଭାବିଲା – ଚିହ୍ନା ପରିଚୟ ନଥାଉ ପଛକେ ଆଲ୍ଲାର ଦାଦା ନିଶ୍ଚୟ ଭଲ ମଣିଷ ହୋଇଥିବେ । ସ୍ବାମୀ ଆରପାରିକୁ ଗଲାଦିନୁ କେହି ପଚାରୁ ନାହାଁନ୍ତି । ଏ ଅକେଳରେ ଚିହ୍ନା ପରିଚିତ ଲୋକମାନେ ରାସ୍ତାରେ ଦେଖିଲେ ମୁହଁମୋଡ଼ି ଚାଲିଯାଉଛନ୍ତି । ଏପରି ସମୟରେ ଯଦି ଜଣେ ଅପରିଚିତ ଲୋକେ ନିଜକୁ ଆଲ୍ଲାଦ୍ଦିନ୍ ର ଦାଦା ବୋଲି ପରିଚୟ ଦେଇ ସାହାଯ୍ୟ କଲେ ସେ ନିଶ୍ଚୟ ଅଚିହ୍ନା ହେଲେ ମଧ୍ୟ ଚିହ୍ନା ଚିହ୍ନା । ସେ ସେହି ଅଚିହ୍ନା ଦାଦା ଉଦ୍ଦେଶ୍ୟରେ ଭଗବାନ୍ ଙ୍କୁ ଡାକି କହିଲା – ହେ ଆଲ୍ଲା ! ଆମ ଆଲ୍ଲାଦ୍ଦିନ୍ ର ଦାଦାକୁ ଭଲରେ ରଖ ।
ତା’ପରେ ମାଆ ପୁଅ ମିଶି ସୁନା ମୋହର ଭଙ୍ଗାଇ ଘର ପାଇଁ ଦରକାରୀ ଜିନିଷ ପତ୍ର କିଣି ଆଣିଲେ । ଅନେକ ଦିନ ପରେ ସେମାନେ ଭଲ ଭାବେ ଖିଆପିଆ କଲେ । ବିଛଣାକୁ ଶୋଇବାକୁ ଯିବାବେଳେ ମାଆ ପୁଅ ଦୁହେଁ ସେହି ଅଜଣା ଦାଦା ବିଷୟରେ ଅନେକ କଥାବାର୍ତ୍ତ। ହେଲେ। ଆଲ୍ଲାଦ୍ଦିନ୍ ର ମାଆ ଭାବିଲା – ସେ ଦାଦା ଜଣକ ମଣିଷ ନୁହେଁ, ସେ ଈଶ୍ବରଙ୍କ ପ୍ରେରିତ ଜଣେ ଦେବଦୂତ । ଆମର ଏ ଦୁଖ ବେଳେ ଆମକୁ ସାହାଯ୍ୟ କରିବା ପାଇଁ ଭଗବାନ୍ ଫକୀର ବେଶଧାରୀ ହୋଇ ଆସିଥିଲେ । ଆଲ୍ଲାଦ୍ଦିନ୍ ର ମାଆ ସେହି ଅଜଣା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ମନେ ମନେ ଭକ୍ତି ନିବେଦନ କରି, ମାଆ ଓ ପୁଅ ନିଶ୍ଚିନ୍ତରେ ନିଦ୍ରା ଗଲେ।
ଫକୀର ଦାଦାର କରାମତି
ତା’ ପରଦିନ ରାତି ପାହିବା ପୂର୍ବରୁ ମାଆ ପୁଅଙ୍କ ନିଜ ଭାଙ୍ଗିଗଲା । କାରଣ ଫକୀର ଦାଦା ଆଜି ରାତିରେ ଆସିବାପାଇଁ କହି ଯାଇଛନ୍ତି । ଆଲ୍ଲାଦ୍ଦିନ୍ ର ପାଦ ତଳେ ଲାଗୁନଥାଏ । ତା’ ମନ ଖାଲି ଉଡୁଥାଏ ପଡୁଥାଏ । ଶୋଇବା ଶେଯରୁ ଉଠିବା ପରଠାରୁ ଖାଲି ତା’ ଦାଦା କଥା ମନେ ପକାଇ ଖୁସୀ ହେବାରେ ଲାଗିଥାଏ । କେତେବେଳେ ନାଚୁ ଥାଏ ତ କେତେବେଳେ ଗୁଣୁଗୁଣୁ ହୋଇ ଗୀତ ବୋଲୁଥାଏ ।

ତା’ର ମାଆ ସକାଳୁ ସକାଳୁ କାମରେ ଲାଗି ଯାଇ ଥାଆନ୍ତି । ଫର ସଜଡ଼ା ସଜଡ଼ି ଠାରୁ ଆରମ୍ଭ କରି କେତେ କାମ ବାକି ପଡିଛି । ଆଲ୍ଲାଦ୍ଦିନ୍ ଶୁଣିଥିଲା, ଯାହା ଘରକୁ କୁଣିଆ ଆସନ୍ତି ଭଲ ଭାବରେ ରନ୍ଧାବଢ଼ା ଓ ଖିଆ ପିଆ ହୁଏ । ଭଲ ଭାବରେ ଅତିଥି ଚର୍ଚ୍ଚ। ହୁଏ । ସେତ ଜନ୍ମ ହେଲା ଦିନଠାରୁ ତାଙ୍କ ଘରକୁ କୌଣସି କୁଣିଆ ଆସିବା କଥା ଜାଣି ନଥିଲା । ହେଲେ ଆଜି ଫକୀର ଦାଦା ଆସୁଥିବାରୁ ତା’ ମନ ଉଚ୍ଛନ୍ନ ହେଲା । ସେ ମାଆକୁ ଡାକି କହିଲା ମାଆଲୋ ।
ଆଜି ଦାଦା ଆସିବା କଥା ତୋର ମନେ ଅଛି ନା । ମାଆ କହିଲେ ହଁରେ ‘ଆଲ୍ଲା’ ମୋର ମନେ ଅଛି । ତା’ପରେ ସେ ତା ମାଆକୁ କହିଲା – ଆଜି ଦାଦା ପାଇଁ ଭଲ ଭଲ ରୋଷେଇ କରିବୁ ପିଠାପଣା ମଧ୍ୟ ତିଆରି କରିବୁ । ବାପା ମରିଗଲା ପରେ ସାହି ପଡ଼ିଶା ଆମକୁ ଆଡ଼ଆଖିରେ ଚାହିଁଲେ ନାହିଁ କି ବିପଦ ଆପଦ ବେଳେ ଆମକୁ ସାହାଯ୍ୟ କଲେ ନାହିଁ । ଫକୀର ଦାଦା କେତେ ଭଲ ଲୋକ ଆମ ବିପଦବେଳେ ଆମକୁ ଉପରେ ପଡି ସାହଯ୍ୟ କଲେ । ସେ ଆମ ପାଇଁ ଭଗବାନ୍ ଭଳି । ନା କ’ଣ କହୁଛୁ ମାଆ ? ମାଆ କହିଲେ – ହଁରେ ପୁଅ । ଆଲ୍ଲାଦ୍ଦିନ୍ କଥା ରକ୍ଷା କରି ତା’ ମାଆ ରୋଷେଇ ବାସ ଓ ପିଠାପଣା ଆୟୋଜନରେ ଲାଗି ପଡ଼ିଲେ ।
ମାଆ ପୁଅଙ୍କ ମନ ଉଚ୍ଛନ୍ନ ହେଉଥାଏ । କେମିତି ସଂଧ୍ୟା ହେବ ଦାଦା ଆସିବେ । ଦାଦାଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କରିବେ । ମାଆ ତିଆରି କରୁଥିବା ପିଠାପଣାରୁ ସେ ଭଲ ହୋଇଛି କି ନାହିଁ ଖଣ୍ଡେ ଖଣ୍ଡେ ନେଇ ଚାଖି ଦେଉଥାଏ । ରୋଷେଇ ବାସ ଓ ପିଠାପଣା ତିଆରି କରିସାରି ମାଆ ପୁଅ ଦୁହେଁ ଫକୀର ଦାଦାଙ୍କର ଆସିବା ବାଟକୁ ଚାହିଁ ବସିଲେ । ସନ୍ଧ୍ୟା ଗଡିଯିବା ପରେ ସତକୁ ସତ ଫକୀର ଦାଦା ତାଙ୍କ ଘର ମୁହଁରେ ଠିଆ ହୋଇ ଡାକ ପକାଇଲେ – “ଆଲ୍ଲାଦ୍ଦିନ୍ ! ଆଲ୍ଲାଦ୍ଦିନ୍ ! ଘରେ ଅଛୁ କିରେ ?
ଫକୀର ଦାଦାର କଣ୍ଠସ୍ବର ଶୁଣି ଆଲ୍ଲାଦ୍ଦିନ୍ ଖୁସୀ ହୋଇ ମାଆକୁ ଡାକ ପକାଇଲେ । ମାଆ… ମାଆ… ଦାଦା ଆସିଲେଣି । ସେ ତରତର ହୋଇ ଦୌଡିଯାଇ ଦାଦାଙ୍କୁ ନମସ୍କାର କଲା ଓ ଘର ଭିତରକୁ ପାଛୋଟି ନେଇ ଆସିଲା। ତା’ପରେ ଘରେ ଆସନ ପାରି ଦେଇ ତାଙ୍କୁ ବସାଇଲା ଓ ମାଆ ପୁଅ ତାଙ୍କ ଚର୍ଚ୍ଚ।ରେ ଲାଗି ପଡିଲେ । ଫକୀର ଦାଦା ମାଆ ପୁଅଙ୍କର ଚର୍ଚ୍ଚ।ରେ ଖୁବ୍ ଖୁସୀ ହୋଇଗଲେ ।
ସେ ମନକୁ ମନ ଭାବିଲେ ଷୌଧକ ଠିକ୍ କାମ ଦେଇଛି। ଆଉ ଅସୁବିଧା କିଛି ନାହିଁ। ଫକୀର ଦାଦା ଆଲ୍ଲାଦ୍ଦିନ୍ ର ମାଆଙ୍କୁ ଦେଖିବା ପରେ ମନେ ମନେ ଭାବୁଥିଲେ ଯଦି ସେ ସେହି ସୁନା ମୋହରଟାକୁ ମୋତେ ଫେରେଇ ଦେଇ କହେ ତୁମେ କିଏ, ତୁମେ ମୋ ପୁଅ ହାତରେ କ’ଣ ପାଇଁ ସୁନା ମୋହରଟିକୁ ଦେଖି ?” ସେ ପୁଣି ମନେ ମନେ ଭାବିଲେ- ପେଟ ପୋଡ଼ି ଯାଉଥିବା ଲୋକର ବୁଦ୍ଧି ଓ ବିବେକ ସବୁ ପାଉଶ ହୋଇଯାଏ। ଦାନ ପାଇଲେ ସେ କୃତ୍ୟ କୃତ୍ୟ ହୋଇଯାଏ ।
ଦାନୀକୁ ସେ ଭଗବାନ୍ ବୋଲି ମନେ କରେ। ବର୍ତ୍ତମାନ୍ ଠିକ୍ ସେହିପରି ଅବସ୍ଥା ଆଲ୍ଲାଦ୍ଦିନ୍ ଆଉ ତା’ ମାଆ ଏହି ଅଚିହ୍ନା ଫକୀରକୁ ନିମିଷେକ ମଧ୍ୟରେ ଆପଣାର କରି ନେଲେ।
ଫକୀର ଜଣଙ୍କ ତାଙ୍କ ଆତିଥ୍ୟରେ ଅତ୍ୟନ୍ତ ପ୍ରୀତ ହୋଇ ଆଲ୍ଲାଦ୍ଦିନ୍ ର ମାଆଙ୍କ ସହିତ ସୁଖ ଦୁଖ କଥା କଥାବାର୍ତ୍ତ। ହେଲେ । ଆଲ୍ଲାଦ୍ଦିନ୍ ର ମାଆ ତାଙ୍କ ଆଗରେ ସେ ଦୁଷ୍ଟ ହେଉଥିବା କଥା ମଧ୍ୟ କଥା ପ୍ରସଙ୍ଗରେ ଜଣାଇଥିଲେ । ଫକୀର ଏହି କଥା ପ୍ରସଙ୍ଗରେ ଜାଣି ପାରିଥିଲେ ଯେ, ଏସବୁ ସେହି ସୁନା ମୋହରର କାର ସାଜି । ନହେଲେ ସେ କିଏ, ମୁଁ କିଏ ଓ ପିଠା ପଣା କିଏ ?
ଏ ଜଗତରେ ଏମିତି କିଏ ଦାନୀ ଅଛି ଯେ, ବାଟରେ ଚାଲି ଯାଉଥିବା ଅଚିହ୍ନା ଲୋକକୁ ଘର ଭିତରକୁ ଡାକି ଆଣି ଭୋଜନ କରାଇ ସନ୍ତୁଷ୍ଟ କରାଇବ । ତା’ ପାଖରେ ବସି କଥାବାର୍ତ୍ତ। କରୁ କରୁ ହୃଦୟ ଖୋଲି ସବୁ କହିଦେବ ?
ଫକୀର ଦାଦା ପେଟ ପୂରା ଭୋଜନ କରିସାରିବା ବେଳକୁ ଅନେକ ରାତି ହୋଇ ଯାଇଥିଲା । ସେ ଘରକୁ ଯିବାକୁ ଚାହିଁବାରୁ ଆଲ୍ଲାଦ୍ଦିନ୍ ଓ ତା’ ମାଆ କହିଲେ – ଏତେ ରାତିରେ କୁଆଡ଼େ ଯିବ ? ଏ ଘରଟା କ’ଣ ତୁମ ଘର ନୁହେଁ । ଆଜିକ ରହିଯାଅ । ରାତି ପାହି ସକାଳ ହେଲେ ଘରକୁ ଯିବ? ମା’ ଓ ପୁଅ କଥାରେ ରାଜି ହୋଇ ଫକୀର ଦାଦା ସେ ଦିନ ବାଧ୍ୟ ହୋଇ ତାଙ୍କ ଘରେ ରହିଲେ ।
ରାତି ପାହି ସକାଳ ହେଲା । ଆଲ୍ଲାଦ୍ଦିନ୍ ର ମାଆ ବଢ଼ି ଭୋରରୁ ଉଠି ଅତିଥିଙ୍କ ସତ୍କାର ପାଇଁ ଜଳଖିଆ ବ୍ୟବସ୍ତାରେ ଲାଗି ପଡିଲେ । ଜଳଖିଆ ଖାଇ ସାରି ଫକୀର ଯିବା ବେଳେ ଆଲ୍ଲାଦ୍ଦିନ୍ ର ମାଆଙ୍କ ହାତରେ ପୁଣି ଥରେ ଦୁଇଟି ସୁନା ମୋହର ଦେଇ କହିଲେ ତୁମେ ଅଭାବ ଅନାଟନରେ ରହିଲେ ମଧ୍ୟ ମୋଟେ ଚିନ୍ତା କରିବ ନାହିଁ । ମୁଁ ସମୟ ସମୟରେ ଆସି ତୁମର ଭଲ ମନ୍ଦ କଥା ବୁଝି ଯାଉଥିବି । ତୁମେ ଆଲ୍ଲାଦ୍ଦିନ୍ କୁ ଆକଟରେ ରଖିଥିବ, ମୁଁ ଶୁଣିବାକୁ ପାଇଲି ସେ ଭାରି ଦୁଷ୍ଟ ହୋଇଗଲାଣି ।
ଆଲ୍ଲାଦ୍ଦିନ୍ ର ମାଆ ସୁନା ମୋହର ଦୁଇଟି ପାଇ ବହୁତ ଖୁସୀ ହୋଇ ଯାଇଥିଲେ । ତାଙ୍କ ଆଖିରେ ଆନନ୍ଦାଶ୍ରୁ ଭରି ଯାଇଥିଲା । ନିଜ ପଣତ କାନିରେ ନିଜ ଲୁହକୁ ପୋଛୁ ପୋଛୁ ଫକୀରଙ୍କୁ କହିଲେ – ବେଳ ପାଇଲେ ସୁବିଧା ସୁଯୋଗ ଦେଖି ଆସୁଥିବ । ଆମେ ତ ନିରାଶ୍ରୟ ହୋଇ ପଡି ରହିଛୁ । ଭଗବାନ୍ ଆଲ୍ଲା ତୁମର ମଙ୍ଗଳ କରନ୍ତୁ ।
ଆଲ୍ଲାଦ୍ଦିନ୍ ଫକୀର ବାବାଙ୍କ ସାଥୀରେ କିଛି ଦୂର ଯାଇ ତାଙ୍କୁ ବଳେଇ ଦେଇ ଆସିଲା । ଫକୀର ଚାଲିଯିବା ପରେ ଆଲ୍ଲାଦ୍ଦିନ୍ ଓ ତା’ର ମାଆ ଫକୀର ବିଷୟରେ ନାନା ପ୍ରକାର କଥା ଆଲୋଚନା କରନ୍ତି । ମାଆ ଓ ପୁଅ ଦୁହେଁ ଏକମତ ହେଲେ ଯେ – ଫକୀର ବାବା ଭାରି ଦୟାଳୁ ତାଙ୍କ ପରି ଲୋକ ଏ ସଂସାରରେ ଖୋଜିଲେ ମିଳିବେ ନାହିଁ ।
କଥାରେ ଅଛି – “ଟଙ୍କା, ମୁହଁ କରିଦିଏ ବଙ୍କା” ଟଙ୍କା ପାଇଲେ ପରମଣିଷକୁ ଆପଣାର କରିନିଏ । ଏହି ସଂସାରରେ ଟଙ୍କା ପାଇଁ ସବୁ ଅନର୍ଥ । ଅଜଣା ଅଶୁଣା ଫକୀର ଟଙ୍କା ବଦଳରେ ଗୋଟିଏ ଅଚିହ୍ନା ଘରେ ଅଳ୍ପ ଦିନ ମଧ୍ୟରେ ସେ ଘରର ଆପଣାର ମଣିଷ ପାଲଟି ଯାଇଥିଲା ।
ଫକୀର ଦାଦା ଓ ଆଲ୍ଲାଦ୍ଦିନ୍
ଆଉ ଦିନକର ଘଟଣା । ଫକୀର ଦାଦା ରାତି ପାହିବା ପୂର୍ବରୁ ଭୋର ସମୟରେ ଆସି ଆଲ୍ଲାଦ୍ଦିନ୍ ର ଘରେ ପହଞ୍ଚିଗଲା । ସେମାନେ ଫକୀରଙ୍କୁ ଦେଖି ଖୁବ୍ ଖୁସୀ ହୋଇଗଲେ । ଫକୀର ଆଲ୍ଲାଦ୍ଦିନ୍ ର ମାଆକୁ ପାଖକୁ ଡକାଇ ଅନେକ ସୁଖଦୁଖ ହେଲେ । ଫକୀର କହିଲା ମୋ’ ବଡ଼ଭାଇ ଜଣେ ଭଲ ମଣିଷ ଥିଲେ । ସେ ଦରଜୀ କାମରେ ସିଦ୍ଧ ହସ୍ତ ଥିଲେ । ତାଙ୍କ କାମକୁ ଗ୍ରାହକମାନେ ଖୁବ୍ ପସନ୍ଦ କରୁଥିଳେ । ମାତ୍ର ସେ ବେଶିଦିନ ରହି ପାରିଲେ ନାହିଁ । ସେ ବଞ୍ଚତ୍ ରହିଥିଲେ ତୁମେ ସୁଖରେ କାଳ କାଟୁ ଥାଆନ୍ତ ।

ଆଲ୍ଲାଦ୍ଦିନ୍ ର ମାଆ ଫକୀରଙ୍କଠାରୁ ନିଜ ସ୍ବାମୀର ପ୍ରଶଂସା ଶୁଣି ଗର୍ବ ଅନୁଭବ କରୁଥିଲା ଓ ତା’ ଆଖିରୁ ଆନନ୍ଦରେ ଲୁହ ବୋହିବାକୁ ଲାଗିବାରୁ ସେ ତା’ ପଣତ କାନିରେ ନିଜ ଆଖିରୁ ଲୁହ ପୋଛୁଥିଲେ । ଫକୀର ଆଲ୍ଲାଦ୍ଦିନ୍ ର ମାଆକୁ ବୁଝାଇ ଶୁଝାଇ କହିଲା – ଆଲ୍ଲାଦ୍ଦିନ୍ ବହୁତ ଚଗଲା ହୋଇଗଲାଣି । ତାକୁ ଭଲ ବାଟକୁ ଆଣିବାକୁ ଓ ଆକଟ କରିବାକୁ କେହି ନାହାଁନ୍ତି। ତା’ର ବାପ ଥିଲା ସବୁ କଥା ଚଳେଇ ନେଉଥିଲେ । ଏବେତ ତା’ ବାପ ଆଉ ନାହିଁ ଦାୟିତ୍ବ ତମ ଉପରେ ।
ବୁଝିଲ ଭାଉଜ ! ତମେ ଆଉ କେତେ ଦିନ ଏହି ଜଞ୍ଜାଳରେ ଘାଣ୍ଟି ହୋଇ ମରିବ ? ଆଲ୍ଲାଦ୍ଦିନ୍ ଏବେ ବଡ଼ ହୋଇଗଲାଣି । ସେ ପୁଣି ବାହାସାହା ହୋଇ ନିଜର ଘର ସଂସାର କରିବ । ତା’ ସଂସାର ବୋଝ ତାକୁ ବୋହିବାକୁ ପଡିବ । ତେଣୁ ତାକୁ ଆଗରୁ ତାଲିମ୍ କରିବା ଦରକାର । ସେ ତାଲିମ୍ ନପାଇଲେ ସେ ତା’ ଘର ଓ ସଂସାର ଚଳାଇବ କେମିତି ? ଭାଉଜ ! ତା’ ବିଷୟରେ କ’ଣ ଚିନ୍ତା କରୁଛ ?
ଆଲ୍ଲାଦ୍ଦିନ୍ ର ମାଆ ଆଖିରୁ ଲୁହ ପୋଛୁ ପୋଛୁ କହିଲେ – ଆଲ୍ଲାଟା ଦୁଷ୍ଟ ହୋଇଗଲାଣି । ଘରେ ମୁରବୀ ନଥିଲେ ଯାହା ହୁଏ ଆଲ୍ଲାର ଅବସ୍ଥା ସେଇଆ । ତା’ ବାପାତ ତାକୁ ଗେଲ ବସରରେ ବଢ଼ାଇ ଥିଳେ । ତା’ ବାପ ସିନା ମରିଗଲାଣି ହେଲେ ଆଲ୍ଲାର ବଦମାସି କମୁଁ ନାହିଁ । ସେ ପୂର୍ବରୁ ଯେମିତି ଥିଲା ଏବେ ସେମିତି ଅଛି । ମୁଁ ଏବେ କ’ଣ କରିବି ?”
ଫକୀର ବୁଢ଼ା କହିଲେ – ଭାଉଜ ! ଏବେଠାରୁ ତାକୁ ଆକଟ ନ କଲେ ସେ ତା’ ବାପର ନାଁ ବୁଡାଇ ଦେବ । ସେତ ଗାଁରେ ରହୁଛି, ମୁଁ ରହୁଛି ସହରରେ । ସେ ମୋ ପାଖରେ ରହିଲେ ତାକୁ ଭଲ ବାଟକୁ ଆଣି ପାରନ୍ତି । ତୁମେ ମୋ ସହିତ ତାକୁ ଛାଡ଼ିଦେଲେ ତାକୁ ଭଲ ବାଟରେ ଆଣିବାକୁ ଚେଷ୍ଟା କରନ୍ତି” କ’ଣ କହୁଛ ?
ଫକୀର ବୁଢ଼ାଠାରୁ ଏକଥା ଶୁଣି ଆଲ୍ଲାର ମାଆ କହିଲେ – ତାକୁ ମୋ’ ପାଖରୁ ଛାଡ଼ି ଦେଲେ, ମୁଁ ମୋଟେ ଚଳି ପାରିବିନାହିଁ । ମୁଁ ତ ଏକୁଟିଆ ମଣିଷ, ସେ ପାଖରେ ନଥିଲେ ମୋ ଭଲ ମନ୍ଦରେ କିଏ ମୋର ସାହା ହେବ ?
ଫକୀର କହିଲା – ଭାଉଜ ! ମୁଁ ତାକୁ ସବୁଦିନ ପାଇଁ ତୁମ ପାଖରୁ ଅନ୍ତର କରିବାକୁ ଚାହିଁ ନାହିଁ । ତୁମେ ଏକଲା ବୁଢ଼ୀ ମଣିଷ । ତାକୁ ପାଖରୁ ଛାଡ଼ି ଦେଲେ ଚଳିବ କେମିତି ? ସେ କଥା କ’ଣ ମୁଁ ବୁଝି ପାରୁନି ? ମାତ୍ର ଭାଉଜ ! ତମେ ମୋ କହିବା କଥାକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କର । ସେ ଏଇଠି ରହନ୍ତା ଓ ସହରକୁ ଯିବା ଆସିବା କରନ୍ତା । ସେ ସହରରେ କିଛି ଦିନ ରହି କାମଦାମ ଶିଖିଗଲେ ଭଲ ମଣିଷଟିଏ ହୋଇପାରନ୍ତା । ମୁଁ ତାକୁ ପଇସାପତ୍ର ଦେଇ କିଛି ଜିନିଷ ପତ୍ର କିଣି ଦିଅନ୍ତି ଓ ସେ ବେପାର କରି ଆରାମ୍ ରେ ଚଳନ୍ତା ।
ଆଲ୍ଲାଦ୍ଦିନ୍ ର ମାଆ ମନକୁ ଏ କଥା ପାଇଲା । ସେ ଖୁସୀ ହୋଇ କହିଲେ – ତୁମେ ଆଲ୍ଲାର ଦାଦା ହେବ । ଏ ଦୁନିଆଁରେ ତୁମ ବ୍ୟତୀତ ଅନ୍ୟ କେହି ସାହାଯ୍ୟକାରୀ ନାହାଁନ୍ତି । ତମେ ଯଦି କହୁଛ ଆଲ୍ଲା ତୁମ ପାଖରେ ରହି ବେପାର ଶିଖୁ ମୁଁ ଅବା ମନା କରିବି କେମିତି ? ତୁମ ପାଖରେ ରହିଲେ, ସେ ଭଲ ମଣିଷ ହୋଇଯିବ ଏହା ମୋର ବିଶ୍ବାସ ଅଛି । ତୁମେ ତା’ର ମୁରବୀ ସଦୃଶ ହୋଇ ଚଗଲା ବାଟରୁ ଭଲ ବାଟକୁ ଆଣି ପାରିବ। ତା’ର ଦୁଷ୍ଟାମୀ ଭାଙ୍ଗିଯିବ । ତମେ ସେଇଆ କର, ତାକୁ ଭଲ ବାଟକୁ ଆଣ, ଭଗବାନ୍ ତୁମର ମଙ୍ଗଳ କରିବେ ।”
ଆଲ୍ଲାର ମାଆ ରାଜି ହୋଇଯିବାରୁ ଫକୀରର ମନ ଆନନ୍ଦରେ ନାଚି ଉଠିଲା । ସେ ମନେ ମନେ ଭାବିଲେ – “ମନୁ ଖୋଜୁଥିଲା ଯାହା, ବଇଦ ବତାଇଲା ତାହା” । ଆଉ ଏବେ ଚିନ୍ତା କ’ଣ ?
ଆଲ୍ଲାଦ୍ଦିନ୍ ର ମାଆ ଆଲ୍ଲାଦ୍ଦିନ୍ କୁ ଦାଦା ସଙ୍ଗରେ ସହର ଯିବା କଥା କହିବାରୁ ସେ ଖୁସି ହୋଇ ସଙ୍ଗେ ସଙ୍ଗେ ଫକୀର ଦାଦା ସାଙ୍ଗରେ ଯିବାକୁ ପ୍ରସ୍ତୁତ ହୋଇଗଲା । ଆଲ୍ଲାଦ୍ଦିନ୍ ପ୍ରସ୍ତୁତ ହେବା ଦେଖି ଦାଦା ଖୁସୀ ହୋଇଗଲା । ସେ ଆଲ୍ଲାଦ୍ଦିନ୍ କୁ ସାଙ୍ଗରେ ଧରି ବାହାରି ପଡିଲା । ଘରୁ ବାହାରିବା ବେଳେ ଫକୀର ଦାଦା ଆଲ୍ଲାର ମାଆ ହାତରେ ଆଉ ଦୁଇଟି ସୁନା ମୋହର ଦେଇ କହିଲା – ଆଲ୍ଲା ପାଇଁ ବ୍ୟସ୍ତ ହେବ ନାହିଁ । ଆଲ୍ଲା ଭଲରେ ଭଲରେ ଯିବ ଆଉ ଫେରିବ ।
ଆଲ୍ଲାତ ଗାଁରେ ରହୁଥିଲା, ସେ ସହର ଦେଖିବାପାଇଁ ତା’ ମନ ବ୍ୟାକୁଳ ହୋଇ ଉଠିଲା । ଗାଁର ପିଲା, ଗାଁର ନଈ, ପୋଖରୀ, ଗଡ଼ିଆ ସବୁ ଚିହ୍ନା । ସବୁ ପରିଚିତ ସବୁ ଆପଣାର । ପ୍ରଥମ କରି ସେ ନିଜ ମାଆ ଓ ନିଜ ଜନ୍ମ ଭୂମିକୁ ଛାଡ଼ି ସହରକୁ ଯାଉଛି । ମନରେ ତା’ର କେତେ କଳ୍ପନା କେତେ ସ୍ବପ୍ନ । ଆଲ୍ଲାଦ୍ଦିନ୍ ଘରୁ ଗଲାବେଳେ କଇଁ କଇଁ ହୋଇ କାନ୍ଦି ପକାଇଲେ । ଯେତେ ହେଲେ ମାଆର ମନ, ତାର ବାତ୍ସଲ୍ୟ ମମତା କ’ଣ ଭୁଲି ହୁଏ? ମାଆ ଆଖିରେ ସବୁ ପୁଅ ସମାନ । ମାଆ ମନ ସବୁ ପିଲାଙ୍କ ପ୍ରତି ସମାନ ।
ଗାଁ ଓ ମା’ ଠାରୁ ବହୁଦୂରରେ ଆଲ୍ଲଦ୍ଦିନ୍
ଆଲ୍ଲାଦ୍ଦିନ୍ ତା’ର ଅତି ଆପଣାର ମାଆ ଓ ଅତି ପରିଚିତ ଗାଁ ଛାଡ଼ି ଯାଉଥିବାରୁ କାନ୍ଦି ପକାଉଥିଲା । ସେ ଧିରେ ଧିରେ ଚାଲୁଥିବା ଦେଇ ଦାଦା କହିଲେ – ଆରେ ଶିଘ୍ର ଶିଘ୍ର ଆସୁନୁ… ଉଚ୍ଛୁର ହୋଇଯିବ । ଆଲ୍ଲା ଶିଘ୍ରଶିଘ୍ର ପାଦ ବଢ଼ାଇ ଆଗକୁ ଯାଉ ଯାଉ ତା’ର ଅତି ପରିଚିତ ଗାଁ ମୁଣ୍ଡ ପୋଖରୀ ପାଖରେ ପହଞ୍ଚତ୍ବା ମାତ୍ରେ ତା’ ମନ ଆଉଟି ପାଉଟି ହେଲା । ସେହି ପୋଖରୀକୁ ଚାହିଁ ସେ ସେଠାରେ ଅଟକି ଗଲା ।
ଫକୀର ଦାଦା ଆଲ୍ଲାଦ୍ଦିନ୍ ର ହାତ ଧରି ପକାଇ ତା’ ମନ ଭୁଲାଇବାକୁ ଅନେକ ମଜ୍ଜାମଜ୍ଜା କଥା କହିଲେ ।
ଏମିତି ତାକୁ ଭୁଲା ଭୁଲି କରି ନେଇ ଚାଲୁ ଚାଲୁ ସେମାନେ ସହର ସୀମାରେ ପହଞ୍ଚଗଲେ । ଆଲ୍ଲାଦ୍ଦିନ୍ ପଛକୁ ଚାହିଁ ଦେଖିଲା ତା’ର ଗାଁ ବହୁତ ପଛରେ ରହି ଗଲାଣି । ଏଣିକି ଆଉ ଗାଁ ଓ ମାଆର ମୁହଁ ଦେଖାଯିବ ନାହିଁ । ଏମିତି ଭାବୁ ଭାବୁ ସେମାନେ ସହର ମଧ୍ୟରେ ପ୍ରବେଶ କରି ସାରିଥିଲେ । ଆଲ୍ଲା ପୂର୍ବରୁ କେବେତ ସହର ଦେଖି ନଥିଲା, ସେ ସହରର ଚାକଚକ୍ୟ ଦେଖି ଚମକି ପଡିଲା । ସହରର ଦୋକାନ ବଜାର, ଜନଗହଳି, ଘୋଡ଼ାଗାଡ଼ି, ମଟରଗାଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।
ମନେ ମନେ ଭାବୁଥାଏ ଏତେ ଗାଡ଼ି ଘୋଡା ଯାନବାହନ, ଏତେଲୋକ ଏଠାକୁ ଆସିଲେ କେମିତି ? ଗାଁରେ ତ ଏ ସବୁ କିଛି ନାହିଁ ? ବଜାରର ଦୋକାନ ମାନଙ୍କରେ ଭଳିକି ଭଳି ଲୋଭନୀୟ ଜିନିଷ ସେହି ଅପୂର୍ବ ଜିନିଷକୁ ଲକ୍ଷ୍ୟ କରି ଦେଖୁଥାଏ । ରାସ୍ତାରେ ଯାଉଥିବା ଲୋକମାନେ ଆଲ୍ଲାଦ୍ଦିନ୍ ର ଏ ପ୍ରକାର ହାବଭାବ ଦେଖି ମନେ ମନେ ଭାବନ୍ତି ପିଲାଟି ବୋଧେ ନିପଟ ମଫସଲରୁ ଆସିଛି । ନୂଆ କରି ସହର ଦେଖୁଛି । ରାସ୍ତାରେ ଅଧିକ ସମୟ ଠିଆ ହୋଇଗଲେ ଫକୀର ଦାଦା ତା ହାତ ଧରି ପକାଇ କହନ୍ତି – ଆରେ ଆଲ୍ଲା ! ଶିଘ୍ର ଶିଘ୍ର ଆସେ, ବେଳ ବୁଡ଼ି ଯିବ । ଆମକୁ ଆହୁରି ଅନେକ ବଟ ଯିବାକୁ ପଡିବ ପରା !
