odia gapa kahani

odia gapa kahani କୋମଳ ମନର କୋମଳ ଭାବନା

Download Odia Gapa PDF

ପାରାଦୀପର ଏକ କମ୍ପାନୀରେ ମୋର ସାନଭାଇ ସିନିୟର ମ୍ୟାନେଜର ପଦରେ ନିଯୁକ୍ତି ପାଇଥାଏ। ସେ ତା’ର ସ୍ତ୍ରୀ କବିତା ଓ କୁନି ଝିଅ ତନୟାକୁ ନେଇ ଏକ ଭଡ଼ାଘରେ ରହେ। ମୁଁ ଏଇମାସ ଶନିବାର ସେଠାକୁ ବୁଲି ଯାଇଥିଲି। ତନୟାକୁ ମୁଁ ଶ୍ରଦ୍ଧାରେ “ଗେଲୁମା” ବୋଲି ଡାକେ। ଆଉ ସେ ମୋତେ ପିଉସୀ ମା ବୋଲି ଡାକେ। ମୋତେ ସେ ଖୁବ୍ ଭଲ ପାଏ। ମୁଁ ଯେବେ ବି ଯାଏ, ସେ ତା’ ବାପାମା’ଙ୍କ ପାଖରେ ନ ଶୋଇ ମୋ ପାଖରେ ଶୋଏ। ଏକ ସପ୍ତାହ ରହିବା ଭିତରେ ଦିନକର ଘଟଣା।

odia gapa1


ସେଦିନ ଆମେ ମଧ୍ୟାହ୍ନ ଭୋଜନ ଶେଷ ହେଲାପରେ ସମସ୍ତେ ଗୋଟିଏ ଖଟରେ ଶୋଇଥାଉ। ଠିକ୍ ସେହି ସମୟରେ ମୋ ଝିଅ ମାମୁନି ମୋତେ ଭିଡ଼ିଓ କଲ କଲା। ପଚାରିଲା, ବୋଉ କ’ଣ କରୁଛ? ମୋବାଇଲ ବୁଲାଇ ସମସ୍ତଙ୍କୁ ଦେଖାଇ କହିଲି ମାମି (ମାଈଁ) ଗେଲୁମା ଆଉ ମୁଁ ଗୋଟିଏ ଖଟରେ, ତା’ପରେ ସେ ମୋସହ ଓ ତା’ ମାମି ସହ କିଛି ସମୟ କଥା ହେଲା। ଏଇ କଥାବାର୍ତ୍ତ। ମଧ୍ୟରେ ଆମେ ଗେଲୁ ମା ଆମ ଗହଣରେ ଅଛି ବୋଲି ପୂରା ଭୁଲିଯାଇଛୁ ସମସ୍ତେ। ସେ କିନ୍ତୁ ନିଜର ଉପସ୍ଥିତ ଜାହିର କରିବା ଆଳରେ ମଝିରେ ମଝିରେ ମୋବାଇଲକୁ ଟାଣୁଥାଏ କଥା ହେବାପାଇଁ। ଆମେ ତାକୁ ଛୋଟ ପିଲାଭାବି ସେଥିରୁ ବିରତ ରହିବାପାଇଁ, ତା’ଠାରୁ ମୋବାଇଲକୁ ଦୂରେଇ ନେଇ କହିଥିଲି ରହ ଗେଲୁମା, ତା’ମାଆ କହୁଥାଏ। ଧନ ଟିକେ ରହ, ମାମୁନି ଦିଦି କଥା ହଉଛି ପରା। ଆମେ କଥା ହେଇ ସାରୁ, ତୁ ତା’ପରେ କଥା ହେବୁ। ବଡ଼ଲୋକ କଥା ହେବା ସମୟରେ ଛୋଟ ପିଲାମାନେ ବଦମାସୀ ହୁଅନ୍ତିନି ବୋଲି ତମକୁ କେତେଥର କହିଛି, ଉଚ୍ଚସ୍ବରରେ ଝିଅକୁ ତାଗିଦା କରିବା ଶୈଳୀରେ କହିଲା ତା’ମା।
ସେତେବେଳେକୁ କୁନିଝିଅ ଆଖିରୁ ମୋଟା ମୋଟା ମୋତିସବୁ ନିଗିଡ଼ି ଯାଉଥାଏ। କାହିଁକି କାନ୍ଦୁଛୁ ପଚାରିବାରୁ ଖୁବ୍ ଜୋର୍ରେ କାନ୍ଦକାନ୍ଦ ଗଳାରେ କହିଉଠିଲା। ତମେ ସବୁ ବଡ଼ ଲୋକ ବୋଲି ନିଜନିଜ ଭିତରେ କଥା ହେବ, ହସିବ ଆଉ ମୁଁ ଛୋଟ ପିଲା ବୋଲି ମୋତେ ସମସ୍ତେ ଭୁଲାଇ ଦେଉଛ। ମୋର ବି ମାମୁନି ଦିଦିକୁ ବହୁତ କଥା କହିବାର ଥିଲା। ମୋତେ କେହିବି କଥା ହେବା ପାଇଁ ଦେଲ ନାହିଁ କାହିଁକି?
ତା’ ଆଖିର ଲୁହ ଦେଖି ମୁଁ ଆଉ ଶୋଇବି କ’ଣ? ତା’ ମାଆ ତାକୁ ବୁଝାଇ ସୁଝାଇ ଚୁପ୍ କରାଇଦେଲା। କିନ୍ତୁ ମୋ ମନ ଜମା ଥୟ ହୋଇ ରହିପାରିଲା ନାହିଁ। ମୁଁ ମନକୁ ମନ ଚିନ୍ତା କଲି, ଆମେ ବଡ଼ ମାନେ ନିଜ ନିଜ ଭାବନାରେ ଏତେ ବୁଡ଼ି ଯାଉଛେ ଯେ, ଛୋଟ ପିଲାଙ୍କ ମନର ଅବସ୍ଥାକୁ ବୁଝିବାକୁ ଆଦୌଚେଷ୍ଟା କରୁନାହଁ। ଆମେ ଯଦି ପିଲା ବୋଲି ଭାବି ସବୁବେଳେ ସେମାନଙ୍କୁ ଅଣଦେଖା କରିବା, ତେବେ ସେମାନଙ୍କ ମନରେ ବହୁତ କିଛି କଥା ଅବ୍ୟକ୍ତ ହୋଇ ରହିଯିବ ଏବଂ ଆସ୍ତେ ଆସ୍ତେ ବିରାଟ ବସାରେ ପରିଣତ ହେବ। ସେମାନେ ନିଜ ଆତ୍ମୀୟଙ୍କ ପାଖରେ ନିଜର ଭାବନାକୁ ପ୍ରକାଶ କରିବାପାଇଁ କୁଣ୍ଠାବୋଧ କରିବେ। ଏକୁଟିଆ ରହିବାକୁ ପସନ୍ଦ କରିବେ ସେମାନେ।
ତା’ପରେ ତା’ପାଖକୁ ଯାଇ ତାକୁ କୋଳେଇ ଆଣି ପ୍ରୂରିଲି ଗେଲୁମା’ ତୁ କାହିଁକି କାନ୍ଦିଲୁ? ସେ କହିଲା, ତୁମେ, ମାମା ଆଉ ମାମୁନି ଦିଦି ସମସ୍ତେ ବଡ଼ ଲୋକ। ଆଉ ମୁଁ ତ ଏତେ ଛୋଟ ପିଲା ତେଣୁ ମୋ ସହ କେହିବି କଥା ହଉନ। ମୁଁ ବି ଟିକେ ମୋର ସାଙ୍ଗମାନଙ୍କର କଥା କହିଥା’ନ୍ତି। ମୋର ଡିବେଟ୍, ଡ୍ରଇଂ ପ୍ରତିଯୋଗିତାରେ ପାଇଥିବା ପୁରସ୍କାର ବାବଦରେ ବହୁତ କିଛି କଥା ଥିଲା, ମାମୁନି ଦିଦିକୁ ଜଣେଇ ଥା’ନ୍ତି। ତୁମେ ତ ଦେଲନି ଫୋନ୍ ? ଏବେ କାହିଁକି ପଚାରୁଛ ପିଉସୀମା? ମୋର ଭୁଲ୍ ହେଇଯାଇଛି ପରା। ହେଇ ଦେଖ, ମୁଁ କାନ ଧରୁଛି, ବୋଲି କହିଲି ତାକୁ। ତା’ପରେ ସଙ୍ଗେସଙ୍ଗେ ବୁଝି ଯାଇ ମୋ ହାତ କାନରୁ ବାହାର କରି ଆଣିଲା।
ଯଦି ମୁଁ ତା’ଠାରୁ ଏହି ସବୁ କଥା ପଚାରି ନଥା’ନ୍ତି। ତେବେ ହୁଏତ ସେ ତା ବାପା ମା’ଙ୍କୁ ଡରରେ କହିନଥା’ନ୍ତି ବା ତା’ ବାପା ମା “ସିଏ ଛୋଟ ପିଲା, ତା’ର କି କଥା କହିବାର ଥିଲା ଭାବି ତାକୁ ପଚାରି ନଥା’ନ୍ତେ?”
ଆଜ୍ଞା! ହଁ, ଛୋଟପିଲା ବା କୁନି ପିଲା ଭାବି ତାଙ୍କ ମନ ତଳର ଅବସ୍ଥାକୁ ବୁଝିବାପାଇଁ ଚେଷ୍ଟା କରନ୍ତୁ। କୋମଳ ମନର କୋମଳଭାବନାକୁ କେବେବି ଅଣଦେଖା କରନ୍ତୁ ନାହିଁ। ଅତି ଛୋଟ ଛୋଟ କଥାକୁ ସ୍ନେହରେ, ଆଦରରେ ବୁଝାଇ କୁହନ୍ତୁ। ରାଗରୋଷ ନ କରି ଯତ୍ନରସହ କୋଳେଇ ନେଇ, ଯେମିତି ସେମାନଙ୍କୁ କେବେବି ଅନୁଭବ ହେବାକୁ ଦେବାନାହିଁ, ଯେ ତାଙ୍କ କଥାକୁ ବି ଶୁଣିବା ପାଇଁ ସମସ୍ତଙ୍କର ସମୟ ଅଛି।
ନୀତିଶିକ୍ଷା- କୁନି ଶିଶୁର କୋମଳ ମନର କୋମଳ ଭାବନାକୁ କଷ୍ଟ ଦେବା ସଂସ୍କାର ନୁହଁ ସେହି କୋମଳ ମନର ଅକୁହା କୋମଳ କଥାକୁ ବୁଝିପାରିଲେ ସେମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ ନିଶ୍ଚିତ ଯେ ବିକଶିତ ହେବ ଏଥିରେ ସନ୍ଦେହ ନାହିଁ।

