ଉପକ୍ରମ :
Guru divas odia essay : ଗୁରୁଦିବସ ହେଉଛି ଭାରତୀୟ ଗୁରୁ ପରମ୍ପରାର ଏକ ସ୍ମାରକୀ ଦିବସ। ବିଦ୍ୟାଳୟମାନଙ୍କରେ ଅନୁଷ୍ଠିତ ଦିବସ ମଧ୍ୟରେ ଗୁରୁଦିବସ ଅନ୍ୟତମ। ସମଗ୍ର ଭାରତବର୍ଷରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ଶ୍ରଦ୍ଧାସହକାରେ ପାଳନ କରାଯାଏ। ଉକ୍ତ ଦିବସଟି ଭାରତର ପୂର୍ବତନ ରାଷ୍ଟ୍ରପତି ସାର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମଦିବସ ଅଟେ। ଏହି ଦିବସଟି ପ୍ରତିବର୍ଷ ସେପ୍ଟେମ୍ବର ମାସ ପାଞ୍ଚ ତାରିଖରେ ସମଗ୍ର ଶିକ୍ଷାନୁଷ୍ଠାନରେ ଶ୍ରଦ୍ଧାର ସହିତ ପାଳନ କରାଯାଏ। ଗୁରୁଦିବସରେ ମହାନ୍ ଗୁରୁ ଶ୍ରେଷ୍ଠ ଦାର୍ଶନିକ ରାଧାକ୍ରିଷ୍ଣନ୍ ଙ୍କର ଜୀବନୀ ଆଲୋଚନା ଏକାନ୍ତ କାମ୍ୟ। ଉକ୍ତଦିନ ଗୁରୁ-ଶିଷ୍ୟଙ୍କର ସମ୍ପର୍କ ଉଜ୍ଜୀବିତ ହୋଇଥାଏ। ଶିଷ୍ୟମାନଙ୍କର ଗୁରୁଙ୍କ ପ୍ରତି ଭକ୍ତିଭାବ ଓ ଗୁରୁଙ୍କର ଶିଷ୍ୟମାନଙ୍କ ପ୍ରତି ଶ୍ରଦ୍ଧା ସୁମନ ପ୍ରକଟିତ ହୋଇଥାଏ।
ଗୁରୁଙ୍କ ସଂଜ୍ଞା-ସ୍ଵରୂପ-ବୈଶିଷ୍ଟ :
ଭାରତବର୍ଷର ଗୁରୁଙ୍କର ସ୍ଥାନ ଯଥେଷ୍ଟ ଉଚ୍ଚରେ। ଗୁରୁଙ୍କର ସଂଜ୍ଞା ନିରୂପଣ କରାଯାଇ ଯଥାର୍ଥରେ କୁହାଯାଇଛି ଯେ-
“ଗୁକାରୋନ୍ଧକାରସ୍ତୁ ଗୁକାରସ୍ତନ୍ନବର୍ତ୍ତକଃ
ଅନ୍ଧକାର ନିବୃତ୍ୟାକୁ ଚାରୁରିତ୍ୟଭିଧୀୟତେ।”
ଅର୍ଥାତ୍ ‘ଗୁ’ ଅର୍ଥ ଅନ୍ଧକାର, ‘ରୁ’ ଅର୍ଥ ଅଜ୍ଞାନ। ଛାତ୍ରଛାତ୍ରୀମାନଙ୍କର ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରକରି ଜ୍ଞାନରୂପକ ଆଲୋକକୁ ପ୍ରଦାନ କରିବାରେ ଶିକ୍ଷକମାନେ ସମର୍ଥ ହୋଇଥିବାରୁ ତାଙ୍କୁ ‘ଗୁରୁ’ ଆଖ୍ୟା ପ୍ରଦାନ କରାଯାଇଛି।
ପୁନଶ୍ଚ :-
“ଗୁରୁର୍ବହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ବର
ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରୁବେ ନମଃ।”
ଅର୍ଥାତ୍ ଗୁରୁ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର। ସେ ମଧ୍ୟ ପରଂବ୍ରହ୍ମ ସଦୃଶ ପ୍ରତୀୟମାନ ହୋଇଥା’ନ୍ତି। ଏଣୁ ଗୁରୁଙ୍କୁ କୋଟି ନମସ୍କାର ସର୍ବାଦୌ କରଣୀୟ। ମୁଖ୍ୟତଃ ଗୁରୁ ହେଉଛନ୍ତି ଦେବତା ସମାନ। ତାଙ୍କରି ଶୁଭାଶିଷ ଲାଭ କରି ଶିଷ୍ୟ ପ୍ରକୃତ ମନୁଷ୍ୟତା ଲାଭ କରିଥାଏ। ଗୁରୁକୃପା ହିଁ ଛାତ୍ର-ଛାତ୍ରୀଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇ ଦେଇଥାଏ। ଏଣୁ ଗୁରୁଭକ୍ତି ଛାତ୍ରଙ୍କର ଭୂଷଣ ହେବା ଦରକାର। ଅପରପକ୍ଷରେ ଗୁରୁଙ୍କର ଶୁଭଦୃଷ୍ଟି ଛାତ୍ରଙ୍କ ଉପରେ ପଡ଼ିବା ଆବଶ୍ୟକ। ଏ ପରିପ୍ରେକ୍ଷୀରେ ପ୍ରତିବର୍ଷ ରାଧାକ୍ରିଷ୍ଣନ୍ ଙ୍କ ଜନ୍ମତିଥିକୁ ଗୁରୁଦିବସ ରୂପେ ପାଳନ କରାଯୋଉଛି। ଫଳରେ ତାଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯାଉଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଗୁରୁପୂଜାର ପରମ୍ପରା guru divas 2023 :
ଯୁଗେଯୁଗେ ଗୁରୁପୂଜାର ପରମ୍ପରା ରହିଛି। ଅତୀତ ଭାରତରେ ଛାତ୍ରମାନେ ଗୁରୁକୁଳରେ ବିଦ୍ୟାଧୟନ କରି ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରୁଥିଲେ। ଛାତ୍ରମାନେ ଗୁରୁଙ୍କଠାରୁ ଜ୍ଞାନଲାଭ କରି ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରୁଥିଲେ। ତତ୍କାଳୀନ ସମାଜରେ ଗୁରୁଙ୍କ ଆସନ ଯଥେଷ୍ଟ ଉପରେ ଥିଲା। ଛାତ୍ରମାନେ ଯେପରି ଗୁରୁଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ, ଗୁରୁମାନେ ମଧ୍ୟ ଛାତ୍ରମାନଙ୍କୁ ସେହିପରି ସ୍ନେହ କରୁଥିଲେ। କେବଳ ସେତିକି କାହିଁକି, ଛାତ୍ରମାନେ ମଧ୍ୟ କଠାର ପରୀକ୍ଷାର ସମ୍ମୁଖୀନ ହେଉଥିଲେ। ପରସ୍ପର ପ୍ରତି ସ୍ନେହ, ଶ୍ରଦ୍ଧା ଅତୁଟ ଥିଲା।
ସାମ୍ପ୍ରତିକ ଯୁଗରେ ଗୁରୁପୂଜାର ଭିନ୍ନତା ଲକ୍ଷ୍ୟ କରାଯାଇଥାଏ। ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଗୁରୁଦିବସ ପାଳନ ନିମନ୍ତେ ସରକାରୀ ନିର୍ଦ୍ଦଶେନାମା ରହିଛି। ଏହି ଦିବସରେ ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନଙ୍କଦ୍ବାରା ଗୁରୁପୂଜା ପରମ୍ପରା ଭିତ୍ତିରେ ଅନୁଷ୍ଠିତ ହେଉଛି। ବହୁ କ୍ଷେତ୍ରରେ ଶିକ୍ଷକଙ୍କ ପ୍ରେରଣା ଓ ପ୍ରଚ୍ଛନ୍ନ ଇଙ୍ଗିତରେ ଏହା କରାଯାଉଥିବାର ଅନୁମିତ ହୋଇଥାଏ। ଫଳତଃ ଏହାର ସାମାଜିକ ମୂଲ୍ୟବୋଧରେ ନ୍ୟୂନତା ଉପଲବ୍ଧ କରାଯାଇଥାଏ।