ଆଲ୍ଲାଦ୍ଦିନ୍ ର ମନର ମୋହ ଭାଙ୍ଗିଯାଏ । ମେନ ମନେ ଭାବେ ଶିଘ୍ର ଶିଘ୍ର ନ ଚାଲିଲେ ଫକୀର ଦାଦା ଘରେ ପହଞ୍ଚତ୍ ହେବ ନାହିଁ । ସେ ପୁଣି ତରବର ହୋଇ ଚାଲିବାକୁ ଲାଗେ । ଏମିତି ଚାଲୁଚାଲୁ ସହର ସିନା ଅତିକ୍ରମ କରି ଆସିଲେ ମାତ୍ର ଫକୀର ଦାଦାର ଘର ପଡିଲା ନାହିଁ । ଆଲ୍ଲା ପଚାରିଲା- ଦାଦା ! ଆମେ ଏତେବାଟ ଆସିଲେଣି, ତମ ଘର ଆଉ କେତେ ବାଟ ?
ଫକୀର ଦାଦା କହିଲେ – ଆଉ ଅଳ୍ପବାଟ, ଏଇ ଆଗରେ ମୋ’ ଘର ପଡିବ… ତୁ ଶିଘ୍ର ଶିଘ୍ର ଚାଲେ… ।
ଆଲ୍ଲା ଦେଖିଳା ସହରର ଜନଗହଳିତ ବହୁତ ପଛରେ ରହିଗଲାଣି । ଏଣିକି ଖାଲି ନିଛାଟିଆ ରାସ୍ତା ଦେଖାଯାଉଛି । ଚାରିଆଡ଼େ ଶୂନ୍ ଶାନ୍ । ମନୁଷ୍ୟର ଚିହ୍ନବର୍ଣ୍ଣ ନାହିଁ । ଆକାଶ ମାଡ଼ି ବସିଲା ଭଳିଆ ଲାଗୁଛି । ସେ ସେଠାକାର ଦୃଶ୍ୟ ଦେଖି ଭୟ କରିଗଲା । ସେ ପଚାରିଲା – ଦାଦା ! ଆଉ କେତେବାଟ ଯିବା ? ଦାଦା କହିଲେ – ଏଇ ଆଗକୁ, ଆଉ ଅଳ୍ପବାଟ । ସେମାନେ ଚାଲିଚାଲି ଗୋଟିଏ ଖୋଲା ସ୍ଥାନରେ ପହଞ୍ଚତ୍ଲେ । ନିର୍ଜ୍ଜନ ସ୍ଥାନ, ସେ ସ୍ଥାନଟା ଶ୍ମଶାନ ଭଳି ଆଲ୍ଲାକୁ ମନେ ହେଲା । ଫକୀର ଦାଦା ଗୋଟିଏ ଗଛ ମୂଳେ ବସିଯାଇ ଥକ୍Ùକା ମାରୁ ମାରୁ କହିଲେ ଆରେ ଆଲ୍ଲା । ତୁ କିଛି ଶୁଖିଲା ଜାଳ କାଠ ଗୋଟାଇ ଆଣିଲୁ । ଆଲ୍ଲା ଦାଦା କଥା ମାନି ପଡ଼ିଆ ସାରା ବୁଲିବୁଲି କାଠ, କାଠି, କୁଟା ଯାହା ପାଇଳା ଗୋଟାଇ ଆଣି ଫକୀର ଦାଦା ପାଖରେ ଜମା କଲେ ।
ଫକୀର ଦାଦା ସେହି ଜମା ହୋଇଥିବା କାଠି କୁଟାରେ ନିଆଁ ଲଗାଇ ଦେବାରୁ ତାହା ହୁ… ହୁ… ହୋଇ ଜଳିଲା । ଫକୀର ଦାଦା କିଛି ପାଉଶ ଆଣି ତାକୁ ମନ୍ତ୍ର ପଢ଼ି ସେହି ପାଉଶକୁ ଯେମିତି ନିଆଁ ଉପରେ ପକାଇ ଦେଇଛନ୍ତି, ନିଆଁ ଲିଭି ଯାଇ ସେ ସ୍ଥାନଟା ପ୍ରବଳ ଧୂଆଁରେ ଆଚ୍ଛାଦିତ ହୋଇଗଲା। ସତେ ଯେମିତି ସେଠାରେ ଗୋଟାଏ ଧୂଆଁର ପାହାଡ଼ ସୃଷ୍ଟି ହୋଇଗଲା । କିଛି ସମୟ ପରେ ସେହି ଧୂଆଁର ପାହାଡ଼ ଉଭେଇ ଯାଇ ସେ ସ୍ଥାନର ମାଟି ଫାଟି ଦୁଇଫାଳ ହୋଇଗଲା ।
ଆଲ୍ଲାଦ୍ଦିନ୍ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟ ହୋଇଯାଇ ଫଟା ମାଟି ଏବଂ ଫକୀର ଦାଦାର ମୁହଁକୁ ବଲବଲ କରି କେବଳ ଅନାଇଁ ରହିଲା ।
ମାଟିତଳେ ଆଲ୍ଳଦ୍ଦିନ୍ ଓ କୁହୁକ ଦୀପ
ଫକୀର ଦାଦା ଆଲ୍ଲାଦ୍ଦିନ୍ କୁ କହିଲା – “ମୋ ସୁନା ପୁଅଟା ପରା ! ମୁଁ ଯାହା କହୁଛି, ମନ ଦେଇ ଶୁଣ । ମୁଁ ଯେମିତି କହିବି ତୁ ସେମିତି କରିବୁ । ଟିକିଏ ମଧ୍ୟ ଏପଟ ସେପଟ କରିବୁ ନାହିଁ । ଏପଟ ସେପଟ ହେଲେ ମହା ବିପଦ ମାଡ଼ି ଆସିବ । ହୁସିଆର୍… ।
ଆଲ୍ଲାଦ୍ଦିନ୍ ଫକୀର ଦାଦାର ମୁହଁକୁ କେବଳ ବଲବଲ କରି ଅନେଇଁ ରହିଥାଏ । ସେ କିଛି ବୁଝିପାରୁ ନଥାଏ ।
ଫକୀର ଦାଦା କହିଲେ – ଆରେ ଆଲ୍ଲା ! ତୁ ଏ ଫାଟ ଭିତରେ ପଶିଯା । ମାଟି ତଳେ ପାହାଚ ଅଛି । ସେଇ ପାହାଚ ଡେଇଁ ଡେଇଁ ଗଲେ ଶେଷରେ ଘର ପଡିବ । ସେହି ଘରେ ସୁନା, ରୂପା, ହୀରା, ନିଳା, ମୋତି, ମାଣିକ୍ୟ ଆଦି ଗଦା ଗଦା ହୋଇ ରକାଯାଇଛି ।

ତୁ ତା’ ପାଖକୁ ଯିବୁ ନାହିଁ କି ତାକୁ ଛୁଇଁବୁ ନାହିଁ, ତା’ ପରେ ଦେଖିବୁ ଗୋଟିଏ ଘର କୋଣରେ ଦୀପଟିଏ ଜଳୁଥିବ । ତୁ ସେହି ଦୀପ ପାଖକୁ ଧୀରେ ଧୀରେ ଯାଇ ଦୀପରୁ ନିଆଁ ଲିଭାଇ ଦେଇ କେବଳ ଦୀପଟିକୁ ନେଇ ଆସିବୁ । ହୁସିଆରିରେ ଏ କାମ ସବୁ କରିବୁ, ଡେରି କରିବୁ ନାହିଁ । ଶିଘ୍ର ଏ କାମ ସାରି ଯେଉ ବାଟ ଦେଇ ଯାଇଥିଲୁ, ସେହିବାଟ ଦେଇ ପଳାଇ ଆସିବୁ । ବୁଜିଲୁତ… ।
ଫକୀର ଦାଦାର କଥା ଶୁଣି ଆଲ୍ଲାଦ୍ଦିନ୍ ଭୟ ପାଇଗଲା । ସେ ଗୋଟି ପଣେ ଛାନିଆ ହୋଇଯାଇ ଡରି ଡରି କହିଲା – ଦାଦା ! ମୋତେ ଭାରି ଭୟ ଲାଗୁଛି । ଏତେ କଥା ମୁଁ କରି ପାରିବି ନାହିଁ।
ଫକୀର ଦାଦା କହିଲେ – ଆରେ ଭୟ କଅଣ । ମୁଁ ତତେ ପରା କହୁଛି, ମୁଁ ଏଇଠି ବସିଛି । ତୁ ସାଙ୍ଗେ ସାଙ୍ଗେ ଯିବୁ ଆଉ ସାଙ୍ଗେ ସାଙ୍ଗେ ଆସିବୁ । ମୋ କହିବା କଥା ଅନୁସାରେ କାମ କଲେ ତୋ’ର କିଛି କ୍ଷତି ହେବ ନାହିଁ । ତୁ ଯାଇ କେବଳ ସେଇ ଦୀପଟିକୁ ନେଇ ଆସିଲେ, ମୁଁ ତୋତେ ବହୁତ ଜିନିଷ ଦେବି । ତୁ ଗଲୁ… ।
ଆଲ୍ଲାଦ୍ଦିନ୍ ତଥାପି ଯିବାକୁ ରାଜି ହେଲା ନାହିଁ । ଫକୀର ଦାଦା ନିଜ ହାତରେ ପିନ୍ଧିଥିବା ମୁଦିଟିଏ କାଢ଼ି ଆଣି ଆଲ୍ଲାଦ୍ଦିନ୍ ହାତରେ ପିନ୍ଧାଇ ଦେଇ କହିଲା ଏ ମୁଦି ପିନ୍ଧିଲେ ତୋର ଡର ଭୟ କିଛି ରହିବ ନାହିଁ । ତୁ ଏଥର ନିର୍ଭୟରେ ମାଟି ତଳକୁ ଯା । ଭୟ କରନା ।
ଆଲ୍ଲାଦ୍ଦିନ୍ ଆଉ କରେ କ’ଣ ? ସେ ବାଧ୍ୟ ହୋଇ ଡରିଡରି ମାଟି ଫାଟ ଦେଇ ତା ଭିତରେ ପଶିଲା । ସତକୁ ସତ ମାଟି ତଳେ ପାହାଚ ଥିଲା । ସେହି ପାହାଚ ଉପରେ ଚଢ଼ି ଚଢ଼ି ଧୀରେ ଧୀରେ ଯାଇ ମାଟି ତଳେ ଥିବା ଘର ପାଖରେ ପହଞ୍ଚତ୍ଲା । ସେଠାରେ ପହଞ୍ଚତ୍ ଆଲ୍ଲା ଦେଖିଲା – ମାଟି ତଳେ ଅନେକ ଗୁଡ଼ିଏ ଘର ଅଛି । ସେହି ଘରମାନଙ୍କରେ ସୁନା, ରୂପା, ହୀରା, ନୀଳା ଆଦି ମୂଲ୍ୟବାନ୍ ଜିନିଷ ଗଚ୍ଛିତ ହୋଇ ରହିଛି । ଏସବୁ ଜିନିଷ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ତା’ ମନ ମଧ୍ୟରେ ଥିବା ଭୟ କ୍ରମେ କ୍ରମେ ଦୂର ହୋଇଗଲା । ସେ ଏଥର ସଂପୂର୍ଣ୍ଣ ଭୟମୁକ୍ତ ହୋଇଗଲା । ସେ ଫକୀର ଦାଦା କହିଥିବା ଜଳନ୍ତା ଦୀପକୁ ଖୋଜିବାକୁ ଲାଗିଲା ।
ଆଲ୍ଲାଦ୍ଦିନ୍ ଦୀପ ଖୋଜୁ ଖୋଜୁ ସେଠାରେ ଆହୁରି ଅନେକ ଜିନିଷ ଦେଖିଲା, ଯାହା ସେ ନିଜ ଜୀବନରେ କେବେ ଦେଖିନଥିଲା । ହେଲେ ସେ ସେହି ଘରମାନଙ୍କରୁ କିଛି ଜିନିଷ ଆଣିଲା ନାହିଁ କି ଛୁଇଁଲା ନାହିଁ । ଶେଷରେ ସେ ଦେଖିବାକୁ ପାଇଲା ଗୋଟିଏ ଘରେ ଦୀପଟିଏ ଜଳୁଛି । ଦୀପକୁ ଦେଖି ସେ ଭାରି ଖୁସୀ ହୋଇଗଲା । ତା’ ପରେ ସେ ଦୀପ ପାଖକୁ ଯାଇ ଦମ୍ଭଧରି ଠିଆ ହେଲା ଓ ଦୀପଟିକୁ ଧପ୍ କିନା ଲିଭାଇ ଦେଲା ।
’ପରେ ସେ ତାକୁ ଯତ୍ନ ସହକାରେ ହାତରେ ଧରି ଯେଉ ବାଟ ଦେଇ ଭିତରେ ପଶିଥିଲା, ସେଇବାଟ ଦେଇ ବାହାରକୁ ବାହାରି ଆସିଲା ବେଳେ ଦେଖିଲା ସେଠାରେ ଗୋଟିଏ ସୁନ୍ଦର ବଗିଚା ଅଛି । ସେହି ବଗିଚାରେ ଅନେକ ଗୁଡିଏ ଗଛ ଥିଲା । ସେହି ଗଛ ମାନଙ୍କୁ ସେ ମୋଟେ ଚିହ୍ନି ପାରିଲା ନାହିଁ, କାରଣ ସେପରି ଗଛ ସେ କେବେହେଲେ ଦେଖି ନଥିଲା । ଗଛମାନଙ୍କରେ ସୁନ୍ଦର ସୁନ୍ଦର ଫୁଲ ଫୁଟିଥିଲା ଓ ଅନେକ ଗଛରେ ନାନା ଜାତିର ଫଳମାନ ପାଟି ଫଳ ଭାରରେ ଗଛର ଡାଳ ଗୁଡିକ ତଳକୁ ନଇଁ ପଡିଥିଲା । ସେ ଲୋଭ ସମ୍ବରଣ କରି ନପାରି ବାଛି ବାଛି ଭଲ ଭଲ ଫଳ ଗୁଡିଏ ତୋଳି ଗୋଟିଏ ହାତରେ ଧରିଲା ଓ ଅନ୍ୟ ହାତରେ ଦୀପଟିକୁ ଧରି ମାଟି ଭିତରୁ ବାହାରି ଆସିଲା।
ଫଟା ଭୂଇଁ ପାଖରେ ସେ ଛିଡା ହୋଇ ଦେଖିଲା – ସେଠାରୁ ଖୋଲା ଆକାଶ ଦେଖା ଯାଉଛି । ସୂର୍ଯ୍ୟକିରଣ ମଧ୍ୟ ତେରଛା ଭାବେ ତା’ ଦେଇ ଉପରେ ପଡୁଛି । ତା’ ଦେହରେ ସୁଲୁସୁଲିଆ ପବନ ବାଜିବାରୁ ସେ ଟିକେ ସୁସ୍ଥ ଅନୁଭବ କଲା ।
ବାହାରେ ଫକୀର ବୁଢ଼ା ନାନା ଆଶା, ଆଶଂକା ନେଇ ଆଲ୍ଲାଦ୍ଦିନ୍ କୁ ଅପେକ୍ଷା କରି ବସି ରହିଥାଏ । ମାଟି ତଳୁ ଆଲ୍ଲାଦ୍ଦିନ୍ ର ପାଦ ଶବ୍ଦ ଶୁଣିପାରି ସେ ଖୁସି ହୋଇ ଡାକ ପକାଇଲା – ବାପ ଆଲ୍ଲାଦ୍ଦିନ୍ । ଭଲରେ ଭଲରେ ଫେରି ଆସିଲୁ ତ ବାପା ?
ଆଲ୍ଲାଦ୍ଦିନ୍ କହିଲା – ହଁ ଆସିଗଲି ଦାଦା ।
ଫକୀର ବୁଢ଼ା ପଚାରିଲା – ଦୀପ ଆଣିଛୁତ ବାପ ?