ଲିନୁର ପିଲାଦିନ


ଶିଶୁଟିଏ ଯେତେବେଳେ ମାତୃଗର୍ଭରୁ ଧରାପୃଷ୍ଠସ୍ଥ ହୁଏ, ସେତେବେଳେ ସେ ପ୍ରଥମେ ମା’ ସଂସ୍ପର୍ଶରେ ଆସେ। ତା’ପରେ ବାପା ଓ ପରିବାରର ଅନ୍ୟମାନଙ୍କ ସହ ତା’ର ସଂପର୍କ ଯୋଡ଼ିହୋଇଯାଏ। ସେ ବାପା ମା’ଙ୍କୁ ତା’ର ସବୁକିଛି ମାନି ବସିଥାଏ। ତାଙ୍କ ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ଭଲପାଏ। ଯଦି କୌଣସି କାରଣରୁ ଜଣକର ଅଭାବ ସେ ଅନୁଭବ କରେ, ତା’ର ଦୁନିଆ ତାକୁ ପୂରା ଅଧୁରା ଅଧୁରା ଲାଗେ। ଏହିଭଳି ଏକ ଘଟଣା ଘଟିଛି ଚୌଧୁରୀ ପରିବାରରେ।

odia gapa2


ବାହାଘରର ପାଞ୍ଚବର୍ଷ ପରେ ଲଲାଟ ଚୌଧୁରୀ ଓ ଲେଖା ଚୌଧୁରୀ କୋଳରେ ଖୁସିର ପସରା ନେଇ ନୂଆ ଅତିଥିଭାବେ ଜନ୍ମ ନେଇଛି ଲିନୁ। ଆନନ୍ଦରେ ଦୁଇଜଣଙ୍କର ପାଦ ଭୂଇଁରେ ଲାଗୁନାହିଁ। ପିଲାଟିକୁ ଖୁବ୍ ଆଦରଯତ୍ନରେ ବଢାଇଛନ୍ତି ପତିପତ୍ନୀ। କେଉଥିରେ କିଛି ବି ଉଣା କରି ନାହାନ୍ତି। ଖାଇବା ପିଇବାଠୁ ଆରମ୍ଭ କରି ପୋଷାକ ପତ୍ର ପର୍ଯ୍ୟନ୍ତ। ଦୁହିଁଙ୍କର ଅନାବିଳ ସ୍ନେହର ପରଶରେ ଶିଶୁକନ୍ୟାଟି ଶଶିକଳା ପରି ବଢ଼ିବାକୁ ଲାଗିଛି। ପୁନେଇଁ ଜହ୍ନଁ ପରି ଚେହେରା। ଲଲାଟ ତାକୁ ଘଡ଼ିଏ ନ ଦେଖିଲେ ମନଟା ତାଙ୍କର ଆଦୌ ବୁଝେ ନାହିଁ।
କିନ୍ତୁ ଏଇ କିଛି ଦିନ ହେବ, ସେ ଝିଅର ଭବିଷ୍ୟତକୁ ନେଇ ଅଧିକ ଚିନ୍ତିତ ହୋଇ ପଡ଼ିଛନ୍ତି। ସେ ଏକ ପ୍ରାଇଭେଟ କଂପାନୀରେ କାମକରନ୍ତି। ଆଠ-ନଅ ଘଣ୍ଟା ଖଟଣି। ମାସକୁ ମାତ୍ର ଦଶହଜାର ଟଙ୍କା ଦରମା। ସେଥିରେ ପରିବାରର ଦାୟିତ୍ବ। ତେଣୁ ସେ ଓଭର ଡିୟୁଟି କରିବେ ବୋଲି ମନସ୍ଥ କରିଛନ୍ତି। ଡିଉଟି ପରେ ଓଭର ଡିୟୁଟି କଲେ ଝିଅକୁ ଓ ସ୍ତ୍ରୀକୁ ଆଦୌ ସମୟ ଦେଇପାରିବେ ନାହିଁ ବୋଲି ସ୍ତ୍ରୀ ଲେଖାକୁ ଜଣାଇଦେଇଥିଲେ ଓ ଝିଅକୁ ନଜଣାଇବାପାଇଁ କହିଥିଲେ।
ତା’ପରେ ନିଜ କାମରେ ସେ ଲାଗିପଡ଼ିଲେ। ଓଭର ଡିୟୁଟି କରି ଆସିବା ପରେ ଖୁବ୍ ନିସ୍ତେଜ ହୋଇ ପଡ଼ୁଥିଲେ ଲଲାଟ। ତେଣୁ ଅଧିକ ସମୟ ବିଶ୍ରାମ ନେବାକୁ ପଡ଼ୁଥିଲା ତାଙ୍କୁ। ଏମିତି କିଛି ଦିନ ରୂଲିବା ଭିତରେ ସେ ଝିଅକୁ ଜମା ସମୟ ଦେଇପାରିଲେ ନାହିଁ। ତେଣୁ ଲିନୁ ବାପାଙ୍କୁ ଘରେ ନ ଦେଖି ମାଆଙ୍କୁ ପଚାରିଲା, ମା’… ମା…. ବାପା କୁଆଡ଼େ ଯାଉଛନ୍ତି, କିଛିଦିନ ହେଲା ମୁଁ ତାଙ୍କୁ ଘରେ ଦେଖିବାକୁ ପାଉନାହିଁ। ଆଉ ଯେତେବେଳେ ଦେଖୁଛି, ଖାଲି ଶୋଉଛନ୍ତି ….କ’ଣ ଦେହଭଲ ନାହିଁ କି ବାପାଙ୍କର? ଝିଅ ମୁହଁରୁ ଏଭଳି ପ୍ରଶ୍ନ ଶୁଣି ଲେଖାଟିକେ ହଡ଼ବଡ଼େଇ ଗଲେ। ଆଉ ମନକୁ ସ୍ଥିର କରି ସତ କହିଲେ, “ତୋ ବାପା ଏବେ ଓଭର ଡିୟୁଟି କରୁଛନ୍ତି, ତେଣୁ ସେ ଥକ୍କି ଶୋଇଯାଉଛନ୍ତି ପରା।”
ମା’ଙ୍କ କଥାକୁ ସେ ଠିକ୍ ରେ ବୁଝି ପାରିଲା ନାହିଁ ଓ ବାପାଙ୍କ ବିନା ତାକୁ ବିଲ୍କୁଲ ଭଲ ଲାଗୁନଥାଏ। ପାଣିବିନା ମାଛ ଯେମିତି ଛଟପଟ ହୁଏ, ଠିକ୍ ସେମିତି ତା’ ବାପା ବିନା ତାକୁ ଏକଦମ୍ ଅଣନିଃଶ୍ବାସୀ ଲାଗୁଥାଏ। ତେଣୁ ସେ ମନକୁ ମନ ଚିନ୍ତାକଲା, ଆଜି ବାପାଙ୍କ ସହ କଥା ହେବ। ତା’ପରେ ମା’ତାକୁ ଖାଇବାକୁ ଡାକିଲେ। କିନ୍ତୁ ସେ ରୋକ୍ ଠୋକ୍ ମନାକରି ଦେଲା ଓ କହିଲା “ବାପାଙ୍କ ସହ ସିଏ ଖାଇବ। ନହେଲେ ସେ ଉପାସ ରହିବ।”
ଆରେ ମା’, ବାପା ଆସୁଆସୁ ଡେରି ହୋଇଯିବ। ହଉ ଆଜି ମୋ ଗେହ୍ଲୀ ଝିଅକୁ ମୁଁ ଖୋଇଦେବି … କହିଲେ ଲେଖା। ଲିନୁ କିନ୍ତୁ ଅବୁଝା ଠିକ୍ ଏହି ସମୟରେ କଲିଂ ବେଲ୍ ବାଜିଲା। ଶବ୍ଦ ଶୁଣି ଆଗ କବାଟ ପାଖକୁ ସେ ଦୌଡ଼ିଗଲା ଓ କବାଟ ଖୋଲିଲା। ତାକୁ ଦେଖି ହଠାତ୍ ଚମକି ପଡ଼ିଲେ ବାପା ଏବଂ ପଚାରିଲେ, ମୋ ଧନ ଏତେ ପର୍ଯ୍ୟନ୍ତ ଆଜି ଶୋଇ ନାହିଁ କାହିଁକି? ତୁମେ ମୋତେ ଆଉ ଭଲ ପାଉନାହିଁ, ମୋ ସହ ଖେଳୁନାହଁ। ପରୀ ରାଇଜର କାହାଣୀ ଶୁଣାଉ ନାହଁ। ମୋତେ ବାହାରକୁ ବୁଲେଇ ନେଉନାହଁ। କେତେ ଦିନ ହେଲା ମୁଁ ତୁମ ହାତରୁ ଖାଇନାହିଁ ଜାଣିଛ ନା ନାହିଁ? ମୋ ମୁଣ୍ଡ କୁଣ୍ଡେଇ ଦେଇନ, ତେଲ ମଖେଇ ଦେଇନ ଏସବୁ ତୁମର ମନେ ଅଛି? ନା ମୋତେ ତୁମର ଓଭର ଡିୟୁଟି ପାଇଁ ସବୁ ଭୁଲି ଗଲ? କହି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ଲିନୁ।
ଝିଅ ଆଖିର ଲୁହ ଦେଖି କୋଉ ବାପା ସହିପାରିବ? ଝିଅକୁ ହାତରେ କୋଳେଇ ନେଇ ଗେଲକରି ତା’ ଆଖିରୁ ଲୁହ ପୋଛୁ ପୋଛୁ କହିଲେ, ତୁ ପରା ମୋ ଆତ୍ମା। ମୋ ଆଖିର ତାରା। ତୋ ଆଖିର ଲୁହ ମୁଁ କେବେ ସହି ପାରିବି କି? ମୋ ଧନ ଟା ପରା। ମୋ ଜୀବନଠାରୁ ତୋତେ ଅଧିକ ଭଲ ପାଏ।
ବାପାଙ୍କ କଥାଶୁଣି କାନ୍ଦ ବନ୍ଦ କରି ପଚାରିଲା, ବାପା! ଏ ଓଭର ଡିୟୁଟି କ’ଣ? ବାପା, ଲେଖାକୁ ଅନାଇ କହିଲେ, ଆଲୋ ମା’ ମୁଁ ଯେତିକି କାମ କରୁଥିଲି, ତାଠାରୁ ଟିକେ ଅଧିକ କାମ କରିବା। ଆଚ୍ଛା ଏଇଥି ପାଇଁ ତୁମକୁ ଅଧିକ ପଇସା ମିଳିବ? ହଁ। ଆଉ ସେଇଥିରେ ତୋ ଆଗାମୀ ଭବିଷ୍ୟତ ସୁନ୍ଦର ହେବ। ତେବେ ମୋତେ ଗୋଟେ କଥା କହିଲ ବାପା? ହଁ, କହ। ଆଗାମୀ ଭବିଷ୍ୟତ ପାଇଁ ତୁମେ ତୁମ ଗେହ୍ଲୀ ଝିଅର ପିଲାଦିନକୁ ହାତଛଡ଼ା କରୁନ ବାପା। ଯେଉ ସମୟ ପାଇଁ ତୁମେ ଆଜି ମୋ ଠାରୁ ଦୂରକୁ ଯାଉଛ। ସେହି ସମୟ ଆସିଲେ, ମୁଁ ଆଉ ତୁମ ପାଖରେ ନଥିବି ବାପା। ଆଉ କାହାଣୀ ଶୁଣିବାପାଇଁ ମୁଁ ତୁମ ପାଖରେ ଅଳିଅର୍ଦ୍ଦଳି କରିବି ନାହିଁ କି ବୁଲି ଯିବାପାଇଁ କି ଘୋଡ଼ା ପିଠିରେ ବସିବା ପାଇଁ କି ଚକ୍ଲେଟ୍ ପାଇଁ ଅଝଟ କରିବି ନାହିଁ ସେତେବେଳକୁ ମୋର ଏ ପିଲାଦିନ ନ ଥିବ ବାପା। ସେତେବେଳକୁ ମୁଁ ଖୁବ୍ ବଡ଼ ହୋଇଯାଇଥିବି।
ଛୋଟ ପିଲାର ମୁଣ୍ଡରେ ଏତେ ବୁଦ୍ଧି। ଏତେ ବକଟେ ପିଲା ସେ ଯାହା ଅନୁଭବ କରୁଛି, ମୁଁ କାହିଁକି ବାପା ହୋଇ ସେ କଥାକୁ ଚିନ୍ତା କରିପାରିଲି ନାହିଁ। ତୁ ମୋତେ ବହୁତ ବଡ଼ ଭୁଲ୍ କରିବାରୁ ରକ୍ଷାକଲୁ ମା’। ଆଜି ନ ହେଲେ, କାଲି ମୁଁ ଏକଥା ପାଇଁ ଖାଲି ଅବସୋସ କରିଥା’ନ୍ତି। ମୋତେ ତୋ ଭିବଷ୍ୟତ ପାଇଁ ଆଉ କିଛି ବ୍ୟବସ୍ଥା କରିବାକୁ ପଡ଼ିବ, କିନ୍ତୁ ବର୍ତ୍ତମାନ ସମୟକୁ ମୁଁ ମୋ ଝିଅ ସହ ଅତିବାହିତ କରିବି, ତା’ ମନରେ କେବେ ଦୁଖ ଦେବି ନାହିଁ, କି ତା’ ପିଲାଦିନକୁ ହାତଛଡ଼ା କରିବି ନାହିଁ।
ନୀତିଶିକ୍ଷା- ପ୍ରତ୍ୟେକ ଶିଶୁ ପ୍ରଥମେ ନିଜର ଜନ୍ମଦାତା ଜନ୍ମଦାତ୍ରୀଙ୍କ ଠାରୁ ସ୍ନେହ ଆଦର ଭଲପାଇବା ରୂହିଁଥାନ୍ତି। ସେତିକି ପାଇଗଲେ ତାଙ୍କୁ ସବୁ ସୁଖ ପାଇଲାପରି ଲାଗିଥାଏ।

