odia application format

Here we will discuss different odia application format and analyse different types of odia applications. “Letters and Applications are written forms of communication used to convey specific messages or requests formally. The application serves as a means to express intentions, apply for opportunities, convey information, or express sentiments in a structured and professional manner. Whether it’s a job application, a formal request, or a personal correspondence, letters, and applications adhere to conventions of language and format to effectively communicate the sender’s purpose and achieve desired outcomes.”

Table of Contents

ତୁମ ଅଞ୍ଚଳରେ ପଶୁ ରୋଗର ପ୍ରାଦୁର୍ଭାବ ଦେଖାଦେଇଛି । ଏହାର ପ୍ରତିକାର ନିମନ୍ତେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଦରଖାସ୍ତ ଲେଖ ।

ପ୍ରାପ୍ତେଷୁ : ମାନନୀୟ,

ଶ୍ରୀଯୁକ୍ତ ସ୍ୱାସ୍ଥ୍ୟ ଅଧିକାରୀ, ସାଲେପୁର ସ୍ୱାସ୍ଥ୍ୟ ମଣ୍ଡଳ, କଟକ

ବିଷୟ : ପଶୁରୋଗର ପ୍ରତିକାର ନିମନ୍ତେ ଆବେଦନ

(ମହୋଦୟ…………………………….ସମୀପେଷୁ)

ମହାଶୟ,

ନିବେଦନର ଅଭିପ୍ରାୟ ଏହିକି ଯେ, ଆମ୍ଭେ ନିମ୍ନ ସ୍ୱାକ୍ଷରକାରୀଗଣ ସୁଙ୍ଗୁଡ଼ା ଗ୍ରାମପଞ୍ଚାୟତର ମଢ଼ଙ୍ଗା ଗ୍ରାମର ଅଧିବାସୀ ଅଟୁ । ଏହି ଗ୍ରାମର ଅଧିକାଂଶ ପରିବାର ଗୋରୁ-ଗାଈ, ଛେଳି-ମେଣ୍ଢା, କୁକୁଡ଼ା-ବତକ ଆଦି ପଶୁପକ୍ଷୀଙ୍କ ଉପରେ ନିର୍ଭର କରି ଜୀବିକାର୍ଜନ କରନ୍ତି । ମାତ୍ର ଦୁଃଖ ଓ ପରିତାପର ବିଷୟ ଯେ କୌଣସି ଅଜଣା ରୋଗର ପ୍ରାଦୁର୍ଭାବ ହେତୁ ୮ଦିନ ମଧ୍ୟରେ ବହୁ ଗୋରୁ-ଗାଈ, ଛେଳି-ମେଣ୍ଢା ଓ କୁକୁଡ଼ା-ବତକ ଆଦି ମରିଗଲେଣି । ଏହା ଆମ୍ଭମାନଙ୍କ ଜୀବନ ଜୀବିକା କ୍ଷେତ୍ରରେ ଚରମ ଆଘାତ ପହଞ୍ଚାଇଛି ।

ଏଣୁ ବିନୀତ ପ୍ରାର୍ଥନା କରୁକି ଆପଣ ଦୟାପରବଶ ହୋଇ ଏହି ଅଜଣା ରୋଗର ଆତଙ୍କରୁ ଆମର ଗୃହପାଳିତ ପଶୁ ପକ୍ଷୀଙ୍କୁ ରକ୍ଷା କରିବା ନିମିତ୍ତ ପଦକ୍ଷେପ ଗ୍ରହଣ କଲେ ଆମ୍ଭେମାନେ ଚିରୋପକୃତ ହେବୁ ।

।। ଇତି ।।

ଆପଣଙ୍କର ବିଶ୍ୱସ୍ତ

ମଢ଼ଙ୍ଗା ଗ୍ରାମର ଗ୍ରାମବାସୀବୃନ୍ଦ

ବନ୍ୟା ଦୁର୍ଗତ ଅଞ୍ଚଳର ଅଧିବାସୀ ଭାବରେ ଖଣ୍ଡିଏ ଇନ୍ଦିରା ଆବାସ ପାଇବାପାଇଁ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।

ପ୍ରାପ୍ତେଷୁ : ସମ୍ମାନନୀୟ

ଶ୍ରୀଯୁକ୍ତ ପୁରୀ ଜିଲ୍ଲା ଜିଲ୍ଲାପାଳ, ପୁରୀ ।

ବିଷୟ : ଇନ୍ଦିରା ଆବାସ ପାଇବା ପାଇଁ ଆବେଦନ

(ମହୋଦୟ………………………ସମୀପେଷୁ)