ଆଲ୍ଲାଦ୍ଦିନ୍ କହିଲା – ହଁ ଆଣିଛି ଦାଦା ।
ଫକୀର ଦାଦା ହାତ ବଢ଼ାଇ କହିଲେ – ସେ ଦୀପଟା ମୋ ହାତକୁ ବଢ଼ାଇ ଦେ । ଏହା କହି ସେ ହାତ ବଢ଼ାଇଲେ, ମାତ୍ର ଆଲ୍ଲାଦ୍ଦିନ୍ ମଜ୍ଜା କରିବ ବୋଲି ଦୁଷ୍ଟାମୀ କରି କହିଲା – ନା ଦେବି ନାହିଁ ।
ଫକୀର ଦାଦା ପଚାରିଲେ – କିରେ ଦବୁନି କାହିଁକି ?
ଆଲ୍ଲାଦ୍ଦିନ୍ ଚଗଲାମି କରି କହିଲା – ସେ ଦୀପକୁ ମୁଁ ଆଣିଛି, ସେଇଟା ମୋର, ମୁଁ ତୁମକୁ ମୋଟେ ଦେବି ନାହିଁ ।
ଫକୀର ବୁଢ଼ା ରାଗି ଯାଇ କହିଲେ – ଆଲ୍ଲାଦ୍ଦିନ୍ ତୁ ମୋ ସାଙ୍ଗରେ ଖେଳୁଛୁ ? ଭଲ ଗତି ଅଛି ତ ଦେଇପକା । ନ ହେଲେ କ’ଣ କରିବି ଏଇନା ଦେଖିବୁ ? ଆଲ୍ଲାଦ୍ଦିନ୍ ର ତ ଦୁଷ୍ଟାମୀ ଯାଇ ନଥିଲା । ସେ ମନେ ମନେ ଭାବିଲା ବୁଢ଼ା କଣ କରିବ ଦେଖିବି, ତେଣୁ ସେ କହିଲା – ଥରେ କହିଲି ପରା ଦେବି ନାହିଁ ବୋଲି । ଏକଥା ଶୁଣି ଫକୀର ବୁଢ଼ା ରାଗରେ ଅଗ୍ନି ଶର୍ମ। ଦୀପ ନେବାର ମଜ୍ଜା ଏଥର ପା’ – ଏହା କହି ମାଟି ଉପରୁ କିଛି ଧୂଳି ଆଣି ମନ୍ତ୍ର ପଢ଼ି ପକାଇ ଦେବାରୁ ମାଟିର ଫାଟ ମୁହଁଟି ବନ୍ଦ ହୋଇଗଲା । ବଢ଼ା ଫକୀର ଆଲ୍ଲାଦ୍ଦିନ୍ କୁ ଅଭିଶାପ ଦେଇ ଗାଳି କରି କରି ଚାଲିଗଲା।
ଆଲ୍ଲାଦ୍ଦିନ୍ ଦେଖିଲା ମାଟି ଉପରକୁ ଯିବା ରାସ୍ତା ବନ୍ଦ ହୋଇ ଯାଇଛି । ସେ ମଜ୍ଜା କରିବାର ଫଳ ପାଇଗଲା । ଦୁଷ୍ଟାମୀର ଫଳ ଭୋଗ କଲା । ସେ ବାହାରକୁ ଯିବ କେମିତି ? ସେ ଆଉ ତା’ ଜୀବନରେ ତା’ ମାଆ ଓ ତା’ ଗାଁ ମୁହଁ ଦେଖି ପାରିବ ନାହିଁ । ତାକୁ କାନ୍ଦ ମାଡ଼ିଲା ।
ଆଲ୍ଲାଦ୍ଦିନ୍ ମାଟିତଳେ ବନ୍ଦୀ ହୋଇ ରହିଲା, ଯେଉ ଦୀପ ପାଇଁ ଏତେ ଘଟଣାମାନ ଘଟିଗଲା ସେଇ ଦୀପଟା ସହିତ ଆଲ୍ଲାଦ୍ଦିନ ମଧ୍ୟ ମାଟି ତଳେ ରହିଗଲା ।
କୁହୁକ ମୁଦି ଓ କୁହୁକ ଦୀପର କରାମତି
ଆଲ୍ଲାଦ୍ଦିନ୍ ଗୋଟିଏ ଗରୀବ ପରିବାରରେ ଜନ୍ମ ଗ୍ରହଣ କରିଥିଲା । ଦିନେ ଖାଇଲେ ଦିନେ ଉପାସ ରହୁଥିଲା । ଭଲ ଖେଳଣାଟିଏ ଦେଖିଲେ ତାକୁ ପାଇବା ପାଇଁ ହାତ ବଢ଼ାଉଥିଲା । ତା’ର ଏହି ଅଭାବ ଅସୁବିଧା ଦୂର କରିବା ପାଇଁ ଧାର କରଜ କରୁଥିଲେ । ତା’ର ବାପା ମରିଯିବା ପରେ ମାଆ ତାକୁ ବହୁତ କଷ୍ଟରେ ଲାଳନପାଳନ କରୁଥିଲା । ସାଙ୍ଗ ସାଥୀମାନଙ୍କ ସହିତ ଖେଳି ବୁଲି ସମୟ କଟାଇ ଦେଉଥିଲା । ବର୍ତ୍ତମାନ ସେ ମାଟିତଳେ ଅଛି । କୁବେର ସମ୍ପତ୍ତି ଭଳି ଧନ ରତ୍ନର ଭଣ୍ଡାର ଘରେ ରହି ସେ ନିଃସହାୟ ମନେ କରୁଛି । ପାଖରେ କେହି ନାହିଁ କି ଏଠି ଲୋକବାକର ଦେଖା ନାହିଁ । ତା’ର ମାଆ ଓ ଗାଁଆ କଥା ମନେ ପକାଇ ତା’ ଆଖିରୁ ଝରଝର ହୋଇ ଲୁହ ବହି ଆସିଲା ।

ସେ ନିରାଶ ହୋଇ ବଡ଼ ପାଟିରେ କାନ୍ଦିବାକୁ ଲାଗିଲା । ସେତ ମାଟିତଳେ ଅଛି । ତା’ର ଚିତ୍କାର ମାଟି ତଳେ ମିଶି ଯାଉଛି । ମା’ ପାଖରେ ଥିଲେ ସିନା ଧାଇଁ ଆସି କୋଳେଇ କାଖେଇ ନେଇ ମୋ ବାପ, ମୋ ଧନ କଡି ଗେଲ କରନ୍ତେ । ତା’ ମାଆ କୋଉଠି ସେ କୋଉଠି ? ସେ ବୁଢ଼ା ଫକୀର ସହିତ ଦୁଷ୍ଟାମୀ କରିଥିବାରୁ ମନେ ମନେ ଅନୁତାପ କଲା । ସେ ମନେ ମନେ ଭାବିଲା – ଫକୀର ବାବା ସହିତ ଦୁଷ୍ଟାମୀ କରିବା ତା’ ପକ୍ଷରେ ଭଲ ହେଲା ନାହିଁ ।
ସେଇ ଦୀପଟା ପାଇଁ ଏତେ ଅନର୍ଥ । ଦୀପଟା ଦାଦାଙ୍କ ହାତକୁ ଦେଇ ଦେଇଥିଲେ ଏ ଅଘଟଣ ଘଟି ନଥାନ୍ତା । ସେ ଖୁବ୍ ଭୟରେ ତା ଦାଦା ପାଖରେ ଥାଆନ୍ତା ।
ମାତ୍ର ଆଲ୍ଲାଦ୍ଦିନ୍ ଜାଣି ନଥିଲା ଯେ, ତାହା ତରେ ଯେଉ ଦୀପଟା ଅଛି ସେ ସାମାନ୍ୟ ଦୀପ ନୁହେଁ । ସେଇଟା ଗୋଟିଏ “କୁହୁକ ଦୀପ” । ସେହି ଦୀପର କରାମତି ଅନେକ । ତାକୁ ଯାହା କହିବ କହିବ ଓ ଯାହା ତାକୁ ମାଗିବ ସେ ଦେବ ।
ପୁଣି ଫକୀର ବୁଢ଼ା ତାକୁ ଯେଉ ମୁଦି ଗୋଟିକ ତା’ ହାତରେ ପିନ୍ଧାଇ ଦେଇଥିଲେ ତାହା ମଧ୍ୟ ଏକ “କୁହୁକ ମୁଦି” । ସେହି ମୁଦି ବଳରେ ଅସାଧ୍ୟ ସାଧନ କରାଯାଏ । ତାକୁ ଘଷି ଦେଲେ ମୁଦିରୁ ଶକ୍ତି ବାହାରି ମୁନିବର ସମସ୍ତ ଇଚ୍ଛା ପୂରଣ କରେ ।
ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ସେ କିନ୍ତୁ କିଛି ଜାଣି ନଥିଲା । ସେ ଅସୀମ ଶକ୍ତିର ଅଧିକାରୀ ହୋଇ ମଧ୍ୟ ନିଜକୁ ଦୁର୍ବଳ ଓ ଅସହାୟ ମନେ କରୁଥିଲା । ଅନ୍ଧ ହାତରେ ଦର୍ପଣଟିଏ ଦେଲେ ସେ ଯେପରି ତା’ର ମୂଲ୍ୟ ବୁଝିପାରେ ନାହିଁ ସେହିପରି ଆଲ୍ଲାଦ୍ଦିନ୍ ହାତରେ ଥିବା ଦୀପ ଓ ମୁଦିର ମୂଲ୍ୟ ବୁଝି ପାରିଲା ନାହିଁ ।
ଏହା ବ୍ୟତୀତ ଆଲ୍ଲାଦ୍ଦିନ୍ ଆହୁରି ମଧ୍ୟ ଜାଣି ନଥିଲା ଯେ, ଯେଉ ଫକୀର ବୁଢ଼ା ତାକୁ ‘ଦାଦା’ ବୋଲି ପରିଚୟ ଦେଲା ଓ ତାକୁ ସ୍ନେହ କଲା, ପ୍ରକୃତରେ ସେ ଆଲ୍ଲାଦ୍ଦିନ୍ ର କେହି ନୁହେଁ । ତା’ର ଦାଦା ବୋଲି କେହି ନଥିଲେ । କେବଳ ଆଲ୍ଲାଦ୍ଦିନ୍ ର ମାଆ ଫକୀର ଠାରୁ ସୁନାମୋହର ଓ ସ୍ନେହ ସହନୁଭୂତି ପାଇ ତାକୁ ଦାଦା ବୋଲି ଧରି ନେଇଥିଲେ ।
ସେହି ଫକୀର ବୁଢ଼ା ଜଣକ ପ୍ରକୃତରେ ଜଣେ ଯାଦୁକର ଥିଲା । ସେ ସେହି ମୂଲ୍ୟବାନ୍ ଦୀପକୁ ହାସଲ କରିବା ପାଇଁ ଆଲ୍ଲାଦ୍ଦିନ୍ ଭଳି ଜଣେ ସାହସୀ ଓ ଚଞ୍ଚଳମନା ପିଲା ଖୋଜୁଥିଲା । ଯେ କୌଣସି ପିଲା ହାତରେ ସେ ଏକାର୍ଯ୍ୟ କରିବା ସମ୍ଭବ ହୋଇ ପାରିନଥାନ୍ତା । ତେଣୁ ସେ ଏହି ସାହସୀ ବାଳକ ଆଲ୍ଲାଦ୍ଦିନ୍ ଦ୍ଵାରା ଏହି କାର୍ଯ୍ୟ ସହଜରେ ହାସଲ କରି ପାରିବ ବୋଲି ତାକୁ ଠାବ କରି ତା’ର ‘ଦାଦା’ର ଅଭିନୟ କରିଥିଲା । ପୁଣି ଆଲ୍ଲାଦ୍ଦିନ୍ ର ବିଧବା ଓ ଦୁଖିନୀ ମାଆ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସେ ଅଯାଚିତ ଭାବେ ସୁନାମୋହର ପ୍ରଦାନ କରୁଥିଲା । ସେ’ ତା କାର୍ଯ୍ୟରେ ସଫଳ ହୋଇଥିଲା ଓ ଆଲ୍ଲାଦ୍ଦିନ୍ କୁ ସାଥୀରେ ନେଇ ଆସିଥିଲା ।
ମାଟି ତଳର କୁହୁକ ଦୀପଟି ସେହି ଯାଦୁକର ହାତରେ ପଡିଥିଲେ ସେ ଯାହା ଚାହିଁଥାଆନ୍ତା । ତାହା କରିପାରି ଥାଆନ୍ତା ଏବଂ ପୃଥିବୀର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ପାଲଟି ଯାଇଥାଆନ୍ତା । ସେ କେରାଣ୍ଡି ଗୁନ୍ଥି ଶେଉଳ ଧରିବାକୁ ମନ ବଳାଇ ଥିଲା । ଦୈବ ଯୋଗକୁ ତାହା ହୋଇ ପାରିଲା ନାହିଁ ତେଣୁ ସେ ରାଗରେ ମାଟି ମୁହଁ ବନ୍ଦ କରି ଦେଇ ଆପଣା ବାଟରେ ଚାଲିଗଲା ।
ମାଟିତଳେ ରହି ଆଲ୍ଲାଦ୍ଦିନ୍ କୁ ବହୁତ ଭୋକ ଓ ଶୋଷ ଲାଗୁଥିଲା । ସେ କାନ୍ଦି କାନ୍ଦି ହାଲିଆ ହୋଇ ପଡିଲା । ସେ ଗୋଟିଏ ସ୍ଥାନରେ ବସି ପଡି ଅନ୍ୟମନସ୍କ ଭାବେ ହାତର ଆଙ୍ଗୁଠି ଫୁଟାଉଥିବା ବେଳେ ସେହି କୁହୁକ ମୁଦି ଦେହରେ ତା’ ହାତ ଘଷି ହୋଇଗଲା ।
ତା’ପରେ ହଠାତ୍ ଆଲ୍ଲାଦ୍ଦିନ୍ ସାମନାରେ ଏକ ଧୂଆଁ କୁଣ୍ଡଳୀ ସୃଷ୍ଟି ହେଲା ଓ ତା’ ଭିତରୁ ଅସୁର ପରି ଏକ ବିଶାଳ ଶରୀର ଧାରୀ ଛାୟାମୂର୍ତ୍ତୀ ବାହାରି ଆସି ହାତ ଯୋଡ଼ି ଠିଆ ହେଲା । ଆଲ୍ଲାଦ୍ଦିନ୍ ଖୁବ୍ ସାହସୀ ଓ ଚତୁର ଥିଲା । ସେ ତା’କୁ ଡରି ନ ଯାଇ ପଚାରିଲା – ତୁ କିଏ ? ତୋ ନାଁ କଣ ?