ମାଆ ଆଖିର ଲୁହ

ପିଲାବେଳେ ଚଗଲାମି କରିବା, ଦୁଷ୍ଟାମି କରିବା, ବାହାରେ ସାଙ୍ଗମାନଙ୍କ ସହିତ ଝଗଡ଼ା କରି ଘରକୁ କଳି ଆଣିବା ଯଦିଓ କିଛି ଲୋକଙ୍କ ନଜରରେ ହୁଏତ ଅଗ୍ରାହ୍ୟ ହୋଇପାରେ, କିନ୍ତୁ ବାସ୍ତବରେ ଏହା ଗୋଟିଏ ଗୋଟିଏ ଶିଶୁ ସୁଲଭ ଗୁଣ। ତୁମେ, ମୁଁ, ସମସ୍ତେ ଏଇ ବୟସକୁ ବହୁତ ପଛରେ ପକାଇ ଆସିଛେ। କିନ୍ତୁ କେବେ ଭାବିଛ, ଆମ୍ଭମାନଙ୍କର ଏଇ ହଇରାଣ ହରକତ ପାଇଁ ଆମ ମା’ ମାନଙ୍କୁ କେତେ କଥା ବାହାରଲୋକଙ୍କଠାରୁ ଶୁଣିବାକୁ ପଡ଼ିଥାଏ?