(ଅସ୍ତରଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଜରିଆରେ)

ମହାଶୟ,

ଅତ୍ୟନ୍ତ ବିନୟ ଓ ନମ୍ର୍ରତାର ସହିତ ମୁଁ ମୋର ଦୁଃଖ ଓ ଦୁର୍ଭାଗ୍ୟର କଥା ଆପଣଙ୍କ ପାଖରେ ନିବେଦନ କରୁଛି । ବନ୍ୟା ପ୍ରପୀଡ଼ିତ ଅସ୍ତରଙ୍ଗ ଅଞ୍ଚଳର ଅବକାଶପୁର ଗ୍ରାମର ମୁଁ ହେଉଛି ଜଣେ ହତଭାଗ୍ୟ ଅଧିବାସୀ । ଗତ ବନ୍ୟାରେ ମୁଁ ମୋର ବାସଗୃହ ଖଣ୍ଡିିକ ହରାଇ ଏଯାବତ୍ ମୋର ଛୁଆପିଲାଙ୍କ ସାଥିରେ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛି । କେତେବେଳେ କେଉଁ ବନ୍ଧୁବାନ୍ଧବଙ୍କ ଘରେ ମୁଣ୍ଡଗୁଞ୍ଜି ରହୁଛି ତ ପୁଣି ଆଉ କେତେବେଳେ କାହାର କୋଠା ବାରଣ୍ଡା ଉପରେ ପିଲାଛୁଆମାନଙ୍କ ସହିତ ଯାଯାବର ଜୀବନ ବିତାଇବାରେ ଲାଗିଛି । ଇନ୍ଦିରା ଆବାସ ଯୋଜନାରେ ଲୋକମାନଙ୍କୁ ଯେଉଁ ଗୃହ ମିଳୁଛି, ତାହା କେଉଁ ବିଚାରରେ କରାଯାଉଛି ମୁଁ ଜାଣେନା । ହାତରେ କେଉଁ ଦୁର୍ଭାଗ୍ୟ ପରିମାପକ ଯନ୍ତ୍ରଟି ଧରି ରାଜକର୍ମଚାରୀଗଣ ବାସହୀନ ଲୋକଙ୍କୁ ଇନ୍ଦିରାଆବାସ ଗୃହ ଖଣ୍ଡିଏ ଲେଖାଏଁ ଯୋଗାଇ ଦେଉଛନ୍ତି ତାହା ମୁଁ କହିପାରିବି ନାହିଁ । କିନ୍ତୁ ମୋ ପରି ବାସହୀନ ବ୍ୟକ୍ତିଟିଏ ପାଞ୍ଚପ୍ରାଣୀ କୁଟୁମ୍ବକୁ ଧରି କେଉଁଠି ରହିବ, ତା’ବିଷୟରେ କୌଣସି ସରକାରୀ କର୍ମଚାରୀ କେବେହେଲେ ଚିନ୍ତା ପ୍ରକଟ କରିନାହାନ୍ତି । ବାସଗୃହ ଖଣ୍ଡିଏ ବିନା ମୁଁ ଅନ୍ୟ କୌଣସି ଆର୍ଥିକ ସାହାଯ୍ୟ ଚାହୁଁନାହିଁ ।
ଏଣୁ ବିନୀତ ଅନୁରୋଧ କରେକି, ଆପଣ ମୋ ପାଇଁ ଏଭଳି ଖଣ୍ଡିଏ ବାସଗୃହର ବ୍ୟବସ୍ଥା କରିଦେଲେ ମୁଁ ମୋର ଭାଗ୍ୟର ଅଭ୍ୟୁଦୟ ଘଟିଲା ବୋଲି ଭାବିବି ଏବଂ ଆପଣଙ୍କ ପାଖରେ ଚିରକୃତଜ୍ଞ ରହିବି ।

ତୁମ ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ । ଗୋଟିଏ ନଳକୂପ ବସାଇବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟକୁ ଦରଖାସ୍ତ ଲେଖ ।

ମାନନୀୟ,

ଶ୍ରୀଯୁକ୍ତ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ, ନୟାଗଡ଼

(ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଜରିଆରେ)

ବିଷୟ: ନଳକୂପ ବସାଇବା ନିମନ୍ତେ ଆବେଦନ

(ମହୋଦୟ…………………………..ସମୀପେଷୁ)