ସେଇ ଛାୟାମୂର୍ତ୍ତିଟି ସେହିପରି ହାତ ଯୋଡ଼ି ଠିଆ ହୋଇ ବିନୀତ ସ୍ବରରେ କହିଲା – “ମୁଁ ହେଉଛି ମୁଦି ଶକ୍ତି । ଏ ମୁଦିର ମାଲିକ ମୋ ମୁନୀବ । ମୁଁ ତାଙ୍କର ଦାସ । ମୋତେ ଯେଉ ଆଦେଶ ଦେବ ତାହା ମୁଁ ପାଳନ କରିବି । ବର୍ତ୍ତମାନ ମୋତେ ଆଦେ ପ୍ରଦାନ କରନ୍ତୁ ।
ଆଲ୍ଲାଦ୍ଦିନ୍ ଛାୟାମୂର୍ତ୍ତୀ ମୁହଁରୁ ଏ କଥା ଶୁଣି ଖୁସୀ ହୋଇଗଲା । ସେତେବେଳେ ତା’ର ମାଆ କଥା ମନେ ପଡିଲା । ସେ ଏଠାରେ ଏକୁଟିଆ ରହିବାକୁ ଚାହୁଁ ନଥିଲା । ସେ ତାକୁ କହିଲା – ମୋତେ ଶିଘ୍ର ନେଇ ମୋ’ ମାଆ ପାଖରେ ପହଞ୍ଚାଇ ଦେ । ଆଲ୍ଲାଦ୍ଦିନ୍ ମୁହଁରୁ ଏକଥା ସରିଛିକି ନାହିଁ ଛାୟାମୂର୍ତ୍ତିଟି ତାକୁ ଅଦୃଶ୍ୟରେ ସଙ୍ଗେ ସଙ୍ଗେ ଆଣି ତା’ଘର ପାଖରେ ପହଞ୍ଚାଇ ଦେଲା ।
ଆଲ୍ଲାଦ୍ଦିନ୍ ଘରୁ ଗଲାଦିନୁ ତା’ ମାଆର ମନ ଭଲନଥାଏ । ପୁଅଟାକୁ ସିନା ଅଜଣା ଅଶୁଣା ଦାଦା ସହିତ ପଠାଇ ଦେଲା ମାତ୍ର ପରେ ଅନୁତାପ କଲା । ପୁଣି ପୁଅର ଫେରିବା ବିଳମ୍ବ ଦେଖି ଆଖିରୁ ଲୁହ ଗଡାଇ କେତେ କ’ଣ ଭାବି ଯାଉଥାଏ । ଖିଆପିଆ ଛାଡ଼ି ଘର କୋଣରେ ବସି କାନ୍ଦୁଥାଏ।
ଆଲ୍ଲାଦ୍ଦିନ୍ ହସିହସି ମାଆ-ମାଆ ଡାକ ଛାଡ଼ି ଘର ଭିତରକୁ ପଶିଗଲା । ମାଆ ତା’ର ଉଠି ଆସି ଆଲ୍ଲାକୁ କୁଣ୍ଢାଇ ପକାଇ ତା’ ଗାଲରେ ଚୁମା ଦେଇ ଓ ମୁଣ୍ଡରେ ପିଠିରେ ହାତ ବୁଲାଇ ଆଣି ତାକୁ କୋଳକୁ ନେଇ କହିଲେ – ଏତେଦିନ ଯାଏ କୋଉଠି ଥିଲୁରେ ଧନ । ମୋ ନୟନ ପିତୁ।, ମୋ ଦୁଖୀ ଶଙ୍ଖାଳି, ତୋତେ ନଦେଖି ମୁଁ ଅନ୍ଧୁଣୀ ହୋଇ ଯାଇଥିଲିରେ ।
ମୋ ଧନଟା, ମୋ ସୁନାଟା ତୁ ମୋ ପାଖକୁ ଫେରି ଆସିଲୁ ଭଲକଲୁ । ଆଲ୍ଲାଦ୍ଦିନ୍ ଟିକଟ ଠାରୁ ନିଖକ ପର୍ଯ୍ୟନ୍ତ ସବୁକଥା ଗୋଟି ଗୋଟି କରି ତା’ ମାଆ ଆଗରେ କହିଗଲା । ତା’ ମାଆ ପୁଅ ମୁହଁରୁ ଏକଥା ସବୁ ଶୁଣି ଆଶ୍ଚାର୍ଯ୍ୟ ହେଇଯାଉଥାଏ । ତାକୁ ପରୀ ରାଇଜର କାହାଣୀ ଶୁଣିଲା ପରି ମନେ ହେଉଥାଏ ।
ପୁଅ ମୁହଁରୁ ସବୁ କଥା ଶୁଣି ବୁଢ଼ୀ ଫକୀର ବୁଢ଼ାକୁ ବହୁତ ଗାଳି ଦେଲା । କହିଲା – ଏଥର ଆସୁ ତାକୁ ଭଲ କରି ପାନେ ଦେବି, ସେ ମୋତେ କ’ଣ ବୋଲି ଭାବିଲାକି । ମୋତେ ଶିଖେଇ ଶାଖେଇ ମୋହର ଦେଇ ମୋ’ ପୁଅକୁ ନେଇଥିଲା । ମାଟିତଳେ ପୋତି ଦେବାକୁ । ମାଆ ଓ ପୁଅ ଦୁହେଁ ଦୁହିଁଙ୍କୁ ପାଇ ସେ ସେମାନଙ୍କର ଦୁଖ ଭୁଲିଗଲେ ।
ଆଲ୍ଲାଦ୍ଦିନ୍ ମାଟିତଳ ବଗିଚାର ଆଣିଥିବା ପାଚିଲା ଫଳ ସବୁ ତା’ ମାଆକୁ ଦେଲା । ତା’ ମାଆ ଅଚିହ୍ନା ଫଳ ଭାବି ତାକୁ ନଖାଇ ଘର ଭିତରେ ସାଇତି ରଖିଦେଲା ।
ମାଆ ପୁଅ ଦୁଖ ସୁଖ ହଉହଉ ଆଲ୍ଲାଦ୍ଦିନ୍ କୁହୁକ ମୁଦିର କରାମତି କଥା ଭୁଲିଗଲା ।
ବୁଢ଼ୀତ ପୁଅ ଗଲା ଦିନୁ କାମଧନ୍ଦା କରୁ ନଥାଏ । ଇଚ୍ଛା ହେଲେ ଖାଏ ନହେଲେ ପାଣି ମୁନ୍ଦେ ପିଇ ଦେଇ ଶୋଇ ପଡେ । ବୁଢ଼ୀ ହେଲାଣି ବଳ ବୟସ ଗଲାଣି । ଆଗ ଭଳି ସେ ଆଉ ଖଟି ପାରୁନି । ସେ ଦିନ ଘରେ କିଛି ଖାଇବାକୁ ନଥିବାରୁ ମାଆ ପୁଅ ଦୁହେଁ ମୁନ୍ଦେ ମୁନ୍ଦେ ପାଣି ପିଇ ଶୋଇଗଲେ । ସେମାନେ ଏତେ ସୁଖୀ ଥିଲେ ଯେ ଉପବାସ କଷ୍ଟ ଭୁଲିଯାଇ ଥିଲେ । କଥାବାର୍ତ୍ତ।ରେ ମାଆ ପୁଅ ଦୁହିଁଙ୍କର ପେଟ ପୁରି ଯାଇଥିଲା।
କୁହୁକ ଦୀପର କରାମତି
ରାତି ପାହି ସକାଳ ହେଲା । ଆଲ୍ଲାଦ୍ଦିନ୍ ଶେଯରୁ ଉଠୁଉଠୁ କହିଲା – ମାଆ ! ଭାରି ଭୋକ ଲାଗିଲାଣି । କ’ଣ ମୁଠାଏ ଖାଇବାକୁ ଦେଏ । ମାଆ ବୁଢ଼ୀ ମନମାରି ବସିଲା । ଘରେ ତ ଖୁଦ ମୁଠିଏ ନାହିଁ । ମନେ ମନେ ଭାବିଲା ପଡ଼ିଶା ଘରୁ ଧାର ଉଧାର କରି ପୁଅକୁ ଖାଇବାକୁ ଦେବ । ମାଆ ବୁଢ଼ୀ କହିଲା ଟିକେ ଅପେକ୍ଷା କର, ମୁଁ ଏଇଗଲି ଆଉ ଆସିଲି । ଆଲ୍ଲା ଭାବିଲା ତା’ ମାଆ ପଡିଶା ଘରକୁ ଯାଉଛି କଣ ମାଗିଯାଚି ଆଣିବା ପାଇଁ ।
ଠିକ୍ ସେତିକିବେଳେ ଆଲ୍ଲାଦ୍ଦିନ୍ ର ଦୀପ କଥା ମନେ ପଡିଲା । ସେ କହିଲା – ମାଆ । ପର ଘରକୁ ଯିବା ଦରକାର ନାହିଁ । କାଲି ଯେଉ ଦୀପଟା ତୋତେ ଆଣି ଦେଇଥିଲେ ତାକୁ ମାଜି ମୁଜି ସଫା କରିଦେ । ମୁଁ ତାକୁ ନେଇ ବଜାରରେ ବିକିଦେଇ ଖାଇବା ଜିନିଷ କିଣି ଆଣିବି । ସେ ଦୀପଟା ବା ଆମର କ’ଣ ହେବ ?
ଆଲ୍ଲାଦ୍ଦିନ୍ କହିବା ମୁତାବକ ତା’ ମାଆ ସେହି ଦୀପଟିକୁ ଆଣି ମାଜିବାକୁ ଆରମ୍ଭ କଲା । ବୁଢ଼ୀ ଦୀପ ଉପରେ ଥରେ ହାତ ବୁଲାଇ ଆଣିଛି କି ନାହିଁ ତା ଭିତରୁ ଏକ ମସ୍ତବଡ଼ ଛାୟାମୂର୍ତ୍ତି ବାହାରି ଆସି ତା’ ଆଗରେ ଠିଆ ହୋଇ କହିଲା- ମୋତେ କ’ଣ କରିବାକୁ ହେବ, ଆଦେଶ ଦିଅନ୍ତୁ ।
ବୁଢ଼ୀ ସେହି ମୂର୍ତ୍ତିଟିକୁ ଦେଖି ଭୟ ପାଇଗଲା ଓ ପୁଅକୁ ଡାକ ପକାଇଲା । ଆଲ୍ଲାଦ୍ଦିନ୍ ସେହି ମୂର୍ତ୍ତିଟିକୁ ଦେଖିବା ପରେ ତା’ର କୁହୁକ ମୁଦି କଥା ମନେ ପଡିଲା । ଆଲ୍ଲା ପଚାରିଲା – ତୁ କିଏ ? ତୋ ନା’ କଣ ? ଛାୟାମୂର୍ତ୍ତିଟି କହିଲା – “ମୁଁ ଦୀପଶକ୍ତି, ମାଲିକ୍ ! ମୋତେ ଯାହା ଆଦେଶ ପ୍ରଦାନ କରିବେ ତାହା କରିବି ।”
ଆଲ୍ଲାଦ୍ଦିନ୍ କୁ ତ ପ୍ରବଳ ଭୋକ ହେଉଥିଲା, ତେଣୁ ସେ ଖୁସୀ ହୋଇ ତାକୁ କହିଲା – “ତୁ ମୋ ପାଇଁ ଭଲଭଲ ଖାଇବା ଜିନିଷ ନେଇଆ ।” ଦୀପ ଶକ୍ତି ସଙ୍ଗେ ସଙ୍ଗେ ରୂପା ଥାଳିଆରେ ଥାଳିଆଏ ଭଲ ଭଲ ଖାଇବା ଜିନିଷ ଆଣି ତାଙ୍କ ସାମନାରେ ଥୋି ଦେଇ ଅଦୃଶ୍ୟ ହୋଇଗଲା ।
ଆଲ୍ଲାଦ୍ଦିନ୍ ଓ ତା’ର ମାଆ ସେହି ସୁ-ସ୍ବାଦୁ ଜିନିଷ ପେଟ ପୂରାଇ ଖାଇଲେ । ସେହି ଦିନଠାରୁ ସେମାନଙ୍କର ଯାହା ଯେତେବେଳେ ଦରକାର ପଡେ ଦୀପ ଘଷି ଦୀପଶକ୍ତିକୁ ଡକାନ୍ତି । ଆଦେଶ ପାଇବା ମାତ୍ରେ ଦୀପଶକ୍ତି ସବୁ ନିମିଷ ମାତ୍ରକେ ପୂରଣ କରିଦିଏ । ଆଲ୍ଲାଦ୍ଦିନ୍ ତା’ ମାଆକୁ ଆଉ ମୂଲ ଲାଗିବାକୁ ପଠାଇଲା ନାହିଁ । ଦୀପଶକ୍ତି ଯୋଗୁ ଆଲ୍ଲାଦ୍ଦିନ୍ ଆରାମରେ ଚଳିଲା ।
ଏହିଭଳି ଭାବରେ ମାଆ ପୁଅ ଦୁହେଁ ଖୁସୀରେ ଚଳିଗଲେ । ସେମାନଙ୍କର ଦୁଖର ରାତି ପାହି ଯାଇ ସୁଖର ଦିନ ଫେରି ଆସିଲା ।
ରାଜକୁମାରୀ ସହିତ ଭେଟ
କ୍ରମେକ୍ରମେ ଆଲ୍ଲାଦ୍ଦିନ୍ ର ବୟସ ବଢ଼ିଲା ଓ ସେ ବଡ଼ ହେଲା । ଥରେ ସେ ସହରରେ ବୁଲୁବୁଲୁ ସେ ଦେଶର ରାଜକୁମାରୀଙ୍କୁ ଦେଖିଲା । ରାଜକୁମାରୀର ଅପରୂପ ସୌନ୍ଦର୍ଯ୍ୟରେ ସେ ମୋହିତ ହୋଇଗଲା । ତା’ର ମନେ ହେଲା ଯେପରି ସ୍ବର୍ଗର ପରିଟିଏ ବାଟବଣା ହୋଇ ମର୍ତ୍ତୟମଣ୍ଡଳକୁ ଓହ୍ଲାଇ ଆସିଛି । ସେ ମନେ ମନେ ସ୍ଥିର କଲା ଏ ରାଜକୁମାରୀକୁ ଯେମିତି ହେଉ ବାହାହେବ ।
ଆଲ୍ଲାଦ୍ଦିନ୍ ସେ ଦିନ ଘରକୁ ଫେରି ମନମାରି ମୁହଁ ଶୁଖାଇ ବସିଲା । ତା’ ମନରେ ସୁଖ ନଥାଏ । ଖିଆପିଆ ମଧ୍ୟ ଠିକ୍ ଭାବେ କଲା ନାହିଁ । ତା’ ମୁହଁରେ ଆଗର ସେହି ହସ କି ସରାଗ ନଥାଏ । ଇଚ୍ଛା ହେଲେ ଖାଏ ନ ହେଲେ ମୁହଁ ମାଡ଼ି ଶୋଇ ପଡେ ।
ମାଆ ବୁଢ଼ୀ ଆଲ୍ଲାର ଏପ୍ରକାର ଗତି ବିଧି ଦେଖି ମନେ ମନେ ପ୍ରମାଦ ଗଣିଲେ । ସେ ତା’ର ଶୋଇବା ପଲଙ୍କ ନିକଟରେ ଦିନେ ଠିଆହୋଇ ପଚାରିଲେ – ଆଲ୍ଲା! ତୋର କ’ଣ ହୋଇଛି ? ଖିଆପିଆ କରୁନୁ, ମୁହଁ ମାଡ଼ି ଶୋଉଛୁ, ତୋ ମୁଁହରେ ପୂର୍ବର ସେ ହସ ନାହିଁ । ଧନରେ ! ମୋତେ ସତ କଥା କ’ଣ କହ ?
ଆଲ୍ଲା ସବୁ ଶୁଣୁଥାଏ ମାତ୍ର କିଛି କହୁ ନଥାଏ । ବୁଢ଼ୀ ଆଲ୍ଲାର ମୁଣ୍ଡ ପାଖରେ ବସି ତା’ ପିଠି ଆଉସି ଦେଲେ, ତାକୁ ରାଣ ନିୟମ ପକାଇ ମନ ଦୁଖ କରିବାର କାରଣ ପଚାରିଲା ।
ଆଲ୍ଲାଦ୍ଦିନ୍ କହିଲା – ମାଆ ! ସେ ଦିନ ସହରକୁ ଯାଇ ଯେଉ ରାଜା ଝିଅକୁ ଦେଖି ଆସିଲି, ସେ ଖୁବ୍ ସୁନ୍ଦରୀ, ଗୋଟିଏ ଚାଉଳରେ ଗଢ଼ା, ମୁଁ ତାକୁ ବାହାହେବି ।
ରାଜା ଝିଅକୁ ବାହା ହେବା କଥା ଶୁଣି ବୁଢ଼ୀ ମୁଣ୍ଡରେ ହାତ ଦେଇ ବସି ପଡିଲା। ପୁଅକୁ ବୁଝାଇବାକୁ ଯାଇ ବୁଢ଼ୀ କହିଲା – ରଜା ଝିଅ ରଜା ପୁଅକୁ ବାହା ହୁଏ। ରଜା ଝିଅକୁ ବାହା ହବା ସହଜ କଥା ନୁହେଁ ରାଜା ଝିଅ ପାଇଁ ରାଜନଅର ଦରକାର। ରାଜା ଝିଅ ପାଇଁ ରାଜ୍ୟ, ଧନ, ରତ୍ନ ଓ ଉଚ୍ଚ ବଂଶର ହୋଇଥିବା ଦରକାର। ବାପାରେ! ତୁତ ଗୋଟିଏ ଦରଜୀର ପୁଅ । ତୋ’ ବାପ ଦରଜି କାମ କରି ସୁଖରେ ଦୁଖରେ ସଂସାର ଚଳାଇଲା। ଦରଭଙ୍ଗା ଘର ଖଣ୍ଡିକରେ ଆମେ ମୁଣ୍ଡ ଗୁଞ୍ଜୁଛେ। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଚାଳର କଣାବାଟେ ଦେଖା ଯାଉଛନ୍ତି । ରଜା ଝିଅ ଆସି ରହିବ କୋଉଠି?