ଯଦି ଏହି ଉତ୍ସବ ଅଭିଭାବକ ଓ ଛାତ୍ରମାନଙ୍କ ତରଫରୁ ସ୍ଵତଃସ୍ଫୂର୍ତ୍ତି ଭାବରେ ଅନୁଷ୍ଠିତ ହୁଅନ୍ତା, ତେବେ ସମାଜରେ ଏହାର ଗୁରୁତ୍ବ ବଢ଼ନ୍ତା। ତଥାପି ଏହି ଦିବସରେ ଗୁରୁଙ୍କର ପୂଜା ଅର୍ଚ୍ଚନା କରାଯିବା ସହିତ ଆଦର୍ଶ ଗୁରୁଭକ୍ତି ସମ୍ପର୍କରେ ଆଲୋଚନା କରାଯାଇଥାଏ। ଛାତ୍ରଛାତ୍ରୀମାନେ ଗୁରୁମହିମା ଓ ଗୁରୁଭକ୍ତି ସମ୍ବନ୍ଧରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥା’ନ୍ତି। ଗୁରୁମାନେ ମଧ୍ୟ ନିଜର ବକ୍ତୃତା ମାଧ୍ୟମରେ ଛାତ୍ର-ଛାତ୍ରୀଙ୍କୁ ଉପଦେଶ ପ୍ରଦାନ କରିଥା’ନ୍ତି। ପ୍ରସଙ୍ଗକ୍ରମେ ରାଧାକ୍ରିଷ୍ଣନ୍ ଙ୍କ ଜୀବନୀ ଆଲୋଚନା କରାଯାଇ ତାଙ୍କର ମହିମାଗାନ କରାଯାଏ।
ଛାତ୍ରଛାତ୍ରୀମାନେ ଗୁରୁଙ୍କ ଆଦର୍ଶରେ ଅନୁପ୍ରେରିତ ହୋଇଥା’ନ୍ତି। ମୋଟାମୋଟି ଭାବରେ ଗୁରୁଦିବସଟି ଗୁରୁଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ଓ ମହିମାନ୍ବିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ରାଧାକ୍ରିଷ୍ଣନ୍ ଙ୍କ ଜୀବନୀର ବୈଶିଷ୍ଟ୍ୟ :
ଗୁରୁଦିବସରେ ଭାରତର ମହାନ୍ ଗୁରୁ ରାଧାକ୍ରିଷ୍ଣନ୍ ଙ୍କ ଜୀବନୀ ଆଲୋଚନା ଏକାନ୍ତ ଅପରିହାର୍ଯ୍ୟ, କାରଣ ଏହାଦ୍ବାରା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ତାଙ୍କରି ଆଦର୍ଶରେ ଜୀବନ ଅତିବାହିତ କରିବାକୁ ପ୍ରୟାସୀ ହେବେ। 1888 ମସିହା ସେପ୍ଟେମ୍ବର 5 ତାରିଖରେ ରାଧାକ୍ରିଷ୍ଣନ୍ ମାନ୍ଦ୍ରାଜର ତିରୁଭାଣି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ବୀରୋମୀ, ଯେ କି ପୁରୋହିତ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ।
ରାଧାକୃଷ୍ଣନ୍ ଯଥାସମୟରେ ଗାଁ ଚାଟଶାଳୀପାଠ ଓ ହୋଇସ୍କୁଲ ପାଠ ସମାପ୍ତ କରି ଭୋଲ୍ଲରର ବୁରହିକ୍ କଲେଜରୁ କୃତିତ୍ବର ସହିତ ଏଣ୍ଟ୍ରାନ୍ ସ ଓ ଏଫ୍.ଏ. ପାସ୍ କରିଥିଲେ। ସମୟାନୁକ୍ରମେ ମାନ୍ଦ୍ରାଜର ଖ୍ରୀଷ୍ଟିଆନ୍ କଲେଜରୁ ଦର୍ଶନରେ ଅନର୍ସ ରଖି ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ। ତା’ପରେ ମାନ୍ଦ୍ରାଜ ବିଶ୍ବବିଦ୍ୟାଳୟରୁ ଦର୍ଶନଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଏମ୍.ଏ.ପାସଥ୍ କରି ନିଜର ସୁନାମ ବଜାୟ ରଖିପାରିଥିଲେ।