ମହାଶୟ,

ନିବେଦ୍ୟ ଏହିକି ଆମ ଗ୍ରାମର ଲୋକସଂଖ୍ୟା ପ୍ରାୟ ୨୦୦୦ । ଆମେ ରଣପୁର ବ୍ଲକ୍ ଅନ୍ତର୍ଗତ ରଣପୁର ଗ୍ରାମପଞ୍ଚାୟତରେ ଥିବା ନରସିଂହପୁର ଗ୍ରାମର ଅଧିବାସୀ । ଆମ ଗ୍ରାମର ଆବଶ୍ୟକ ସଂଖାରେ କୂପ ବା ପୁଷ୍କରିଣୀ ନଥିବାରୁ ଆମେ ଗ୍ରାମବାସୀଗଣ ଘୋର ଜଳକଷ୍ଟରେ କାଳାତିପାତ କରୁଛୁ। ଖରାଦିନ କଥା ଦୂରେ ଥାଉ, ଶୀତଦିନରେ ମଧ୍ୟ ଏଠାରେ କୂଅ, ପୋଖରୀ ପ୍ରାୟ ଶୁଖି ଯାଉଛି । ପୋଖରୀରେ ସ୍ନାନଶୌଚ, ବାସନ ସଫା ଓ ଗାଈଗୋରୁଙ୍କୁ ଗାଧୋଇଦେବା ଫଳରେ ପୁଷ୍କରିଣୀର ସ୍ୱଚ୍ଛଜଳ ଦୂଷିତ ହୋଇ ପଡ଼ୁଛି । ପତ୍ର ପ୍ରଭୃତି ପଡ଼ି କୂଅର ପାଣି ଦୂଷିତ ହେଉଛି ଏବଂ ସେଥିରୁ ପଚାଗନ୍ଧ ବାହାରୁ ଥିବାରୁ ତାହା ପିଇବା ପାଇଁ ଯୋଗ୍ୟ ହେଉନାହିଁ । ଖରାଦିନେ ପ୍ରାୟ ୩/୪କି.ମି ଦୂରରୁ ପିଇବା ପାଣି ଏବଂ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ଜଳ ବୋହି ଆଣିବାକୁ ପଡ଼ୁଛି । ସରପଞ୍ଚ ଓ ବ୍ଲକ୍ ଅଧିକାରୀଙ୍କୁ ବାରମ୍ବାର ଦୁଃଖ ଜଣାଇଲେ ମଧ୍ୟ ସେଥିପାଇଁ କେହିହେଲେ କର୍ଣ୍ଣପାତ କରୁନାହାନ୍ତି ।
ଏଣୁ ବିନୀତ ଅନୁରୋଧ କରୁକି, ଆମ ଗ୍ରାମରେ ଗୋଟିଏ ନଳକୂପ ବସାଇବାର ଆଶୁ ବ୍ୟବସ୍ଥା କରାଗଲେ, ଆମେମାନେ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବୁ ।

ତୁମ ଅଞ୍ଚଳରେ ବ୍ୟାପିଥିବା ହଇଜା ରୋଗର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ଦରଖାସ୍ତ ଲେଖ ।

ମାନନୀୟ,

ଶ୍ରୀଯୁକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସାଲେପୁର, ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର, ସାଲେପୁର, କଟକ

ବିଷୟ: ବ୍ୟାପିଥିବା ହଇଜା ନିରାକରଣ ସମ୍ବନ୍ଧରେ ଆବେଦନ

(ମହୋଦୟ…………………………………..ସମୀପେଷୁ)

ମହାଶୟ,

ମୁଁ ଶ୍ରୀ ବିକାଶ ଚନ୍ଦ୍ର କର, ସାଲେପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଅଟେ । ଆମ ଗ୍ରାମ ତୋଟାସାହି ଚନ୍ଦ୍ରାଦେଈପୁର ଗ୍ରାମପଞ୍ଚାୟତର ଅଧୀନ ଏବଂ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରଭୁକ୍ତ ଅଟେ । ମୁଁ ଦୁଃଖର ସହିତ ଲେଖିବାକୁ ବାଧ୍ୟ ହେଉଛି କି ଆମର ଏହି ଗ୍ରାମଟିର ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ନିହାତି ନିମ୍ନମାନର । ଏଠାରେ ପାନୀୟ ଜଳର ସୁବିଧା ନଥିବା ସାଥିକୁ ଅସ୍ୱାସ୍ଥ୍ୟକର ପରିବେଶ ହେତୁ ପ୍ରାୟ ଚାରିଦିନ ହେବ ହଇଜା ଲାଗିଥିବାରୁ ପାଞ୍ଚଜଣ ଲୋକ ମରି ସାରିଲେଣି । ଏବେ ପ୍ରାୟ ୭/୮ଜଣ ପୀଡ଼ିତଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି । ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ।
ଏଣୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରେକି ଆପଣ ଦୟାପୂର୍ବକ ହଇଜା ରୋଗର ନିରାକରଣ କଲେ ଆମ ଗ୍ରାମବାସୀମାନେ ଚିରୋପକୃତ ହେବେ ଏବଂ ଅନେକ ନିରୀହ ଜୀବନ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବ ।