ଆଲ୍ଲାଦ୍ଦିନ୍ ର ସେହି ଏକା ଜିଦ୍ ସେ ସେହି ରଜା ଝିଅକୁ ବାହା ହବ । ସେ କହିଲା – ମାଆ ! ତୁ ଯାଇ ରାଜାଙ୍କୁ ଦେଖା କରି ମୋର ବିବାହ କଥା ତାଙ୍କ ଆଗରେ ପ୍ରସ୍ତାବ ଦିଏ । ସେ କ’ଣ କହୁଛନ୍ତି, ଆସି ମୋତେ କହିବୁ ।
ଆଲ୍ଲାର ମାଆ କ’ଣ କରିବେ କହୁଛନ୍ତି କରି ପାରିଲେନି । ଗୋଟିଏ ଦରଜୀର ବିଧବା ସ୍ତ୍ରୀ ପୁଣି ରଜାଘରକୁ ରଜା ଝିଅର ବିବାହ ପ୍ରସ୍ତାବ ନେଇଯିବ? ଏଣେ ପୁଅର କଥା କାଟି ପାରୁ ନାହିଁ, ତେଣେ ରଜା ଘରକୁ ଯିବାକୁ ଡର ଲାଗୁଛି ।
ବୁଢ଼ୀ ଦିନେ ମନରେ ଦମ୍ଭଧରି ରାଜା ଘରକୁ ଗଲା । ରାଜା ଘରର ହାଲ୍ ଚାଲ୍ ଦେଖି ସେ ଡରିଗଲା । ରାଜାଙ୍କ କର୍ମଚାରୀମାନେ ଦାମୀ ଦାମୀ ପୋଷାକ ପିନ୍ଧି ଚଳପ୍ରଚଳ ହେଉଥାଆନ୍ତି । ଦାସୀ ଓ ପୋଇଲିମାନେ ନାନା ରଙ୍ଗର ଭଳିକି ଭଳି ଶାଢ଼ୀ ପିନ୍ଧି ବୁଲୁଥାଆନ୍ତି । ରାଜ ବାଟୀର ମୁଖ୍ୟ ଦ୍ଵାରରେ ମୋଟାମୋଟା ମୋଡ଼ା ନିଶ ରଖିଥିବା ଶକ୍ତିଶାଳୀ ପ୍ରହରୀମାନେ ଅହରହ ପହରା ଦେଉଥାଆନ୍ତି । ହାତରେ ସେମାନଙ୍କର ଥାଏ ଖଣ୍ଡା ଓ ବନ୍ଧୁକ । ବୁଢ଼ୀ ଏସବୁ ଦେଖି ଛାନିଆରେ ପଳାଇ ଆସିଲା । ଏଣେ ପୁଅ ମାଆର ଫେରିବା ବାଟକୁ ଚାହିଁ ବସିଥାଏ । ସେ ସଙ୍ଗେ ପଚାରିଲା – ରାଜାଙ୍କୁ ପଚାରିଲୁ ? ରାଜା କ’ଣ କହିଲେ, ବୁଢ଼ୀ ମିଛରେ ବାହାନା କରି କରି କହିଲା – ରାଜା ଉଆସରେ ନଥିଲେ । ଆଉ ଥରେ ସୁବିଧା ଦେଖି ଯିବି ।
ବୁଢ଼ୀ ଏମିତି ଦୁଇ ଚାରିଥର ଯାଇ ଫେରି ଆସିଲା । ଥରେ ସେ ଜାଣିବାକୁ ପାଇଲା ଯେ ଯେଉମାନେ ଭେଟିନେଇ ଯାଉଛନ୍ତି ରାଜା ସେମାନଙ୍କୁ ସାକ୍ଷାତ ଦେଉଛନ୍ତି । ବୁଢ଼ୀ ଚିନ୍ତା କଲା କ’ଣ ଭେଟି ନେଇ ଯିବ ? ଆଲ୍ଲାଦ୍ଦିନ୍ ଆଣିଥିବା କୋଳି କଥା ତା’ର ମନେ ପଡିଲା । ବୁଢ଼ୀ ସେହି କୋଳିତକ ନେଇ ରାଜାକୁ ଭେଟି ଦେଲା । ରାଜା ବୁଢ଼ୀଠାରୁ ବହୁମୂଲ୍ୟ କୋଳି ପାଇ ଆଶ୍ଚାର୍ଯ୍ୟ ହୋଇଗଲେ । ପ୍ରକୃତରେ ସେ ସବୁ କୋଳି ନଥିଲା। ତାହା ଥିଲା – ହୀରା, ନୀଳା, ମୋତି, ମାଣିକ୍ୟ । ଏପରି ବହୁମୂଲ୍ୟ ଉପହାର ପାଇ ରାଜା ମନେ ମନେ ଭାବିଲେ – ଏହାର ପ୍ରତିବଦଳରେ ବୁଢ଼ୀକୁ କିଛି ଦେବାକୁ ପଡିବ । ତେଣୁ ସେ ବୁଢ଼ୀକୁ ପଚାରିଲେ ତୁ କ’ଣ ଚାହୁଁଛ କହ । ବଢ଼ୁ କହିଲା – ମାଗିବାକୁ ଭୟ ଲାଗୁଛି । ଅଭୟ ଦେଲେ କହିବି । ରାଜା କହିଲେ – ହଉ ଅଭୟ ଦେଲି । ଏଥର କୁହ ?
ବୁଢ଼ୀ କହିଲା – ମୋ ପୁଅ ଆଲ୍ଲାଦ୍ଦିନ୍ ସହିତ ତମ ଝିର ବିଭାଘର ପ୍ରସ୍ତାବ ନେଇ ଆସିଛି । ସେ ମୋର ଗୋଟିଏ ବୋଲି ପୁଅ । ମୁଁ ତାକୁ ଭାରି ସ୍ନେହ କରେ । ସେତିକି ମାଗିବା ପାଇଁ ଆସିଛି ।
ରାଜା ବୁଢ଼ୀକୁ କି ଉତ୍ତର ଦେବେ ସ୍ଥିର କରି ପାରିଲେନି । ସେ ମନେ ମନେ ଗୋଟାଏ ଉପାୟ ପାଞ୍ଚତ୍ଲେ । ସେ ବୁଢ଼ୀକୁ କିଛି ମାଗିବା ପାଇଁ ଚିନ୍ତା କଲେ । ବୁଢ଼ୀ ତାହା ଦେଖି ପାରିବ ନା ତାଙ୍କ ଝିଅକୁ ବାହା ହୋଇ ପାରିବ ? ରାଜା କହିଲେ ମାଉସୀ ! ତୁ ଏବେ ଯେଉ ଫଳ ମୋତେ ଭେଟିଦେଲୁ ସେହି ଭଳି ଚାଳିଶଟି ଥାଳିରେ ସେହି ଫଳ ଭର୍ତ୍ତିକରି ମୋତେ ଭେଟି ଦେଲେ ମୋ ଝିଅକୁ ତମ ପୁଅ ବାହାହବ । ତୁ ଯା’ ଏକଥା ତୋ ପୁଅକୁ କହି ଦବୁ ।
ବୁଢ଼ୀ ରାଜ ଉଆସରୁ ଫେରିଆସି ପୁଅ ଆଗରେ ସବୁକଥା ଗୋଟି ଗୋଟି କରି କହିଲା ।
ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, Top 10 Earning Tips in Odia, Earning Money from Google
ଆଲ୍ଲାଦ୍ଦିନର ରାଜଜେମାଙ୍କ ସହିତ ବିବାହ
ଆଲ୍ଲାଦ୍ଦିନ୍ ତା’ର ମା’ର ଫେରିବା ବାଟକୁ ଚାତକ ପକ୍ଷୀ ପରି ଅନାଇଁ ରହିଥାଏ । ତା’ର ମା’ ଫେରୁ ଫେରୁ ସବୁଥର ଭଳି ପଚାରିଲା – ମା’ ରାଜା କ’ଣ କହିଲେ ?
ଆଲ୍ଲାର ମାଆ ଥରଥର ଗଳାରେ କହିଲେ – ବୁଝିଲୁ ଆଲ୍ଲାଦ୍ଦିନ୍ । ତୁ ଯେଉ କୋଳି ରାଜାଙ୍କ ଘରକୁ ମୋ ହାତରେ ପଠାଇ ଥିଲୁ, ସେହି ଭଳି କୋଳି ଚାଳିଶ୍ ଟି ଥାଳିରେ ଭର୍ତ୍ତିକରି ମୋତେ ଦେଲେ ମୁଁ ରାଜାଙ୍କୁ ଭେଟି ଦେଇ ଦେଲା ପରେ ରାଜ କୁମାରୀ ସହିତ ତୋର ବିଭାଘର ହେବ । ମାଆ ମୁହଁରୁ ଏକଥା ଶୁଣି ଆଲ୍ଲାଦ୍ଦିନ୍ ଖୁସୀରେ ନାଚି ଉଠି କହିଲା – ମାଆ ! ତୁ ସେ କଥା ପାଇଁ ମୋଟେ ବ୍ୟସ୍ତ ହୁଅନି । ଏଇ ସାମାନ୍ୟ କଥା ପାଇଁ ତୁ ମୋଟେ ଚିନ୍ତା କରନି । ମୁଁ ସବୁ କରିଦେବି ।

ଏହା ପରେ ଆଲ୍ଲାଦ୍ଦିନ୍ ଦୀପକୁ ଘଷି ଦେଇ ଦୀପ ଶକ୍ତିକୁ ସ୍ମରଣ କଲା । ଦୀପ ଶକ୍ତି ସଙ୍ଗେ ସଙ୍ଗେ ହାଜର ହୋଇ କହିଲା – ମୋତେ କ’ଣ କରିବାକୁ ହେବ, ଆଦେଶ ଦିଅନ୍ତୁ ମାଲିକ୍ । ଆଲ୍ଲାଦ୍ଦିନ୍ ଆଦେଶ ଦେଇ କହିଲା – କାଲି ସକାଳୁ ସକାଳୁ ଚାଳିଶିଟି ସୁନା ଥାଳିରେ ହୀରା, ନୀଳା, ମୋତି, ମାଣିକ୍ୟ, ବୈଦୁର୍ଯ୍ୟ ଆଣି ପହଞ୍ଚାଇ ଦେବୁ ।
ଚାଳିଶ ଜଣ ଚାକର ଆସି ସେହି ଥାଳିକୁ ନେଇ ରାଜାଙ୍କ ନଅରକୁ ଯିବାର ବ୍ୟବସ୍ଥା କରିବୁ । ଦୀପ ଶକ୍ତି ଆଲ୍ଲାଦ୍ଦିନ୍ ର ଆଦେଶ ପାଇବା ମାତ୍ରେ ଉଭାନ୍ ହୋଇଗଲା ତା’ ପରଦିନ ସକାଳେ ଚାଳିଶି ଜଣ ପରିଚାରକ ଚାଳିଶିଟି ସୁନା ଥାଳିରେ ହୀରା, ନୀଳା, ମୋତି, ମାଣିକ୍ୟ, ବୈଦୁର୍ଯ୍ୟ ଆଦି ଭର୍ତ୍ତିକରି ରାଜାଙ୍କ ନଅରକୁ ଗମନ କଲେ । ସେମାନଙ୍କ ସହିତ ଆଲ୍ଲାଦ୍ଦିନ୍ ର ମାଆ ଆଗେ ଆଗେ ଗଲା । ସେହି ଥାଳି ଯାକ ରାଜାଙ୍କୁ ଭେଟି ଦେଇ ରାଜଦରବାରରେ ଚୁପ୍ ଚାପ ହୋଇ ଠିଆ ହେଲେ ।
ରାଜା ଦେଖିଲେ – ମୁଁ କହିଥିଲି ଚାଳିଶଗୋଟି ରୂପା ଥାଳୀରେ ହୀରା, ନୀଳା ଓ ମୋତି, ମାଣିକ୍ୟ ଆଦି ଭର୍ତ୍ତି କରି ଆଣିବାପାଇଁ ମାତ୍ର ବୁଢ଼ୀଟି ଚାଳିଶଗୋଟି ସୁନା ଥାଳିରେ ସୁନା, ରୂପା, ମାଣିକ୍ୟ ଆଦି ଭର୍ତ୍ତି କରି ଅଣି ମୋ ରାଜ ଦରବାରକୁ ପୂର୍ଣ୍ଣ କରି ଦେଇଛି, ଯାହା ମୋ ପାଖରେ ନଥିଲା। ରାଜା ଆଶ୍ଚର୍ଯ୍ୟ ହୋଇଯାଇ ବୁଢ଼ୀକୁ କହିଲେ – ସମୁଦୁଣୀ ! ତୋ ପୁଅକୁ କାଲି ମୋ ନଅରକୁ ପଠାଇ ଦେ । ଆମେ ତା’ର ରୂପ ଗୁଣ ଦେଖିବା ପରେ ବିବାହ କାର୍ଯ୍ୟ ସ୍ତିର କରିବୁ ।
ଆଲ୍ଲାଦ୍ଦିନ୍ ର ମାଆ ଘରକୁ ପେରି ଆସି ପୁଅକୁ କହିଲା – ପୁଅରେ ! ରାଜା ତୋତେ ଦେଖିବାକୁ ଚାହୁଁଛନ୍ତି । ତୁ ତାଙ୍କ ଝିଅ ପାଇଁ ଉପଯୁକ୍ତ କି ନୁହେଁ ସେଇକଥା ଦେଖିବାକୁ ଚାହୁଁଛନ୍ତି । ଆଲ୍ଲା କହିଲା – ମା’ ତୁମେ ବ୍ୟସ୍ତ ହୁଅ ନାହିଁ, ମୁଁ ସବୁ ଠିକ୍ କରିଦେବି । ତୁମେ ନିଶ୍ଚିନ୍ତରେ ରୁହ ।
ଆଲ୍ଲାଦ୍ଦିନ୍ ଦୀପକୁ ସ୍ମରଣ କରି କହିଲା – ମୁଁ ରାଜାଙ୍କ ନଅରକୁ ଯିବା ପାଇଁ ମୋ ପାଇଁ ଗୋଟିଏ ବିରାଟ ପଟୁଆରର ଯୋଗାଡ଼ କର । ମୋ ସମ୍ମୁଖରେ ପାଟହାତୀ ଥିବେ ଓ ମୁଁ ସଜା ହୋଇଥିବା ହାତୀ ଉପରେ ବସି ରାଜକନ୍ୟାକୁ ବାହାହେବା ପାଇଁ ବରବେଶ ସାହି ରାଜ ନଅରକୁ ଯିବି ଓ ବିବାହ କରି ରାଜକନ୍ୟାକୁ ନେଇ ସାଥୀରେ ଫେରିଆସିବି ।
ତା’ ପରଦିନ ଦୀପଶକ୍ତି ସବୁ ଜିନିଷ ଯୋଗାଡ଼ କରି ନେଇ ଆସିଲା ସ ଆଲ୍ଲାଦ୍ଦିନ୍ ପାଇଁ ସଜ୍ଜା ହୋଇଥିବା ବଡ଼ ହାତୀ ଉପରେ ବସି ରାଜ ନଅରକୁ ଯାତ୍ରା କଲା । ଆଲ୍ଲାଦ୍ଦିନ୍ ବେଶ ବେଶ ପୋଷାକରେ ଝଲମଲ ଦିଶୁଥାଏ । ସେ ଗୋଟିଏ ରାଜାଙ୍କର ରାଜା ମହାରାଜା ପରି ଦିଶୁଥାଏ ।
ଆଲ୍ଲାଦ୍ଦିନ୍ ର ଆଡମ୍ବର ପୂର୍ଣ୍ଣ ପଟୁଆର ହେଖିବାପାଇଁ ରାସ୍ତାରେ ଲୋକମାନେ ଭିଡ଼ ଜମାଇ ଥାଆନ୍ତି । ରାଜା ନିଜେ ଏହି ଆଡ଼ମ୍ବର ପୂର୍ଣ୍ଣ ରୋଷଣୀ ଦେଖି ଭାରି ଖୁସୀ ହୋଇ ଆଲ୍ଲାଦ୍ଦିନ୍ କୁ ପାଖରେ ଆଦରର ସହିତ ବସାଇଲେ । ଆଲ୍ଲାଦ୍ଦିନ୍ କୁ ରାଜା କହିଲେ – ଆଚ୍ଛା ବାବା ତୁମେ କେଉଠି ରହୁଛ, ତୁମ ଘର କେଉଠି ?