odia gapa3


ହଁ, ଆଜ୍ଞ! ଏଇଭଳି ଏକ ଘଟଣା ଘଟିଛି ବାସୁଦେବପୁର ଗାଁରେ। ସୁରେନ୍ଦ୍ର ପଲେଇ ଓ ରମଣୀ ପଲେଇଙ୍କର ଗେଲବସର ଗେହ୍ଲାପୁଅ ରମଣ ପଲେଇ। ବାପା ମାଆ ଶ୍ରଦ୍ଧାରେ ରମଣକୁ ‘ରମୁ’ ବୋଲି ଡାକନ୍ତି। ରମୁକୁ ଯେତେବେଳେ ପାଞ୍ଚବର୍ଷ, ବାପା ସୁରେନ୍ଦ୍ରଙ୍କ ସହ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ତାଙ୍କର ଜୀବନ ନେଇଥିଲା। ଆଉ ପିଲାଟା ସବୁଦିନ ପାଇଁ ବାପ ଛେଉଣ୍ଡ ହୋଇଗଲା।
ଏଡ଼େ କଞ୍ଚା ବୟସରେ ରମଣୀ ବିଧବା ହବା, ତା’ଉପରେ ପୁଅର ସଂପୂର୍ଣ୍ଣ ଦାୟିତ୍ବ। ସ୍ବାମୀଙ୍କର ସ୍ମୃତିକୁ ଛାତିରେ ରୂପିଧରି ପୁଅର ସମସ୍ତ ଅଳି ଅର୍ଦ୍ଦଳି, ଦୁଷ୍ଟାମି, ଚଗଲାମିକୁ ଅଣଦେଖା କରିଛି। କାରଣ ସେ କେବେ ଚାହୁଁ ନଥିଲେ କି, ପୁଅ ମନରେ କାଣିଚାଏ ଦୁଖ ଲାଗୁ ଯେ ତା’ବାପା ଏ ଦୁନିଆରେ ନାହାନ୍ତି ବୋଲି। ଆଉ ସେଥିପାଇଁ ତାକୁ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିଛି।
ଏତେ କମ୍ ବୟସରେ ଦୁନିଆଁ ଦାରି ସେ ବା କ’ଣ ବୁଝିବ? ଆଉ ମା’ ମନର ଭାବନାକୁ କେମିତି ଜାଣିବ? ରମଣୀ ଛଡ଼ା କିଏ ଅଛି ରମୁର ଯେ, ତା’ଉପରେ ରୋକଟୋକ ଲଗାଇବ। ତେଣୁ ଦିନକୁ ଦିନ ତା’ର ବାଳୁଙ୍ଗାମି ବଢ଼ିବାରେ ଲାଗିଛି। ସାହି ପଡ଼ିଶାରୁ ଦୈନିକ ରମୁ ନାଁରେ ବହୁତ କିଛି ଶୁଣିବାକୁ ପଡୁଛି ତାକୁ। ଏମିତି କି ସ୍କୁଲ ପିଲାଙ୍କ ସହିତ ମାଡ଼ଗୋଳ କରି ଝଗଡ଼ା ଆଣିଛି ଘରକୁ। ସେମାନଙ୍କର ଅଭିଭାବକମାନେ ଅତିଷ୍ଠ ହୋଇ ଅଭିଯୋଗ କରିବାକୁ ପହଞ୍ଚତ୍ଛନ୍ତି ରମଣୀ ଘରେ।
ତାଙ୍କ ଭିତରେ ରିତାର ମା’ ଯିଏକି ତାଙ୍କ ଦୁଖ ସୁଖରେ ସବୁବେଳେ ଛିଡ଼ା ହୋଇଆସିଛନ୍ତି, କିନ୍ତୁ ସେ ବି ଆଜି ଆଗକୁ ଆସି କହିଲେ, ‘ରମଣୀ ରମୁକୁ ଟିକେ ବୁଝାସୁଝା କର, ସେ ସ୍କୁଲର ପିଲାମାନଙ୍କ ସହିତ ମାଡ଼ଗୋଳ ନକରୁ। ସେ କାହାକୁ ବି ଶାନ୍ତିରେ ପଢ଼ିବାକୁ ଦେଉନାହିଁ, କେତେବେଳେ କାହାର ଖାତା ଚିରୁଛି ତ କାହାର ପେନ୍ସିଲ ଭାଙ୍ଗୁଛି। ପୁଣି କାହାକୁ ଗୋଇଠା ମାରୁଛି ତ କାହାର ବାଳ ଝିଙ୍କୁଛି। ତା’ର ବାପ ନାହିଁ ବୋଲି ଆମେ ତାକୁ କିଛି କହୁନାହୁଁ। କିନ୍ତୁ ସହିବାର ଗୋଟେ ସୀମା ଅଛି ନା!’
ଶେଷରେ ଆମେ ବାଧ୍ୟ ହେଲୁ, ତୁମ ପାଖକୁ ଆସିବାକୁ। ଯଦି ତୁମେ ଏୟା ଭାବୁଥାଅ କି, ତାକୁ କିଛି କହିଲେ ବା ଗାଳି ଗୁଲଜ କଲେ ବା ଆକଟ କଲେ ସେ ମନ କଷ୍ଟ କରିବ, ଏହା ତୁମର ଭୁଲ ତୁମ ପିଲାପାଇଁ, କାରଣ ଏବେ ଯଦି ତୁମେ ତୁମ ପୁଅକୁ ଭଲ ମନ୍ଦ, ଭୁଲ ଠିକର ପରଖ ବା ଅନ୍ତର ନ କହିବ, ତେବେ ସେ ତୁମ ହାତରୁ ଖସି ଯିବ। ଏମିତି ହିଁ ପିଲାମାନେ ବିଗିଡ଼ିଥାନ୍ତି।
ଏ ସମାଜରେ ଏକୁଟିଆ ବାପ ବିନା ସନ୍ତାନକୁ ମଣିଷ କରିବା ଏତେ ସହଜ ନୁହେଁ, କିନ୍ତୁ କ’ଣ କରାଯିବ? ବିଧାତାଙ୍କର ଯାହା ଇଚ୍ଛା, କହିଲେ ରିତାର ମା’। ପାଟିରୁ କଥା ଛଡ଼େଇ ରମଣୀ କହିଲେ, କ’ଣ କରିବି ଭଉଣୀ! ରମୁଟା ଜମା ପାଠଶାଠ ପଢ଼ିବାକୁ ନାଁ ଧରୁନି। ଯେତେବେଳେ ଦେଖ ଖାଲି ଖେଳ। ଯେତେ ବୁଝାଇଲେ କୋଉ ସେ ବୁଝୁଛି ଯେ।
କ’ଣ କରିବି, କିଛି ବୁଝି ପାରୁନି। ଇଏ (ସ୍ବାମୀ) ଯଦି ଆଜି ଥାଆନ୍ତେ ତାକୁ ବୁଝେଇ ଶୁଝେଇ ଠିକ୍ ରାସ୍ତାକୁ ଆଣି ପାରନ୍ତେ। ମୋତେ ଆଉ କାହାର ଟାହି ଟାପରା ଶୁଣିବାକୁ ପଡ଼ି ନଥାନ୍ତା। ଭାବୁଥିଲି ସମୟ ସହିତ ସେ ବି ବଦଳିଯିବ, ଆଉ ମନ ଲଗାଇ ପାଠ ପଢ଼ିବ। କିନ୍ତୁ ମୋ ଭାବିବାରେ କ’ଣ ହେଉଛି?
ନାଇଁ ମୋତେ ହିଁ କିଛି ଉପାୟ ଚିନ୍ତା କରିବାକୁ ହେବ, କହି ସମସ୍ତଙ୍କୁ ରମୁ ତରଫରୁ କ୍ଷମା ମାଗି ନିଜ ଘରକୁ ଚାଲିଗଲା ଓ ଗାଁ ଲୋକମାନେ ଯେଝା ଘରକୁ ଯେଝେ ଗଲେ। ପିଲାର ଭବିଷ୍ୟତକୁ ନେଇ ଗଭୀର ଚିନ୍ତାରେ ବୁଡି ଯାଇଛି ରମଣୀ। ବିଛଣାରେ ପଡ଼ି ପଡ଼ି କେତେବେଳେ ଟିକେ ଛାଇ ନିଦ ଲାଗିଯାଇଛି। ଆଉ ସେ ସ୍ବପ୍ନରେ ଦେଖୁଛି, ଶ୍ରୀହରି ବିଷ୍ଣୁଙ୍କୁ। କି ଭାଗ୍ୟ ମୋର! ସତରେ କ’ଣ ମୋତେ ଦର୍ଶନ ଦେଉଛନ୍ତି ପ୍ରଭୁ ଗୋଲକ ବିହାରୀ। ଏ କେତେ ଜନ୍ମର ପୁଣ୍ୟଫଳ ପ୍ରଭୁ? ଏ ଗରିବ ମାଆକୁ ଧନ୍ୟ କରି ଦେଲେ…… ଆପଣ? ଆଖିରୁ ଲୁହ ଝରାଇ କହିଲା ରମଣୀ। ଆପଣଙ୍କୁ କ’ଣ ଅଛପା ଅଛି ପ୍ରଭୁ! ରମୁର ବାପା ଗଲାଦିନୁ ପିଲାଟାକୁ ଏକୁଟିଆ ସମ୍ଭାଳୁଛି। କିନ୍ତୁ…. ସେ ମୋତେ ମାନୁନାହିଁ ଜମା।