ତୁମ ଗ୍ରାମରେ ଘନଘନ ଚୋରି ହେଉଛି, ଏହାର ନିରାକରଣ ପାଇଁ ଥାନା ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।

ମାନନୀୟ ଶ୍ରୀଯୁକ୍ତ ଥାନା ଭାରପ୍ରାପ୍ତ ଅଧିକାରୀ ମହୋଦୟ,
କାମାକ୍ଷାନଗର, ଢେଙ୍କାନାଳ ।

ବିଷୟ: ଅସାମାଜିକ କାର୍ଯ୍ୟକଳାପ ନିୟନ୍ତ୍ରଣ ନିମନ୍ତେ ।

ମହାଶୟ,

ନିବେଦ୍ୟାଭିପ୍ରାୟ ଏହିକି ଯେ, ଆମ ଆମ୍ବଖିଆ ଗ୍ରାମରେ ଦୀର୍ଘ ଚାରିମାସ ହେଲା ବିଭିନ୍ନ ଅସାମାଜିକ ଲୋକମାନଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହା ଦ୍ୱାରା ଧନଜୀବନ ବିପନ୍ନ ହେବାରେ ଲାଗୁଛି । ଦୁଇଦିନତଳେ ମହାନ୍ତିବାବୁଙ୍କ ଘରେ ଗୋଟିଏ ଡକାୟତି ଉଦ୍ୟମ ହୋଇଥିଲା । ତାଙ୍କ ପୁଅ ଡକାୟତମାନଙ୍କ ମୁକାବିଲା କରି ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଗତ ଦଶଦିନ ମଧ୍ୟରେ ଆମ ଗ୍ରାମ ସହିତ ଆଖପାଖ ଗ୍ରାମର ଆଠଦଶଜଣଙ୍କ ଘରୁ ଡକାୟତି ହୋଇ ସାରିଲାଣି । ଅନାମ ସାହୁଙ୍କ ଘରେ ଚୋରମାନେ କଳାକନା ବୁଲାଇଦେଇଛନ୍ତି। ଏହି ଅସାମାଜିକ ବ୍ୟକ୍ତିମାନେ ସଂଘବଦ୍ଧଭାବରେ ବିଭିନ୍ନ ମାରଣାସ୍ତ୍ର, ଯଥା- ବନ୍ଧୁକ, ବୋମା ଓ ଛୁରୀ ଆଦି ବ୍ୟବହାର କରୁଥିବାରୁ ସେମାନଙ୍କୁ ମୁକାବିଲା କରିବାକୁ ସମସ୍ତେ ଭୟ କରୁଛନ୍ତି । ଏପରିକି ଗ୍ରାମବାସୀମାନେ ରାତ୍ରିରେ ପାଳିକରି ବିନିଦ୍ର ରହି ଚୋରମାନଙ୍କ ଗତିବିଧିକୁ ଲକ୍ଷ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ସେମାନଙ୍କ କର୍ମଯୋଜନା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ସନ୍ଧ୍ୟାପରେ ଘରେ ତାଟିକବାଟ ପଡ଼ିଯାଉଛି । ଘରଛାଡ଼ି ଲୋକମାନେ ବାହାରକୁ କାର୍ଯ୍ୟ କରିବାକୁ ମଧ୍ୟ ଯାଇପାରୁ ନାହାନ୍ତି । ଏହି ଅସାମାଜିକ ଲୋକମାନଙ୍କ ପାଇଁ ଗାଁ ଭୂମିରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଏଣୁ ବିନମ୍ର୍ର ପ୍ରାର୍ଥନା କରୁକି ଆବଶ୍ୟକ ପୋଲିସ୍ ଫୋର୍ସ ସହିତ ସାଦା ପୋଷାକଧାରୀ ପୋଲିସ୍ ପଠାଇ ଏମାନଙ୍କ ବିରୁଦ୍ଧରେ କଠିନରୁ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆମ୍ଭେ ଆପଣଙ୍କ ନିକଟରେ ଚିରୋପକୃତ ହେବୁ ।