ଆଲ୍ଲାଦ୍ଦିନ୍ କହିଲା – ମୋ ଘର ଏଇ ପାଖ ଗାଆଁରେ । ମୁଁ ସେଇଠି ରୁହେ । ସେଇଟାତ ମୋ’ର ଗାଆଁ । ମୁଁ ସେଇଠି ଖୁସୀରେ ଥାଏ ।
ରାଜା ପଚାରିଲେ – ଆଚ୍ଛା ଆଲ୍ଲାଦ୍ଦିନ୍ ! ତୁମେ ରାଜ ଜେମାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରି ଅଛ । ମୋ କନ୍ୟା କ’ଣ ରାଜନଅର ଛାଡ଼ି ଗାଁର ମାଟି ଘରେ ରହିପାରିବ ? ମୋ କନ୍ୟା କୋଠାଘରେ ଜନ୍ମ ହୋଇଛି, କୋଠା ଘରେ ରହୁଛି । ଯଦି କାଲି ରାତି ପାହିଲା ବେଳକୁ ଆମନଅର ପାଖରେ ଆଉ ଗୋଟିଏ କୋଠାଘର ପରି ନଅର ତୋଳାଇ ପାରିବ, ତେବେ ଯାଇ ମୋ କନ୍ୟାକୁ ବିଭା ହେବ ।
ଆଲ୍ଲାଦ୍ଦିନ୍ ରାଜାଙ୍କ କଥାରେ ସମ୍ମତି ପ୍ରକାଶ କରି ଘରକୁ ଫେରି ଆସିଲା । ଏପଟେ ରାଜା ଭାବୁଥିଲେ ଗୋଟିଏ ରାତି ମଧ୍ୟରେ ଆଲ୍ଲାଦ୍ଦିନ୍ ନଅର ତୋଳାଇ ପାରିବ ନାହିଁ କି ସେ ମୋ କନ୍ୟାକୁ ବିବାହ କରିପାରିବ ନାହିଁ । ତା’ ମାଆର ପ୍ରସ୍ତାବଟା ବାଏଁ ବାଏଁ ଉଡ଼ିଯିବ ।
ମାତ୍ର ଆଲ୍ଲାଦ୍ଦିନ୍ ଭାରି ଖୁସୀ ଥାଏ । ତା’ ଗୋଡ଼ ତଳେ ଲାଗୁ ନଥାଏ । ମାଆ ପଚାରିଲେ ଆରେ ଆଳ୍ଲା ଆଜିତ ବେଶ୍ ଖୁସି ଜଣା ପଡୁଛୁ ଆଲ୍ଲା କହିଲା – ମାଆ ! ମୁଁ ରାଜକନ୍ୟାକୁ ନିଶ୍ଚୟ ବିବାହ କରିବି । ମୁଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିସାରିଛି ।
ଏହାପରେ ଆଲ୍ଲାଦ୍ଦିନ୍ କ’ଣ କଲା ନା କୁହୁକ ଦୀପକୁ ମାଜି ଦେଇ ଦୀପ ଶକ୍ତିକୁ ସ୍ମରଣ କଲା । ଦୀପଶକ୍ତି ଉପସ୍ଥିତ ହୋଇ ଯିବାରୁ ଆଲ୍ଲା ଆଦେଶ ଦେଲା । ରାତି ପାହିବା ପୂର୍ବରୁ ରାଜା ଘର ଉଆସ ପାଖରେ ତାଙ୍କର ରାଜନଅରଠାରୁ ଆହୁରି ଗୋଟିଏ ସୁନ୍ଦର ଉଆସ ନିର୍ମ।ଣ କରିଦେବ । ସେହି ଉଆସରେ କାନ୍ଥମାନଙ୍କରେ ସୁନା, ରୂପା, ହୀରା, ମୋତି, ମାଣିକ୍ୟ, ବୈଦୁର୍ଯ୍ୟ ଆଦି ଅଳଙ୍କାର ମାନ ଖଞ୍ଜି ଦେବ । ଉଆସରେ ଦାସଦାସୀ, ପୋଇଲି ଚାକରାଣୀ ଆଦି ଖଞ୍ଜି ଦେଇ ଅନେକ ଧନ ସମ୍ପଦର ବ୍ୟବସ୍ଥା କରିଦେବ ।
ଆଲ୍ଲାଦ୍ଦିନ୍ ର ଆଦେଶ ପାଇଁ ଦୀପଶକ୍ତି ଅଦୃଶ୍ୟ ହୋଇଗଲା । ରାତି ପାହିବା ମାତ୍ରେ ଦେଖାଗଲା – ରାଜାଙ୍କ ଉଆସ ସମ୍ମୁଖରେ ଆଉ ଗୋଟିଏ ଦିବ୍ୟ ସୁନ୍ଦର ଉଆସ ଠିଆହୋଇଛି । ଘର ଭିତରେ ହୀରା, ନୀଳା, ମୋତି, ମାଣିକ୍ୟ ଆଦି କାନ୍ଥରେ ଖଞ୍ଜା ହୋଇ ଝଲସି ଉଠୁଛି । ନଅରରେ ଦାସଦାସୀ ମାନେ ପୂର୍ଣ୍ର ହୋଇ ରହିଛନ୍ତି ।
ରାଜା ତାଙ୍କ ନଅରଠାରୁ ଆଲ୍ଲାଦ୍ଦିନ୍ ର ଆହୁରି ବଡ଼ ନଅର ଦେଖି ଖୁବ୍ ଖୁସୀ ହେଲେ ଏବଂ କୌଣସି ସର୍ତ୍ତ ନରଖି ଆଲ୍ଲାଦ୍ଦିନ୍ ସହିତ ନିଜ କନ୍ୟା ରାଜଯେମାର ବିବାହ କରିଦେଲେ ।
ଆଲ୍ଲାଦ୍ଦିନ୍ ନିଜ ମନୋନୀତ ରାଜ କୁମାରୀଙ୍କୁ ପାଇ ସୁଖରେ ରହିଲା । କୁହୁକ ଦୀପ ଆଲ୍ଲାଦ୍ଦିନ୍ ର ସବୁ ଅଭାବ ପୂରଣ କଲା । ରାଜକନ୍ୟା ତାଙ୍କ ପିତାଙ୍କ ଗୃହ ଅପେକ୍ଷା ଆଲ୍ଲାଦ୍ଦିନ୍ ଘରେ ବହୁତ ସୁଖରେ ରହିଲା । ଆଲ୍ଲାଦ୍ଦିନ୍ ନିଜ ମନପସନ୍ଦର ସ୍ତ୍ରୀ ପାଇ ସୁକରେ କାଳ ଯାପନ କଲା ।
ବୁଢ଼ା ଯାଦୁକରର ଚାଲାକି
କିଛିଦିନ ପରେ ଯାଦୁକର ଫକୀର ବୁଢ଼ା ନିଜର କୁହୁକ ମନ୍ତ୍ର ବଳରେ ଜାଣି ପାରିଲା ଯେ, ଯେଉ ଆଲ୍ଲାଦ୍ଦିନ୍ କୁ ସେ ମାଟି ତଳେ ବନ୍ଦି କରି ରଖିଦେଇ ଆସିଥିଲା, ସେ ଆଉ ସେ ମାଟି ତଳେ ନାହିଁ । ସେ ମଧ୍ୟ କୁହୁକ ମୁଦି ଓ କୁହୁକ ଦୀପର ବ୍ୟବହାର ମଧ୍ୟ ଜାଣି ଯାଇ ପାରିଛି । କୁହୁକ ଦୀପ ବଳରେ ଆଲ୍ଲାଦ୍ଦିନ୍ ବହୁତ ବଡ଼ଲୋକ ହୋଇଯାଇଛି ଓ ସେ ରାଜକୁମାରୀଙ୍କୁ ବିବାହ କରି ଗୋଟିଏ ସୁନ୍ଦର ନଅର ତୋଳି ସେଠାରେ ଆରାମ୍ ରେ ଅଛି ।
ଆଲ୍ଲାଦ୍ଦିନ୍ ବହୁତ ସୁଖରେ ଥିବା ଜାଣିପାରି ଯାଦୁକରର ମନରେ ଦୁଖ ଜାତ ହେଲା । ସେ ମନେ ମନେ ଭାବିଲା – କେବଳ କୁହୁକ ଦୀପ ହିଁ ଆଲ୍ଲାଦ୍ଦିନ୍ ର ସକଳ ସୁଖ ଓ ସୌଭାଗ୍ୟର କାରଣ ।
ସେହି ଦୀପଟାକୁ କୌଣସି ଉପାୟ କଲେ ଆଲ୍ଲାଦ୍ଦିନ୍ ପୁନର୍ମୂଷିକ ଅବସ୍ଥାକୁ ଆସିଯିବ ସେହି ଚିନ୍ତାରେ ଯାଦୁକର ରହିଲା । ଦିନେ ଯାଦୁକର ବଜାରକୁ ଯାଇ କେତେ ଗୁଡିଏ ନୂଆ ନୂଆ ଦୀପ କିଣି ଆଣି ସେହି ଦୀପକୁ ମୁଣ୍ଡରେ ମୁଣ୍ଡାଇ ସହରର ଗଳି କନ୍ଦିରେ ଡାକି ଡାକି କହିଲା – ହେ ଗ୍ରାହକ ମାନେ ! କିଏ ପୁରୁଣା ଦୀପ ବଦଳାଇ ନୂଆ ଦୀପ ନେବ ।
ଦାମ୍ ମଧ୍ୟ ଅଧିକା ପଡିବ ନାହିଁ । ନୂଆ ଦୀପ ନେଇ ପୁରୁଣା ଦୀପ ଦିଅ ।”
ଅନେକ ଲୋକ ପୁରୁଣାଦୀପ ବଦଳାଇ ନୂଆ ଦୀପ ନେଲେ । ଫକୀର ବୁଢ଼ାର ନଜର କିନ୍ତୁ ଆଲ୍ଲାଦ୍ଦିନ୍ ଘରେ ଥାଏ । ସେ ଖବର ନେଇ ଜାଣିଲା ଆଲ୍ଲାଦ୍ଦିନ୍ ଘରେ ନାହିଁ, ସେ ପାରିଧି କରିବାକୁ ଯାଇଛି ।
ଫକୀର ବୁଢ଼ା ଭାରି ଖୁସି ହୋଇଗଲା । ସେ ମନେ ମନେ ଭାବିଲା କୁହୁକ ଦୀପର କରାମତି କଥା ଆଲ୍ଲାଦ୍ଦିନ୍ ବ୍ୟତୀତ ଆଉ କେହି ଜାଣିନଥିବେ । ଘରେ ସ୍ତ୍ରୀ ଲୋକମାନେ ଥିବେ । ଏଇ ମଉକାରେ ପୁରୁଣାଦୀପ ବଦଳାଇ ନୂଆଦୀପ ନେବା କଥା କହିଲେ ସେମାନେ କୁହୁକ ଦୀପଟିକୁ ଆଣି ବଦଳାଇ ଦେଇ ପାରନ୍ତି ।
ଫକୀର ବୁଢ଼ା ଖୁସୀ ହୋଇଗଲା । ସେ ଆଲ୍ଲାଦ୍ଦିନ୍ ର ନଅର ଚାରିପାଖରେ ତିନି ଚାରିଥର ଘୂରି ବୁଲି ଡାକ ଛାଡ଼ିଲା – “ପୁରୁଣା ଦୀପ ବଦଳାଇ ନୂଆ ଦୀପ ନିଅ… ମା’ ମାଉସୀ ମାନେ… ପୁରୁଣା ଦୀପ ବଦଳାଇ ନୂଆ ଦୀପ ନିଅ.. ସରିଗଲା… ସରିଗଲା… ଆଉ ମାତ୍ର କେଇଟି ନୂଆ ଦୀପ ରହିଲା…. ଆସ…. ଆସ…. ଶିଘ୍ର ନେଇ ଯାଅ ।
ଆଲ୍ଲାଦ୍ଦିନ୍ ର ନଅର ପାଖରେ ଜଣେ ଦାସୀ ଠିଆ ହୋଇଥିବା ଦେଖି ଫକୀର ବୁଢ଼ା କହିଲା – “ମା ପୁରୁଣା ଦୀପ ବଦଳାଇ ନୂଆ ଦୀପ ନଉନା” । ଦାସୀ ଜଣକ ଘରେ ପୁରୁଣା କହୁକ ଦୀପଟି ଥିବାର ଦେଖିଥିଲା । ସେ ଯାଇ ରାଜ କୁମାରୀକି କହିଲା – ମା’ ଘରେ ଗୋଟିଏ ପୁରୁଣା ଦୀପ ଅଛି । ତାକୁ ବଦଳାଇ ଦେଇ ନୂଆ ଦୀପଟିଏ ଆଣିବା କି ?
ରାଜକୁମାରୀ ଦାସି କଥାରେ ରାଜି ହୋଇଗଲା । କାରଣ ରାଜକୁମାରୀ ସେହି ପୁରୁଣା ଦେଖାଯାଉଥିବା କୁହୁକ ଦୀପ ବିଷୟରେ କିଛି ଜାଣି ନଥିଲା। ଦାସୀ କୁହୁକ ଦୀପଟିକୁ ନେଇ ଯାଦୁକର ପାଖକୁ ଗଲା । ଯାଦୁକର ଦୂରରୁ କୁହୁକ ଦୀପଟିକୁ ଦେଖି ନେଇ ଚିହ୍ନିଗଲା । ତା’ ମନ ଆନନ୍ଦରେ ନାଚି ଉଠିଲା । ସେ ମନେ ମନେ ଭାବିଲା – ଦୀପଟା ପ୍ରଥମେ ମୋ ହାତକୁ ଆସିଯାଉ । ତା’ ପରେ ଆଲ୍ଲାଦ୍ଦିନ୍ ର ମଜ୍ଜା ଦେଖିନେବି । ଆଲ୍ଲାଦ୍ଦିନ୍ କୁ ଏମିତି ପାନେ ଦେବି ଯେ ଯାଦୁକରକୁ ଠକିଲେ କି ଫଳ ମିଳେ ବୁଝିଯିବ ।
ଦାସୀ ଯେମିତି ଯାଦୁକର ପାଖରେ ପହଞ୍ଚତ୍ ଯାଇଛି ସେ ଚଟ୍ କିନା ଦୀପକୁ ଝାମ୍ପିନେଇ ଡାଲା ଭିତରେ ଲୁଚାଇ ଦେଇ ନୂଆ ଦୀପଟିଏ ଦାସୀ ହାତକୁ ବଢ଼ାଇ ଦେଲା । ଆଖି ପିଛୁଳାକେ ଯାଦୁକର ସେଠାରୁ ଅନ୍ତର୍ଦ୍ଧ।ନ ହୋଇଗଲା ।
ଆଲ୍ଲାଦ୍ଦିନ୍ ର ଖରାପ ସମୟ
ଯାଦୁକର ସେଠାରୁ ପଳାଇ ଯାଇ ମହା ଆନନ୍ଦରେ ନିଜ ଘରେ ପହଞ୍ଚତ୍ଲା । ସେ ଖୁସୀରେ ନାଚି ଉଠିଲା । ଅନ୍ଧ ଯେପରି ତାର ହଜିଲା ବାଡ଼ିଟିକୁ ପାଇଲେ ଆନନ୍ଦିତ ହୁଏ, ଯାଦୁକର ସେହିପରି ହେଲା । ଏହା ପରେ ଯାଦୁକର ତା’ର କରାମତି ଆରମ୍ଭ କରିଦେଲା । ସେ ଦୀପ ଶକ୍ତିକୁ ସ୍ମରଣ କରି କୁହୁକ ଦୀପକୁ ଘଷି ଦେବା ମାତ୍ରେ ଗୋଟିଏ ବିରାଟ ଶକ୍ତିଆସି ତା’ ସାମନାରେ ଉଭା ହୋଇ କହିଲା – ମୋତେ କ’ଣ କରିବାକୁ ହେବ, ଆଦେଶ କରନ୍ତୁ ।
ଯାଦୁକର କହିଲା – ଆଲ୍ଲାଦ୍ଦିନ୍ ର ନଅରକୁ ଗୋଟାପଣେ ଟେକି ନେଇ ଅନ୍ୟ ଏକ ସ୍ଥାନରେ ରଖି ଦେଇ ଆସ ଏବଂ ମୋତେ ମଧ୍ୟ ସେଇ ନଅର ଭିତରେ ପହଞ୍ଚାଇ ଦେଇ ଆସ । ଦୀପଶକ୍ତି ତୁରନ୍ତ ଆଦେଶ ପାଳନ କଲା ।
କୁହୁକ ଦୀପର କରାମତି ଦେଖ । ଆଲ୍ଲାଦ୍ଦିନ୍ ପାଖରେ ଥିବାବେଳେ ଆଲ୍ଲାଦ୍ଦିନ୍ ର ହୁକୁମ୍ ମାନୁଥିଲା ଏବେ ଯାଦୁଗରର ହୁକୁମ ପାଳନ କରୁଛି । କୁହୁକ ଦୀପ ଯାହା ପାଖରେ ଥିବ ସେ କେବଳ ତା’ରି ଆଦେଶ ପାଳନ କରିବାକୁ ବାଧ୍ୟ । ଭଲମନ୍ଦ ବୁଝିବା ତା’ର କାମ ନୁହେଁ, ସେ ଖାଲି ଆଦେଶର ଗୋଲାମ୍ ।
ଆଲ୍ଲାଦ୍ଦିନ୍ ର ନଅର ଅନ୍ୟ ଏକ ଅଜଣା ସ୍ଥାନକୁ ଚାଲି ଆସିବା ପରେ ରାଜ କୁମାରୀଙ୍କ ସହିତ ନଅରର ଅନ୍ୟ ଦାସଦାସୀମାନେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଆତଙ୍କ ଗଣିଲେ ।
ଦୁର୍ଯୋଗକୁ ଯାଦୁକର ନଅର ଭିତରେ ହାଜର ହୋଇ ରାଜକୁମାରୀ ନିକଟରେ ଉପସ୍ଥିତ ହୋଇ କହିଲା – ଏଣିକି ଏ ନଅରର ମାଲିକ ମୁଁ । ମୁଁ ଯାହା କହିବି ତୁ ମାନିବାକୁ ବାଧ୍ୟ । ତୁ ମୋତେ ବିବାହ କର, ମୁଁ ତୋତେ ଆଲ୍ଲାଦ୍ଦିନ୍ ଅପେକ୍ଷା ଆହୁରି ଅଧିକ ସୁକରେ ରଖିବି । ତୋର ସବୁ ଇଚ୍ଛା ପୂରଣ କରିବି । ତୁ ମୋ’ କଥାରେ ରାଜି ହୋଇଯାଆ ।
ରାଜା ଝିଅ କିନ୍ତୁ ଯାଦୁକର କଥାରେ ମୋଟେ ରାଜି ହେଲା ନାହିଁ । ସେ ମନେ ମନେ ଭାବିଲା – ଏ ବୁଢ଼ାଟାକୁ ବାହା ହୋଇ କି ସୁଖ ପାଇବ ?