ହଁ, ରମଣୀ ମୋତେ କ’ଣ ବା ଅଛପା! ସୃଷ୍ଟିର ପାଳନ କର୍ତ୍ତ। ଭାବରେ ସବୁ ପ୍ରାଣୀଙ୍କର ଗତିବିଧି ଉପରେ ମୋର ଲକ୍ଷ୍ୟ। ସେ ଏଇ ବୟସରେ ଚଗଲାମି, ଦୁଷ୍ଟାମି କରିବନି ତ ଆଉ କେବେ କରିବ? ତୁମେ କାହିଁକି ଭୁଲି ଯାଉଛ, ଦ୍ବାପର ଯୁଗର ବିଷ୍ଣୁଙ୍କର ଶ୍ରୀକୃଷ୍ଣ ଅବତାରକୁ। ମା’ ଯଶୋଦା ତ ପୁଣି ଗୋପବାସୀଙ୍କର ସବୁ କଥାକୁ ସହ୍ୟ କରିଥିଲେ। ତୁମର ନଟଖଟ ରମୁ ବହୁତ ବୁଦ୍ଧିମାନ ଓ ବିଚକ୍ଷଣ। ଅଧୈର୍ଯ୍ୟ ନହୋଇ ଧୈର୍ଯ୍ୟ ଧର। ସେ ଖୁବ୍ ନାଁ କରିବ। ସମୟ ଆସିବ ଯେଉମାନେ ଆଜି ଆସି ତା’ ନାଁରେ ଅଭିଯୋଗ କରୁଛନ୍ତି ସେଇମାନେ ହିଁ ତା’ର ଭୂରି ଭୂରି ପ୍ରଶଂସା କରିବେ?
ଆଉ ସେଦିନ ତୁମେ ତା’ପାଇଁ ଗର୍ବ କରିବ। ସେଦିନ ଆଉ ବେଶୀ ଦୂର ନୁହଁ। କେବଳ ସମୟକୁ ଅପେକ୍ଷା କର। ସମୟ ଖୁବ ବଳବାନ। ରମଣୀକୁ ଆଶୀର୍ବ।ଦ କରି ଅଦୃଶ୍ୟ ହୋଇଗଲେ ଭଗବାନ ବିଷ୍ଣୁ। ହଠାତ୍ ରମଣୀର ନିଦ ଭାଙ୍ଗିଯାଇଛି। ଧଡ୍ କିନା ଉଠି ବସିଛି। ନଜର ପଡିଛି କାନ୍ଥରେ ଟଙ୍ଗା ହୋଇଥିବା ପତିଙ୍କ ଫଟୋ ଉପରେ। ଫଟୋଟିକୁ ଆଣି ଛାତିରେ ଚାପିଧରି ଛୋଟ ପିଲାଙ୍କ ଭଳି କାନ୍ଦିଛି ଗୁଡାଏ।
ମାଆ କାନ୍ଦ ଶବ୍ଦ ଶୁଣି ରମୁ ଉଠି ପଡ଼ିଛି ଓ ଛାନିଆ ହୋଇ ପଚାରିଛି ମା’….. ଏ ମାଆ ତୁମେ କାହିଁକି କାନ୍ଦୁଛ? ବାପାଙ୍କ କଥା କ’ଣ ତୁମର ମନେ ପଡୁଛି? ନାଇରେ ଧନ….. ଏତେବଡ ଦୁନିଆରେ ମୋର ବୋଲି ଆଉ କିଏ ଅଛି?
ତୋ ବାପାଙ୍କର କେଇପଦ କଥା ମୋର ମନେ ପଡିଗଲା ତେଣୁ…… ଆଜି ଯେତେବେଳେ ଗାଁ ଲୋକମାନଙ୍କ ଠାରୁ ଏତେ ସବୁ କଥା ଶୁଣିଲି…… ମନେମନେ ଭାବିଲି …. ତୋ ବାପାଙ୍କୁ ଦେଇଥିବା କଥା ମୁଁ ରଖି ପାରିଲି ନାହିଁ …. ମୁଁ ହାରିଗଲି କହି ଖୁବ ଜୋରରେ ପୁଅକୁ ଧରି କାନ୍ଦିଲେ। ମା’ର ଆଖିଲୁହକୁ ଦେଖି ରମୁ କ’ଣ ଭାବିଲା କେଜାଣି ସେ ବି ଖୁବ୍Ù କାନ୍ଦିଲା। ଆଉ କହିଲା, ମା’…. ମା’ମୁଁ ଆଉ କେବେ ଦୁଷ୍ଟାମି କରିବି ନାହିଁ। ମୁଁ ମନ ଦେଇ ପାଠ ପଢ଼ିବି। ତୁମେ ଆଉ କାନ୍ଦନି। ତୁମର ସବୁ କଥା ମାନିବି। ସ୍କୁଲ ପିଲାଙ୍କୁ ହଇରାଣ କରିବି ନାହିଁ। ମୁଁ ତୁମକୁ କଥା ଦଉଛି ମା’। କିନ୍ତୁ ତୁମେ ମୋତେ ଗୋଟେ କଥା ଦିଅ… ତୁମେ କେବେ ଆଉ କାନ୍ଦିବନି। ତୁମର ମାଡ଼, ଗାଳି ସବୁ ସହିଯିବି କିନ୍ତୁ ତୁମ ଆଖିରେ ଲୁହ କେବେ ସହିପାରିବିନି ମାଆ।
ଆଛା! ମୋ ଆଖିର ଲୁହ ଯଦି ତୁ ସହି ପାରୁନୁ, ତେବେ ମୋତେ ଏତେ ହଇରାଣ କାହିଁକି କରୁଛୁ? ତୁ ଜାଣିଛୁ… ରମୁ.. ତୋ ବାପା ତୋତେ ନେଇ କେତେ ସ୍ବପ୍ନ ଦେଖିଥିଲେ। ତୁ ଏ ଦେଶ ଓ ଜାତିର ନାଁ ରଖିବୁ। କିନ୍ତୁ ସେ ସବୁ ପୂରଣ ହେବା ଆଗରୁ ସେ ଆମକୁ ଏକୁଟିଆ କରି ଛାଡ଼ିଗଲେ।
ତା’ପରେ ବାପାଙ୍କର ଏଇ କଥା ଶୁଣି ରମୁ ମା’ଙ୍କ ପାଖକୁ ପାଖେଇ ଯାଇ ତା’ର କୁନି କୁନି ହାତରେ ଲୁହ ପୋଛିଦେଇ କହିଲା, “ତୁମ ମଥାରେ ହାତ ରଖି ଶପଥ କରି କହୁଛି ମା, ତୁମର ଏ ଅବାଧ୍ୟ ପୁଅ ଆଜି ଠାରୁ ଭଲ ମଣିଷ ହୋଇ ଦୁନିଆରେ ନାଁ କରିବି, ଯାହା ପାଇଁ ତୁମେ ନିଶ୍ଚୟ ଗର୍ବ କରିବ।”
ତା’ପରେ ସବୁ ଦୁଷ୍ଟାମି ଛାଡ଼ି ଶେଷରେ ପାଠରେ ମନ ଦେଲା। ବାର୍ଷିକ ପରୀକ୍ଷାରେ ସେ ଶ୍ରେଣୀରେ ପ୍ରଥମ ହେଲା। ୟାଭିତରେ ରମୁ ଖୁବ୍ ବଦଳି ଯାଇଛି ଓ ସବୁ ବର୍ଷ ପରି ସେ ଏ ବର୍ଷ ମଧ୍ୟ ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ହୋଇ ସେ ଅଞ୍ଚଳର ନାମ କରିଛି। ଏଇ ଖବର ଗାଁରେ ବିଜୁଳି ବେଗରେ ପ୍ରଘଟ ହୋଇ ଯାଇଛି।
ପୂର୍ବଥର ପରି ଗାଁର କିଛି ଲୋକଙ୍କ ସହ ହେଡ୍ମାଷ୍ଟର ମଧ୍ୟ ତା’ଘର ଦୁଆର ମୁହଁରେ ଉଭା। ତାଙ୍କୁ ଦେଖି ରମଣୀର ହାଲୁକ ଶୁଖିଯାଇଛି….। ଭୟରେ ବରଡ଼ା ପତର ପରି ଥରିବାକୁ ଲାଗିଛି। ପ୍ରଧାନଶିକ୍ଷକ କହିଲେ ରମୁର ମା’, ତୁମେ ଥରୁଛ କ’ଣ? ତୁମେ ଶୁଣି ଆଶ୍ଚର୍ଯ୍ୟ ହେବ ତୁମ ପୁଅ ଖାଲି ଆମ ସ୍କୁଲରେ ନୁହେଁ ପୂରା ଜିଲ୍ଲାରେ ଟପର ହୋଇଛି ଏହା ହେଉଛି ତୁମ କର୍ମ ଓ ବିଶ୍ବାସର ଫଳ।
ନୀତିଶିକ୍ଷା-
“ମାଆ ଅତୁଳନୀୟ, ଅବର୍ଣ୍ଣନୀୟ, ମାଆ ହିଁ ସନ୍ତାନର ଆଦ୍ୟଗୁରୁ। ମାଆଙ୍କ ଉପଦେଶ ମାନି ସମୟକୁ ଗୁରୁତ୍ବଦେଲେ ଭବିଷ୍ୟତ ଜୀବନ ସୁଖମୟ ହେବା ସହିତ ଜନ୍ମ ସାର୍ଥକ ହେବ। ଯେମିତି ମାଆର ଉପଦେଶ ମାନି ପାଠପଢ଼ି ରମୁ ପରୀକ୍ଷାରେ ଟପର ହୋଇ ଜିଲ୍ଲାର ସୁନାମ ଅର୍ଜ୍ଜନ କରିପାରିଲା। ହିନ୍ଦୀ ରେ ଗପ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ ।