ତୁମ ଅଞ୍ଚଳରେ ଏକ ସରକାରୀ ସ୍ୱୀକୃତିପ୍ରାପ୍ତ ବିଦେଶୀ ମଦ ଦୋକାନ ଖୋଲିଛି । ଏହାକୁ ଉଠାଇଦେବା ନିମନ୍ତେ ଏକ ଦୈନିକ ସମ୍ବାଦପତ୍ରରେ ବିରୋଧ କରି ସମ୍ବାଦ ପ୍ରକାଶନ କରିବା ପାଇଁ ସମ୍ପାଦକଙ୍କ ନିକଟକୁ ଦରଖାସ୍ତ ଲେଖ ।

ମାନନୀୟ ଶ୍ରୀଯୁକ୍ତ ସମ୍ପାଦକ, ଦୈନିକ ସମାଜ, ଗୋପବନ୍ଧୁ ଭବନ, ଭୁବନେଶ୍ୱର ।

ବିଷୟ: ବିଦେଶୀ ମଦ ଦୋକାନକୁ ଉଠାଇ ଦେବା ନିମନ୍ତେ ଖବର ପ୍ରକାଶନ

ମହାଶୟ,

ଗୋପାଳପୁର ପଞ୍ଚାୟତର ଏକ ପ୍ରଧାନ ଗ୍ରାମ ହେଉଛି ଆମ ଗୋପାଳପୁର ଗ୍ରାମ । ଏହି ଗ୍ରାମର ଅଧିକାଂଶ ଲୋକ ଖଟିଖିଆ ଓ ଦରିଦ୍ର ହେଲେ ମଧ୍ୟ ସରଳ ଓ ନିରୀହ ପ୍ରକୃତିର ଅଟନ୍ତି । ଶ୍ରମ ଉପରେ ନିର୍ଭର କରି ଏହି ଲୋକମାନେ ନିରାଡ଼ମ୍ବର ଜୀବନଶୈଳୀକୁ ଆପଣାର କରି ଶାନ୍ତିରେ ପାରସ୍ପରିକ ସହାବସ୍ଥାନ ମଧ୍ୟରେ ବସବାସ କରିଥାନ୍ତି । ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହିକିଯେ, ପ୍ରାୟ ଏକମାସ ହେବ ଏଠାରେ ଏକ ମଦଦୋକାନ ଖୋଲିଛି । ଫଳରେ ପଲ୍ଲୀ ଭୂମିର ଶାନ୍ତ କମନୀୟ ପରିବେଶ ମଦ୍ୟପମାନଙ୍କ ଦ୍ୱାରା କବଳିତ ହେବାକୁ ଯାଉଛି । ଅର୍ଥଶ୍ରାଦ୍ଧ ସହିତ ଏହି ଗ୍ରାମର ଦରିଦ୍ର ଓ ନିରୀହ ଗ୍ରାମବାସୀଙ୍କ ପାରିବାରିକ, ସାମାଜିକ ଓ ଆର୍ଥିକ ଜୀବନ ବିଡ଼ମ୍ବିତ ହେବାରେ ଲାଗିଛି । ଛାତ୍ରଛାତ୍ରୀମାନଙ୍କ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ୁଛି । ଗ୍ରାମ ପରିବେଶ ସମ୍ପୂର୍ଣ୍ଣ ବିଷାକ୍ତ ହୋଇ ଯାଉଛି । ବିଡ଼ମ୍ବନାର ବିଷୟ ଏହି ଯେ ନିଶାନିବାରଣ ପାଇଁ ସରକାର ଜନସଚେତନତା ସୃଷ୍ଟି କରୁଥିବା ସମୟରେ ରାଜସ୍ୱ ବଢ଼ାଇବା ଲକ୍ଷ୍ୟରେ ପଲ୍ଲୀରେ ମଦ ଦୋକାନ ଖୋଲାଯାଇ ପାଶବିକତାକୁ ପ୍ରୋତ୍ସାହିତ କରୁଛନ୍ତି ।
ଆପଣଙ୍କ ସମ୍ବାଦପତ୍ର ଓଡ଼ିଶାରେ ଏକ ବହୁଳ ପ୍ରସାରିତ ଓ ପ୍ରତିଷ୍ଠିତ ସମ୍ବାଦପତ୍ର ଅଟେ । ଏଣୁ ଏଥିରେ ମଦ ଦୋକାନ ଖୋଲିବାର କୁପରିଣତି ଓ ଅପକାରିତା ସମ୍ପର୍କରେ ସମ୍ବାଦ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିନମ୍ର ନିବେଦନ । ଆପଣଙ୍କ ସମ୍ବାଦପତ୍ର ମଦ ଦୋକାନ ଉଚ୍ଛେଦରେ ସହାୟକ ହେଲେ ଆମ୍ଭେ ଗ୍ରାମବାସୀମାନେ ଚିରୋପକୃତ ହେବୁ ।