ଏଣେ ଆଲ୍ଲାଦ୍ଦିନ୍ ପାରିଧି ସାରି ଫେରି ଦେଖିଲା, ତା’ ନଅର ନାହିଁ, ରାଜକୁମାରୀ ନାହିଁ କି ଦାସଦାସୀ କେହି ନାହାଁନ୍ତି । ଯେଉ ଜାଗାରେ ଏତେ ବଡ଼ ନଅରଟି ଥିଲା ସେ ସ୍ଥାନରେ ପୂର୍ବ ପରି ପଡ଼ିଆ ହୋଇ ରହିଛି । ଏହା ଦେଖି ତା’ର ମୁଣ୍ଡ ଘୂରିଗଲା । ସେ କ’ଣ କରିବ ନ କରିବ କିଛି ସ୍ଥିର କରିପାରିଲା ନାହିଁ । ଏବେ ଉପାୟ କ’ଣ ?
ଏପଟେ କ’ଣ ହୋଇଛିନା, ରାଜାଙ୍କ କାନରେ ଏ ସବୁ କଥା ପଡ଼ିଲା । ସେ ଆଲ୍ଲାଦ୍ଦିନ୍ କୁ ଡକାଇ ନଅର କଥା ଓ ରାଜକୁମାରୀ କଥା ପଚାରିଲେ । ଆଲ୍ଲାଦ୍ଦିନ୍ ରାଜାଙ୍କ କଥାରେ କୌଣସି ଉତ୍ତର ଦେଇ ନପାରି କେବଳ ବୋକାଙ୍କ ପରି ରାଜାଙ୍କ ମୁହଁକୁ ବଲବଲ କରି ଅନାଇଁ ରହିଲା ।
ରାଜା କ୍ରୋଧାନ୍ବୀତ ହୋଇ କହିଲେ – ଦେଖି ଆଲ୍ଲାଦ୍ଦିନ୍ ! ତୋତେ ଦୁଇଦିନ ମାତ୍ର ସମୟ ଦେଲି ଯଦି ଏହି ଦୁଇଦିନ ମଧ୍ୟରେ ମୋ ଝିଅକୁ ଖୋଜିଆଣି ମୋ ପାଖରେ ହାଜର ନ କରାଇଛୁ, ତାହେଲେ ତୋର ମୁଣ୍ଡ କାଟ ହେବ ।
ରାଜାଙ୍କ କଠୋର ଆଦେଶ ଶୁଣି ଆଲ୍ଲାଦ୍ଦିନ୍ ର ଅକଲ ଗୁଡୁମ୍ ମୁଣ୍ଡକାଟ କଥା ଶୁଣି ତା’ ଦେହ ବରଡ଼ା ପତ୍ର ପରି ଥରିବାକୁ ଲାଗିଲା । ତା’ର ମନେ ହେଲା ତା’ ପିଣ୍ଡରେ ଆଉ ପ୍ରାଣ ନାହିଁ । ଜୀବନ ମରଣ ସମସ୍ୟାରେ ସେ ପଡିଗଲା ।
ଶେଷରେ ସେ ସ୍ଥିର କଲା ଜୀବନ ହରାଇ ଦେବ । ଏହା ବ୍ୟତୀତ ତା’ ନିକଟରେ ଆଉ ଅନ୍ୟ କିଛି ଉପାୟ ନାହିଁ । ସେ ବିଚଳିତ ପାଦରେ ଗଭୀର ଜଳାଶୟରେ ବୁଡ଼ି ମରିବାକୁ ସ୍ଥିର କରି ଜଳାଶୟ ଆଡ଼କୁ ଚାଲିଲା ।
ଆଲ୍ଲାଦ୍ଦିନ୍ ର ଭାଗ୍ୟ ବଦଳିଲା
ଆଲ୍ଲାଦ୍ଦିନ୍ ଯେତେବେଳେ ପାଣି ଭିତରେ ପଶିଲା ସେତେବେଳେ ତା’ ଦୁଖିନୀ ମାଆର ମୁହଁ ଓ ସ୍ତ୍ରୀର ମୁହଁ ତା ଆଖି ଆଗରେ ନାଚି ଉଠିଲା । ତା’ ପରେ ତା’ର ଜୀବନ ପ୍ରତି ମୋହ ଜାତ ହେଲା । ମୁଣ୍ଡ ଉପରେ ଆକାଶ, ପୃଥିବୀ, ଗଛଲତା, ପଶୁପକ୍ଷୀ ସମସ୍ତେ ସୁନ୍ଦର ଦେଖା ଗଲେ ।
ପୁଣି ସେ ମନେ ମନେ ଭାବିଲା – ମାତ୍ର ଦୁଇଦିନ ପାଇଁ ବଞ୍ଚତ୍ ରହି କିଲାଭ ? ରାଜା ତ ନିଶ୍ଚେ ମୁଣ୍ଡକାଟ କରିବେ । ସେ ଯମଯନ୍ତ୍ରଣା ସହିବା ଅପେକ୍ଷା ପାଣିରେ ବୁଡ଼ି ମରିବା ଭଲ ହେବ । ସେ ଯେତେବେଳେ ବେକେ ପାଣିରେ ପଶିଛି, ସେତେବେଳେ ଆଙ୍ଗୁଠିରେ ପିନ୍ଧିଥିବା କୁହୁକ ମୁଦି ସହିତ ଆର ହାତଟି ଘଷି ହୋଇଗଲା ।

ସଙ୍ଗେ ସଙ୍ଗେ ମୁଦି ଶକ୍ତି ବାହାରି ଆସି କହିଲା – ଆଦେଶ କରନ୍ତୁ, ମୋତେ କ’ଣ କରିବାକୁ ହେବ ?
ମୁଦି ଶକ୍ତିକୁ ଦେଖି ଆଲ୍ଲାଦ୍ଦିନ୍ ଖୁସୀ ହୋଇଗଲା । ସେ ନିଜର ନଅର ଓ ରାଜାଙ୍କର ମୁଣ୍ଡକାଟ କଥାରେ ଭୟଭୀତ ହୋଇଯାଇ ବାଉଳାରେ କୁହୁକ ମୁଦି କଥା ପାଶୋରି ପକାଇ ଥିଲା । ସେ ମୁଦି ଶକ୍ତିକୁ କହିଲା – ମୋତେ କୁହୁକ ଦୀପ ଆଣି ଦେ ।
ମୁଦି ଶକ୍ତି ମଥାନତ କରି କହିଲା – ଦୀପଶକ୍ତ ମୋ ଠାରୁ ବଡ଼ ।
ମୁଁ ତାକୁ ଆଣି ପାରିବି ନାହିଁ । ଆଉ ଅନ୍ୟ କିଛି ଆଦେଶ କରନ୍ତୁ ।
ଆଲ୍ଲାଦ୍ଦିନ୍ କହିଲା – ରାଜକୁମାରୀ ଯେଉ ଅଛି ସେଠିକି ମୋତେ ନେଇଯାଆ ।
ଆଲ୍ଲାଦ୍ଦିନ୍ ମୁହଁରୁ ଏ କଥା ସରିଛି କି ନାହିଁ, ମୁଦି ଶକ୍ତି ତାକୁ ନେଇ ରାଜା ଝିଅ ପାଖରେ ପହଞ୍ଚାଇ ଦେଲା । ସେତେବେଳେ ଯାଦୁକର ନଅର ଭିତରେ ନଥାଏ । ରାଜା ଝିଅ ଆଲ୍ଲାଦ୍ଦିନ୍ କୁ ଦେଖି ବହୁତ ଖୁସୀ ହୋଇଗଲା । ଆଲ୍ଲାଦ୍ଦିନ୍ ପାରିଧିକୁ ଯିବା ପରେ ଯାହା ସବୁ ଘଟି ଯାଇଥିଲା ସବୁ କଥା କହିଲା । ରାଜକୁମାରୀ ପ୍ରତି ଖରାପ ଆଚରଣ କଥା ଶୁଣି ସେ ଖୁବ୍ ରାଗିଗଲା ।
ଏହାପରେ ରାଜକୁମାରୀ ଓ ଆଲ୍ଲାଦ୍ଦିନ୍ ଉପାୟ ପାଞ୍ଚତ୍ ସ୍ଥିର କଲେ ଯାଦୁକରକୁ ଆମ ରାସ୍ତାରୁ ହଟାଇ ନଦେଲେ ଶାନ୍ତିରେ ରଖାଇ ଦେବ ନାହିଁ । ପ୍ରଥମେ ତା’ଠାରୁ କୌଶଳ କରି କୁହୁକ ଦୀପକୁ ଛଡାଇ ଆଣିବାକୁ ହେବ ।
କିଛି ସମୟ ପରେ ଯାଦୁକର ନଅରକୁ ଫେରିଲା । ଯାଦୁକର ଆସିବା ସମ୍ବାଦ ପାଇ ରାଜକୁମାରୀ ସୁନ୍ଦର ସୁନ୍ଦର ଶାଢ଼ୀ ଓ ଗହଣା ପିନ୍ଧି ନିଜକୁ ସୁନ୍ଦର ଭାବରେ ସଜାଇ ନେଲା । ସେ ଏପରି ବେଶ ଧାରଣ କରିଥିଲା ଯେ ସତେ ଯେମିତି ନବବଧୂଟି ବେଦୀକୁ ଯିବା ବୋଲି ଅପେକ୍ଷା କରିବସିଛି। ଏହା ପରେ ସେ ଦାସୀ ହାତରେ ଯାଦୁକରକୁ ଡକାଇ ପଠାଇଲା ।
ବୁଢ଼ା ଯାଦୁକର ଆନନ୍ଦ ଦେଖେ କିଏ ? ସେ’ତ ଏହି ସୁଯୋଗକୁ ଅପେକ୍ଷା କରି ରହିଥିଲା । ସେ ସାଙ୍ଗେ ସାଙ୍ଗେ ଆସି ରାଜକୁମାରୀ ପାଖରେ ହାଜର ହୋଇଗଲା । ରାଜକୁମାରୀର ଠାଣି, ମାଣି ଓ ବେଶଭୂଷା ଦେଖି ବୁଢ଼ାର ଆଖି ଲାଖିଗଲା ।
ରାଜକୁମାରୀ ହସିହସି କହିଲା – କ’ଣ ଏମିତି ଦେଖୁଛ… ମୋତେ ବିଭାହେବ ପରା । ବୁଢ଼ା ଆସି ରାଜକୁମାରୀ ପାଖରେ ବସି ପଡିଲା । ବୁଢ଼ା ମନେ ମନେ ଭାବିଲା ରାଜକୁମାରୀ ତାକୁ ଆଉ ପୂର୍ବ ପରି କୁକୁର ବିରାଡ଼ିକୁ ଘଉଡାଇ ଦେଲା ପରି, ଘଉଡାି ଦେଉ ନାହିଁ । ସେ ବୋଧେ ଆଲ୍ଲାଦ୍ଦିନ୍ କୁ ପୁରାପୁରି ଭୁଲିଗଲାଣି । ତା’ ବଦଳରେ ମୋତେ ଭଲ ପାଇଲାଣି ।
ରାଜକୁମାରୀ ତାକୁ ଭଲ ଖାଦ୍ୟ ପଦାର୍ଥ ସହିତ ମିଠା ଜିନିଷ ଖାଇବାକୁ ଦେଲା । ବୁଢ଼ା ପେଟେ ଖାଇ ସାରି ପଲଙ୍କ ଉପରେ ବସି ପଡି ରାଜକୁମାରୀକୁ ଆହୁରି ଖୁସୀ କରିବ ବୋଲି ଚିନ୍ତାକରି କୁହୁକ ଦୀପ ଓ ତା’ର କରାମତି କଥା ମଧ୍ୟ କହିଲା ।
ରାଜକୁମାରୀ କେମିତିକା ସେ କୁହୁକ ଦୀପ ବୋଲି ଦେଖିବାକୁ ଚାହଁବାରୁ ବୁଢ଼ା ଯାଦୁକର ଖୁସୀ ହୋି ତା’ ହାତକୁ କୁହୁକ ଦୀପଟିକୁ ବଢ଼ାଇ ଦେଉ ଦେଉ କହିଲା – ଏଇ ସେଇ କୁହୁକ ଦୀପ । ରାଜକୁମାରୀ ବୁଢ଼ା ଯାଦୁକରକୁ ଖାଇବାକୁ ଦେବା ସମୟରେ ଖାଦ୍ୟ ପଦାର୍ଥରେ ବିଷ ମିଶାଇ ଦେଇଥିଲା । ବୁଢ଼ା ଯାଦୁକର ବିଷ ପ୍ରକୀୟାରେ ଛଟପଟ ହୋଇ ପଲଙ୍କ ଉପରୁ ତଳେ ପଡିଯାଇ ପ୍ରାଣ ହରାଇଲା ।
ଏତିକି ବେଳେ ଆଲ୍ଲାଦ୍ଦିନ୍ ଲୁଚିଥିବା ସ୍ଥାନରୁ ବାହାରି ଆସି ରାଜକୁମାରୀ ହାତରୁ କୁହୁକ ଦୀପକୁ ଆଣି ଦୀପଶକ୍ତିକୁ ସ୍ମରଣ କରି ଦୀପକୁ ଘଷିବାକୁ ଲାଗିଲା । ସଙ୍ଗେ ସଙ୍ଗେ ଦୀପଶକ୍ତି ବାହାରି ଆସି କହିଲା – ମୋତେ କ’ଣ କରିବାକୁ ହେବ, ଆଦେଶ ଦିଅନ୍ତୁ ଆଲିକ୍ ।
ଆଲ୍ଲାଦ୍ଦିନ୍ କହିଲା – ଏ ବୁଢ଼ାର ମୁର୍ଦ୍ଦ।ରକୁ ନେଇ ବାହାରେ ଫିଙ୍ଗି ଦେଇଆ ଓ ଏ ନଅର ପ୍ରଥମେ ଯେଉଠିଥିଲା ସେଇଠିକି ନେଇଯାଆ ।
ଆଦେଶ ପାଇବା ମାତ୍ରେ ଦୀପଶକ୍ତି ସଙ୍ଗେ ସଙ୍ଗେ ସବୁକାମ ଠିକ୍ ଭାବେ କରିଦେଲା ।
ରାଜା ଦେଖିଲେ ଆଗେ ନଅର ଯେଉଠିଥିଲା ସେଇଠି ଅଛି । ଯେମିତି ଧନ ସମ୍ପଦ, ଦାସଦାସୀ ଥିଲେ ସେମିତି ସବୁ ପୂରିରହିଛି । ରାଜକୁମାରୀ ମଧ୍ୟ ସେହି ନଅର ଭିତରେ ଖୁବ୍ ଆନନ୍ଦରେ ଅଛି । ଏହା ଦେଖି ରାଜା ଖୁସୀ ହୋଇଗଲା ।
ବୁଢ଼ା ଯାଦୁକରର ମୃତ୍ୟୁ ପରେ ଆଲ୍ଲାଦ୍ଦିନ୍ ର ଆଉ କେହି ଶତ୍ରୁ ନ ଥିଲେ । ସେମାନେ ଆନନ୍ଦରେ ଦିନ କଟାଇଲେ ।
ରାଜା ଆଲ୍ଲାଦ୍ଦିନ୍ କୁ ବହୁତ ଭଲ ପାଇଲେ । ରାଜା ଆଲ୍ଲାଦ୍ଦିନ୍ ଓ ରାଜକୁମାରୀଙ୍କୁ ନ ପଚାରିଲେ କିଛି କରନ୍ତି ନାହିଁ । ରାଜାଙ୍କ ମୃତ୍ୟୁ ପରେ ଆଲ୍ଲାଦ୍ଦିନ୍ ସେ ରାଜ୍ୟର ରାଜା ହେଲେ ଓ ରାଜକୁମାରୀ ରାଣୀ ହୋଇ ରାଜ୍ୟ ଶାସନ କରି ସୁଖରେ ରହିଲେ ।
ମଣିଷ ଜୀବନରେ ସୁଖ ପରେ ଦୁଖ, ଦୁଖ ପରେ ସୁଖ ସର୍ବଦା ଲାଗି ରହିଛି । ଆଲ୍ଲାଦ୍ଦିନ୍ ପିଲାବେଳେ ଅନେକ ଦୁଖ କଷ୍ଟ ଭୋଗ କରିଥିଲା ବୋଲି ଶେଷରେ ସୁଖ ଭୋଗ କଲା । ଯିଏ କଷ୍ଟକରେ ସେ କୃଷ୍ଠ ପାଏ ।