ନିଷ୍ପାପ ହୃଦୟ


ଯେତେବେଳେ ପେଟରେ ଭୋକ ଥାଏ, ମଣିଷ କିଛିବି କରିବାକୁ ବାଧ୍ୟ ହୁଏ। ସେତେବେଳେ ସେ ଭୁଲ୍ ଠିକ୍, ଭଲମନ୍ଦ, ସମ୍ମାନ ଅସମ୍ମାନ କଥା କିଛି ଚିନ୍ତା କରିପାରେନାହିଁ। ଆଉ ଏହା କରିବା ପଛରେ କେବଳ ଦାରିଦ୍ୟ୍ର ଓ ଅସହାୟତା ଥାଏ। ସମାଜରେ ଏମିତି ବହୁତ ପିଲା ଅଛନ୍ତି ଯେଉମାନେ କି ଏହି ଦାରିଦ୍ୟ୍ର କଶାଘାତର ଶିକାର ହେଉଛନ୍ତି। ଆଉ ପ୍ରତିପତ୍ତିଶାଳୀ ବ୍ୟକ୍ତିମାନେ ହିଁ ଏହାର ଭରପୂର ଫାଇଦା ଉଠାଇଥାନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନରହରିପୁର ଗାଁ, ବେହେରା ସାହିରେ।