1909 ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜର ପ୍ରେସିଡେନ୍ସ କଲେଜରେ ଦର୍ଶନ ବିଭାଗରେ ଅଧ୍ୟାପକ ରୂପେ ଚାକିରି ଜୀବନ ଆରମ୍ଭ କରିଥିଲେ। ପରବର୍ଷ ଅଧ୍ୟାପନା ସହିତ ସେଦାପେଟରେ ଥିବା ଟିଚରସ୍ କଲେଜରୁ ଏଲ୍.ଟି.ପାସ୍ କରିଥିଲେ।
ରାଧାକ୍ରିଷ୍ଣନ୍ କିଛିବର୍ଷ ପ୍ରେସିଡ଼େନ୍ସୀ କଲେଜରେ ଅଧ୍ୟାପନା କାର୍ଯ୍ୟ ତୁଲାଇ ମହୀଶୂର ବିଶ୍ବବିଦ୍ୟାଳୟର ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ରୂପେ ଅବସ୍ଥାପିତ ହେଲେ। ତା’ପରେ 1921 ମସିହାରେ କଲିକତା ବିଶ୍ବବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ରୂପେ ଯୋଗଦାନ କରି ପ୍ରଶଂସାଭାଜନ ହୋଇପାରିଥିଲେ।
1926 ମସିହାରେ ହାର୍ଭାର୍ଡ଼ ବିଶ୍ବବିଦ୍ୟାଳୟର ଅନୁଷ୍ଠିତ ଆନ୍ତର୍ଜାତିକ ଦର୍ଶନ କଂଗ୍ରେସରେ ଭାରତ ତରଫରୁ ପ୍ରତିନିଧିତ୍ବ କରି ଭାରତୀୟ ଦର୍ଶନ ପ୍ରଚାରରେ ବ୍ରତୀ ହେଲେ। ସମୟାନୁକ୍ରମେ କଲିକତା ବିଶ୍ବବିଦ୍ୟାଳୟର ପ୍ରଫେସର ପଦ ତ୍ୟାଗ କରି ଆନ୍ଧ୍ର ବିଶ୍ବବିଦ୍ୟାଳୟର କୁଳପତି ପଦ ଅଳଙ୍କୃତ କରିଥିଲେ। କିଛିଦିନ ପରେ 1939 ଖ୍ରୀଷ୍ଟାବ୍ଦରେ ସେ ବାରଣାସୀର ହିନ୍ଦୁ ବିଶ୍ବବିଦ୍ୟାଳୟରେ କୁଳପତି ପଦରେ ଯୋଗଦାନ କରିଥିଲେ।
1949 ମସିହାରେ ସେ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲଙ୍କ ଅନୁରୋଧକ୍ରମେ ରୁଷିଆର ରାଷ୍ଟ୍ରଦୂତ ରୂପେ ନିଯୁକ୍ତି ପାଇ କାର୍ଯ୍ୟଦକ୍ଷତାର ପରିଚୟ ପ୍ରଦାନ କରିଥିଲେ। ସେହି ସମୟରେ ରୁଷର ପ୍ରଧାନମନ୍ତ୍ରୀ ଷ୍ଟାଲିନଙ୍କ ସହିତ ତାଙ୍କର ଅପୂର୍ବ ବନ୍ଧୁତା ଘଟିଥିଲା। ତା’ପରେ ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟରେ ଦର୍ଶନ ଅଧ୍ୟାପକ ଭାବରେ ଯୋଗଦେଇ ଖ୍ୟାତି ଅର୍ଜନ କରିଥିଲେ।
1952 ମସିହାରେ ଭାରତର ଉପରାଷ୍ଟ୍ରପତି ପଦରେ ଯୋଗଦେଇ ଋଷ ପରିତ୍ୟାଗ କଲେ। 1962 ମସିହାରେ ରାଜେନ୍ଦ୍ର ପ୍ରସାଦଙ୍କ ଉତ୍ତର ଦାୟାଦ ରୂପେ ରାଧାକ୍ରିଷ୍ଣନ୍ ଭାରତର ଦ୍ବିତୀୟ ରାଷ୍ଟ୍ରପତି ରୂପେ ଅବସ୍ଥାପିତ ହେଲେ। 1963 ମସିହାରେ ଇଂଲଣ୍ଡର ସର୍ବୋଚ୍ଚ ଉପାଧି ‘Order of Merit’ ର ଭୂଷିତ ହୋଇ ଜନପ୍ରିୟତା ହାସଲ କଲେ। 1975 ମସିହା ଏପ୍ରିଲ 16 ତାରିଖରେ ସେ ଭାରତୀୟମାନଙ୍କୁ ଶୋକସାଗରରେ ଭସାଇ ଇହଲୀଳା ସମ୍ବରଣ କଲେ।