ବନ୍ୟାପରେ ତୁମ ଅଞ୍ଚଳର ଜଳ ବିଶୋଧନ ବ୍ୟବସ୍ଥା ପାଇଁ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିକଟକୁ ଦରଖାସ୍ତ ଲେଖ ।

ପ୍ରାପ୍ତେଷୁ :

ଜନସ୍ୱାସ୍ଥ୍ୟ ଅଧିକାରୀ, କେନ୍ଦ୍ରାପଡ଼ା ଜିଲ୍ଲା, କେନ୍ଦ୍ରାପଡ଼ା

ବିଷୟ: ଜଳ ବିଶୋଧନ ନିମନ୍ତେ ଆବେଦନ

(ମହୋଦୟ………………………………ସମୀପେଷୁ)

ମହାଶୟ,

ନିବେଦନର ଅଭିପ୍ରାୟ ଏହିକି ଯେ ଆମ୍ଭେ ନିମ୍ନସ୍ୱାକ୍ଷରକାରୀଗଣ ନରସିଂହପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତିଲଙ୍ଗ ଗ୍ରାମର ଅଧିବାସୀ ଅଟୁ । ବିଗତ ବନ୍ୟାରେ ଆମ ଗ୍ରାମ ନିକଟବର୍ତ୍ତୀ ଲୁଣା ନଦୀରେ ଏକ ଘାଇ ସୃଷ୍ଟି ହେବା ଫଳରେ ଆମ୍ଭେମାନେ ବିଶେଷ ବିପଦର ସମ୍ମୁଖୀନ ହୋଇଛୁ । ଗ୍ରାମର ଅବସ୍ଥା କହିଲେ ସରିବ ନାହିଁ । ଅନେକ ଘର ଭାଙ୍ଗିଯାଇଛି । ଗାଈଗୋରୁ ଓ ଅନ୍ୟାନ୍ୟ ଗୃହପାଳିତ ପଶୁ ଭାସି ଯାଇଛନ୍ତି । ବିଭିନ୍ନ ଖାଲ ଖମାରେ ପାଣି ପଶି ରହିବା ସହିତ ମୃତପଶୁମାନଙ୍କ ପଚା ଗନ୍ଧା ପରିବେଶକୁ ଦୂଷିତ କରିଛି । ଗ୍ରାମରେ ବଡ଼ ସମସ୍ୟା ହୋଇଛି ଜଳ ସମସ୍ୟା । ଗ୍ରାମବାସୀମାନଙ୍କ ପାନୀୟଜଳ ଅଭାବକୁ ଦୂର କରୁଥିବା କୂପର ଜଳ ଦୂଷିତ ହୋଇ ଯାଇଛି । ଗଡ଼ିଆ, ପୋଖରୀ ଓ ଖାଲ ଖମାର ଜଳ ଦୁର୍ଗନ୍ଧରେ ପରିପୂର୍ଣ୍ଣ । ଏଣୁ ଜଳ ଯୋଗୁଁ ବିଭିନ୍ନ ରୋଗ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଗ୍ରାମବାସୀମାନେ ବର୍ତ୍ତମାନ ମାନସିକ ସଂଘାତରେ ସମୟ କଟାଇଛନ୍ତି ।
ଏଣୁ ବିନୀତ ପ୍ରାର୍ଥର୍ନା କରୁକି ଜଳ ବିଶୋଧନର ବ୍ୟବସ୍ଥା କରି ଆମ୍ଭ ଗ୍ରାମବାସୀଙ୍କ ଏ ଦୁଃଖଦ ପରିସ୍ଥିତିର ସମାଧାନ କଲେ ଆମ୍ଭେ ଗ୍ରାମବାସୀ ଚିରୋପକୃତ ହେବୁ ।

Read More : odia application, nrts question paper 2023 | 2022 with answer

Leave a Comment