odia gapa4


ଗଣିଆ ବେହେରା ଓ ଭାରିଜା ଶୁକୁନି। ଦଶ ବର୍ଷର ପୁଅ ସନିଆ ଓ ଆଠ ବର୍ଷର ଝିଅ ଟିକିଲିକୁ ନେଇ ହସ ଖୁସିର ଛୋଟିଆ ସଂସାର। ଗଣିଆ ଗାଁରେ ଚକ୍ରଧରବାବୁଙ୍କ ଘରେ ମୂଲ ଲାଗି ପରିବାର ପ୍ରତିପୋଷଣ କରେ। ସର୍ବଶିକ୍ଷା ଅଭିଯାନ ଯୋଗୁଁ ବିନା ଶୁଳ୍କରେ ବହିପତ୍ର ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ସ୍କୁଲରେ ହୋଇଯାଏ, ଯାହାଦ୍ବାରା ପିଲାମାନଙ୍କର ଗୋଟିଏ ଓଳିର ଖାଇବା ଚିନ୍ତା ଓ ବହିପତ୍ରର ଖର୍ଚ୍ଚ ବାପା ମା’ଙ୍କୁ ବହନ କରିବାକୁ ପଡ଼ିନଥାଏ।
ନିୟମିତ ଗଣିଆକୁ କାମ ମିଳୁନଥିଲା। ତେଣୁ ଅନିୟମିତ ମଜୁରି ଯୋଗୁଁ କେବେ ଘରେ ଚୁଲି ଜଳେ ତ କେବେ ନାହିଁ। ଗୋଟେ ଗୋଟେ ଦିନ ପାଣି ପିଇ ପେଟର ଭୋକକୁ ଶାନ୍ତ କରିବାକୁ ପଡ଼େ। ଏମିତି ଏକ ସମୟରେ ଗଣିଆର ଦେହ ବହୁତ ଖରାପ ହେଲା। ଜ୍ବର ଏତେ ମାତ୍ରାରେ ବଢ଼ି ଯାଇଥିଲା; ମାନ ଦେହରେ ଖଇ ଭଜା ହେବ। ତା’ ଉପରେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ଔଷଧପତ୍ରକୁ ସମ୍ବଳ କାହିଁ? ଔଷଧ ଓ ଖାଦ୍ୟଭାବ ଯୋଗୁଁ ରୋଗ ଦିନକୁ ଦିନ ବଢିବାରେ ଲାଗିଲା। ଶେଷରେ ସେ ତା’ର ପିଲାଛୁଆଙ୍କୁ ଏକା କରି ଆରପାରିକୁ ରୂଲିଗଲା। ଗୋଟେ ମାସ ପରର ଘଟଣା।
ଗିରସ୍ତକୁ ଝୁରିଝୁରି ଶୁକୁନି ଆଖିରୁ ଲୁହ ଶୁଖିନି। ଯେମିତି ନିଜ ଦୁନିଆରେ ନିଜେ ହଜିଯାଇଛି। ଯେଉଠି ବସୁଛି ଜୀଅନ୍ତା ଶବପରି। ଗିରସ୍ତ ରୂଲିଗଲାନି ଯେ ଯେମିତି ତାକୁ ସାଂଗରେ ନେଇଗଲା। ସେ ଦୁହେଁ ଦୁହିଁଙ୍କ ପାଇଁ ବଳ ଥିଲେ। ଜନେ ପିଣ୍ଡ ହେଲେ ଆଉ ଜଣେ ପ୍ରାଣ। ଗରିବ ହେଲେ କ’ଣ ହେଲା, ପରିବାର ମଧ୍ୟରେ ଭରପୂର ଭଲପାଇବା ଓ ସ୍ନେହମମତା ଥିଲା। ସେ ସ୍ବପ୍ନରେ ସୁଦ୍ଧା ଭାବିନଥିଲା, ଯେ ସନିଆର ବାପା କେବେ ତାତକୁ ଛାଡ଼ି ଚାଲି ଯିବେ?
ଏତିକିବେଳେ ଘରସାମ୍ନାରେ ଥିବା ବୁଢାବରଗଛ ପାଖରେ ଧଳାକାର୍ ଟିଏ ଆସି ଲାଗିଲା। କାର୍ ରୁ ଧୋବଧାଉଳିଆ ସୁଟ ବୁଟ୍ ପିନ୍ଧା ବାବୁ ଜଣକ ଓହ୍ଲାଇଲେ ଓ ଶୁକୁନି ଘର ତାଟି ଖୋଲି ଭିତରକୁ ପଶିଲେ।
ଆରେ ଗଣିଆ ଘରେ ଅଛୁ? ବଡ ପାଟିରେ ଡାକ ପକାଇଲେ ଚକ୍ରଧରବାବୁଙ୍କ ବଡପୁଅ ସୁରେଶ; ଯିଏକି ପରିବାରସହ କଟକରେ ରହନ୍ତି। ବର୍ଷରେ ଦୁଇଥର ଛୁଟିକାଟିବାକୁ ଗାଁକୁ ଆସନ୍ତି। ପାଟିଶୁଣି ପିଲା ଦୁଇଜଣ ଘରୁ ବାହାରକୁ ଦୌଡ଼ି ଆସିଲେ। ଆରେ ପିଲେ ତୋ ବାପା କାହିଁ? ସବୁବର୍ଷଭଳି ନୂଆ ଲୁଗା, ମାଂସ ପାଇଁ ପଇସା, ଆମ୍ବ, ପଣସ, ପିଠା ଇତ୍ୟାଦି ଆମ ଘରୁ ଆଣେ। କିନ୍ତୁ ଏ ବର୍ଷ ତା’ର ଦେଖାଦର୍ଶନ ନାହିଁ। କ’ଣ ହୋଇଛି ତା’ର? ବାପା କହୁଥିଲେ ସେ ଏବର୍ଷ କୁଆଡେ ଯାଇନି। ପାଟିରୁ କଥା ଛଡ଼େଇ ସନିଆ କହିଲା, ବାବୁ; ବାପା ଆମସମସ୍ତଙ୍କୁ ଏକୁଟିଆ କରି ଆରପାରିକୁ ରୂଲିଗଲା। ଆଉ କ’ଣ ସେ କାମକୁ ଯିବ ବାବୁ? ବାପା ଗଲା ଦିନୁ, ଆମର ଉପାସ ଭୋକରେ ଦିନ କଟୁଛି। ମା’ତ ବାପାଙ୍କୁ ଝୁରିଝୁରି କଳାକାଠ ପଡିଲାଣି। ଆଉ ଆମ କଥା କିଏ ପ୍ରୂରେ।