ରାଧାକ୍ରିଷ୍ଣନଙ୍କ ଅଶେଷ ଗୁଣ ଥିଲା। ସେ ଥିଲେ ଜ୍ଞାନଯୋଗୀ। ସେ ଭାରତ ତଥା ବିଦେଶରୁ ବହୁ ସମ୍ମାନସୂଚକ ଉପାଧି ଲାଭ କରିଥିଲେ। ଦର୍ଶନଶାସ୍ତ୍ର ସମ୍ପର୍କୀୟ ଅନେକ ଶାସ୍ତ୍ର ପ୍ରଣୟନ କରିଥିଲେ। ଜଣେ ଶିକ୍ଷକ ଭାବରେ ନିଜର କର୍ମମୟ ଜୀବନ ଆରମ୍ଭ କରି ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିଥିବାରୁ ଶିକ୍ଷକମାନଙ୍କ ସମ୍ମାନାର୍ଥେ ତାଙ୍କର ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଭାରତ ସରକାର ତାହା ଗ୍ରହଣ କରି ସେହିଦିନ ତାଙ୍କୁ ସମ୍ମାନିତ କରିବା ସହିତ ତାଙ୍କର ଜୀବନୀ ଆଲୋଚନା କରାଯିବାର ଭାରତରେ ଗୁରୁପରମ୍ପରାକୁ ସମ୍ମାନିତ କରାଯାଉଛି ବୋଲି କହିଲେ ସତ୍ୟର ସହିତ ଅପଳାପ ହେବନାହିଁ।
ଉପସଂହାର :
ଗୁରୁଦିବସରେ ଭାରତ ସରକାର ଓ ରାଜ୍ୟ ସରକାର କୃତୀ ଶିକ୍ଷକମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରନ୍ତି। ଗୁରୁମାନେ ନିଜକୁ ଯୋଗ୍ୟ କରିପାରିଲେ ସେମାନଙ୍କୁ ସମାଜ ଚିହ୍ନିବ ବୋଲି ଆଶା କରାଯାଏ। ଗୁରୁମାନଙ୍କର ପୁରସ୍କାର ପ୍ରାପ୍ତି କର୍ତ୍ତବ୍ୟପରାୟଣର ଲକ୍ଷ୍ୟ ନୁହେଁ, ତଥାପି ରାଧାକ୍ରିଷ୍ଣନ୍ ଙ୍କ ପରି କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କ ଆଦର୍ଶରେ ଗୁରୁମାନେ ଅନୁପ୍ରାଣିତ ହୋଇ ସମାଜର ମଙ୍ଗଳ କରିବା ବିଧେୟ। ଗୁରୁଦିବସ ଛାତ୍ରଛାତ୍ରୀମାନଙ୍କ ପକ୍ଷରେ ଯେପରି ଶିକ୍ଷଣୀୟ ସେହିପରି ମଧ୍ୟ ପ୍ରେରଣାଦାୟକ ଅଟେ।
ଆହୁରି ପଢନ୍ତୁ :
Top 10 Online Earn Money Tips in ODIA 2023
independence day speech in odia 2023 ସ୍ବାଧୀନତା ଦିବସ
ଗୁଗଲ ରୁ ଟଙ୍କା କିପରି ରୋଜଗାର କରିବେ। How to Earn Money from Google
Odia Calendar 2023 | ଓଡିଆ କ୍ୟାଲେଣ୍ଡର 2023 PDF
Hanuman Chalisa Odia PDF
Artificial Intelligence in Odia ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ ଶିଖନ୍ତୁ ଓଡିଆରେ
ଗୁରୁ ଦିବସ speech, guru divas odia bhasana

guru divas odia essay 10 lines ଉପକ୍ରମ :
ମୁଁ ଗୋକନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼େ । ପ୍ରତିବର୍ଷ ଆମ ବିଦ୍ୟାଳୟରେ ସେପ୍ଟେମ୍ବର ମାସ 5 ତାରିଖରେ ଗୁରୁଦିବସ ପାଳନ କରାଯାଏ । ସେଦିନ ଆମେ ଭକ୍ତି ସହକାରେ ଗୁରୁଦିବସ ପାଳନ କରୁ ।
ଗୁରୁଦିବସର ଲକ୍ଷ୍ୟ guru dibasa 2023 :
ଆମ ଦେଶର ଭୂତପୂର୍ବ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍ ଙ୍କ ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରାଯାଉଅଛି । କାରଣ ସେ ନିଜେ ପ୍ରଥମେ ଥିଲେ ଜଣେ ଆଦର୍ଶ ଅଧ୍ୟାପକ। ଶିକ୍ଷକମାନଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲା। ତେଣୁ ତାଙ୍କ ଜନ୍ମ ଦିବସକୁ ଗୁରୁଦିବସ ରୂପେ ପାଳନ କରାଯାଏ। ଗୁରୁମାନଙ୍କୁ ପୂଜା କରିବା ଓ ସେମାନଙ୍କୁ ସମ୍ମାନ ଦେବା ଏହି ଦିବସର ଲକ୍ଷ୍ୟ।
ଗୁରୁଦିବସ ପାଳନ guru dibasa odia essay :
ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖ ଦିନ ସକାଳୁ ଆମ୍ଭେମାନେ ଗାଧୋଇ ସାରି ସଫା ଜାମା ପ୍ୟାଣ୍ଟ ପିନ୍ଧି ସ୍କୁଲକୁ ଆସୁ । ଗୁରୁମାନଙ୍କୁ ନିମନ୍ତ୍ରଣ କରି ସ୍କୁଲକୁ ପାଛୋଟି ଆଣୁ । ସେମାନଙ୍କୁ ନୂଆ ଲୁଗା ପିନ୍ଧାଇ ଦେଉ । ଫୁଲ ଓ ଚନ୍ଦନ ଦେଇ ସେମାନଙ୍କୁ ପୂଜା କରୁ । ତତ୍ ପରେ ଆମ୍ଭେମାନେ ଗୋଟିଏ ସଭା କରୁ । ସେହି ସଭାକୁ ଗ୍ରାମର ବିଶିଷ୍ଟ ଲୋକମାନଙ୍କୁ ଡାକୁ । ସେମାନେ ଗୁରୁମାନଙ୍କର ପ୍ରଶଂସା କରି ଭାଷଣ ଦିଅନ୍ତି । ଆମ୍ଭେ ପିଲାମାନେ ମଧ୍ୟ ଗୁରୁମାନଙ୍କର ଗୁଣ ଗାନ କରୁ । ସଭା ପରେ ଆମେ ଭୋଜିର ଆୟୋଜନ କରୁ । ଗୁରୁମାନଙ୍କୁ ନିମନ୍ତ୍ରଣ କରି ଭୋଜି ଖାଇବାକୁ ଦେଉ । ଗୁରୁମାନେ ଆମ୍ଭମାନଙ୍କୁ କଲ୍ୟାଣ କରନ୍ତି । ତତ୍ ପରେ ଆମ୍ଭେମାନେ ନିଜ ନିଜ ଘରକୁ ଫେରିଆସୁ ।
ଶେଷକଥା :
guru dibasa ଗୁରୁଦିବସ ଗୋଟିଏ ପୁଣ୍ୟ ଦିବସ। ଏହି ଦିବସ ଗୁରୁମାନଙ୍କୁ ସମ୍ମାନ ଓ ମର୍ଯ୍ୟାଦା ଦେବାକୁ ପ୍ରେରଣା ଦେଇଥାଏ । ଗୁରୁ ଓ ଛାତ୍ରମାନଙ୍କ ମଧ୍ୟରେ ଉତ୍ତମ ସଂପର୍କ ରକ୍ଷା ପାଇଁ ଏହା ଉାହ ଦିଏ । ବର୍ଷସାରା ଗୁରୁଙ୍କୁ ସମ୍ମାନ ଦେବାଲାଗି ଏହି ଦିବସଟି ଆମକୁ ପ୍ରେରଣା ଦେଇଥାଏ । ଆମ ବିଦ୍ୟାଳୟରେ ଗୁରୁ ଦିବସ ଭଲ ଭାବରେ ପାଳନ କରାଯାଏ ।