ଏତେ ବକଟେ ପିଲାର ଚତୁର କଥାବାର୍ତ୍ତ। ଦେଖି ତାକୁ ସାଙ୍ଗରେ କଟକ ନେବାକୁ ମନସ୍ଥ କଲେ ସୁରେଶବାବୁ। ଆଉ ସେଠାରେ ସେ ରହି କାମ ପାଇଟି କରିବ। ତା’ ବଦଳରେ ତା ପରିବାରକୁ କିଛି ପଇସା ପ୍ରତିମାସ ପଠେଇ ଦେବି ବୋଲି ମନକୁ ମନ ଭାବୁଥା’ନ୍ତି ସୁରେଶ? ଆରେ ସନିଆ ତୋ ମା’କୁ ଟିକେ ଡାକିଲୁ, ତା’ସହ ମୋର ଟିକେ କଥା ଥିଲା। ସନିଆ ମା’କୁ ଡାକିବାରୁ ଶୁକୁନି ଦ୍ବାରା ମୁହଁରେ ଆସି ଛିଡ଼ାହେଲା। ଆରେ ଗଣିଆର କିଛି ପଇସା ଶୁଝିବାକୁ ଥିଲା। ଏଇ ଅବସ୍ଥାରେ ତୁମେ କେମିତି କ’ଣ କରିବ? ତେଣୁ ମୁଁ ଭାବୁଥିଲି ସନିଆକୁ ମୋ ସହ କଟକ ନେଇଯିବି। ସେଠି ସେ ବୁଲହାକ ଶୁଣିବ ଓ ସମୟ ମିଳିଲେ ମୋ ପୁଅସହ ପାଠ ପଢ଼ିବ। ଭଲରେ ଦିମୁଠା ଖାଇବା, ଭଲ ଜାମାପଟା ପିନ୍ଧିବ ଓ ଦି’ଅକ୍ଷର ପାଠ ପଢ଼ି ଭଲମଣିଷ ହବ।
ଶୁକୁନି କିଛି କହିବା ଆଗରୁ ବାବୁ ତାଙ୍କ ନିଷ୍ପତ୍ତି ଶୁଣାଇଦେଇ ସନିଆକୁ ନେଇ ରୂଲିଗଲେ। ସେଠି ଗଲାପରେ ପ୍ରଥମ ସପ୍ତାହ ଖୁବ୍ ଭଲରେ କଟିଲା ସନିଆର ଦିନ। କିନ୍ତୁ ତା’ପରର ଘଟଣା କହିଲେ ନସରେ। ତା’ପ୍ରତି ବାବୁ ବାବୁଆଣୀଙ୍କ ବ୍ୟବହାର ଖୁବ୍ ରୁକ୍ଷ ଥିଲା। ସେମାନଙ୍କର ନାଲିଆଖି ମିଶା ଟାଣଟାଣ କଥା… ସବୁବେଳେ ଖାଲି ବରାଦ… ଏଇଟା କର… ସେଇଟା କର… ଟିକେ ବସିବାକୁ ମଧ୍ୟ ଫୁରୁସତ୍ ନଥାଏ। ଦିନତମାମ କାମ କରିକରି ପିଲାଟା ହାଲିଆ ହୋଇ ଯାଉଥାଏ। ଆଉ ଭୋକ ବିକଳରେ ଖାଇବାକୁ ମାଗିଲେ ଦୁଇଟା ଗୋଇଠା ରୂପୁଡ଼ା ମିଳେ। କେବେକେବେ ମନରେ ଦୟାଆସିଲେ କଂସାଏ ପଖାଳ, ବରକୋଳି ଭଳି ଆଳୁଚକଟା ଓ ତେନ୍ତୁଳିଖଟା ସାଙ୍ଗକୁ ଲୁଣ ଟିକେ ମିଳେ ଖାଇବାକୁ। ଆଉ ସେମାନେ ରକମ ରକମର ଖାଦ୍ୟ ଡାଇନିଂ ଟେବୁଲରେ ବସି ଖୁସି ମଜାକରି ଖାଆନ୍ତି। ସେ ସବୁକୁ ସନିଆ ଦେଖି, ସହ୍ୟ କରିପାରୁ ନଥାଏ। କିନ୍ତୁ କ’ଣ କରିବ? ମନର କୋହ ଓ ପେଟର ଭୋକ (ମୋହ) ସାମ୍ନାରେ ହାର ମାନୁଥିଲା। କେବଳ ଆଖିର ଲୁହକୁ ନିଜର ଭାବି ବୋହେ କାନ୍ଦୁଥାଏ ଓ ବାପାଙ୍କୁ ଝୁରୁଥାଏ।
ତୁମେ ଜାଣିଛ ବାପା, ଏ ବଡବାବୁ, ମାଆ ପାଖରେ ଭଲ ଖାଇବି ଭଲ ଜାମା ପିନ୍ଧିବି ଆଉ ସାନବାବୁ ସାଙ୍ଗରେ ପଢିବି ବୋଲି କହି ମୋତେ କଟକ ନେଇଆସିଲେ। ଏଠି ଆସି ଦେଖେତ ବୁଲହାକ ନାଁରେ ଘର ଯାକର କାମ ସବୁ ମୋତେ କରିବାକୁ ପଡୁଛି। ଏମାନଙ୍କର ହୃଦୟ ନାହିଁ ବାପା। ମୁଁ ତ ସାନବାବୁ ବୟସର। ତାଙ୍କ ପୁଅକୁ ତ କିଛି କହୁନାହାନ୍ତି କରିବାକୁ। ଏମାନେ ଧନରେ ଧନୀ କିନ୍ତୁ ମନରେ ଛୋଟ। ଏମିତି କେତେ କ’ଣ କଥା ମନକୁ ମନ କରିହେଉଥାଏ ସନିଆ ବାପାଙ୍କ ଉପସ୍ଥିତିକୁ କଳ୍ପନାକରି।
ଏସବୁ ଘଟଣାକୁ ବାବୁଙ୍କ ପୁଅ ଲିଟନ କବାଟ ଫାଙ୍କରେ ଥାଇ ସବୁ ଶୁଣୁଥାଏ, ଦେଖୁଥାଏ ଓ ମନେ ମନେ ଡାଡି ମମିଙ୍କ ଉପରେ ରାଗୁଥାଏ, କି ସନିଆ ଉପରେ ସେମାନେ କାହିଁକି ଅତ୍ୟାରୂର କରୁଛନ୍ତି? ସନିଆର ବାପାତ କିଛି ଦିନ ପୂର୍ବରୁ ମରିଯାଇଛନ୍ତି। ତେବେ ସେ ଏସବୁ କାହାକୁ କହୁଛୁ? ଏମିତି ଏକ ମାସ ବିତିଯାଇଛି। ପାଖ ଗାଁରେ ଏକ ମେଳା ପଡିଛି। ଲିଟନ ମେଳା ଦେଖିଯିବ ବୋଲି ଜିଦ୍ କଲାରୁ ତାକୁ ନେଇ ବାବୁ ବାବୁଆଣୀ ମେଳା ବୁଲି ଯାଇଛନ୍ତି। ମେଳାରେ ଏତେ ଭିଡଯେ ସୋରିଷ ପକାଇଲେ ସୁଦ୍ଧା ତଳେ ପଡିବନି। ତା ସାଙ୍ଗକୁ ଚୋରି, ଡକାୟତି, ଲୁଟପାଟର ଭୟ। ଏଇଭିଡ଼ ମଧ୍ୟରେ ଲିଟନର ହାତ ବାବୁଙ୍କ ହାତରୁ କେତେବେଳେ ଛାଡବଡ଼ ହୋଇଯାଇଛି ଯେ କାହାକୁ ବି ଜଣାନାହିଁ।
ଲିଟନ ଡାଡିମମି କୁ ନ ପାଇ ଭୟରେ ଥରିବାକୁ ଲାଗିଲାଣି। ବିକଳ ହୋଇ କାନ୍ଦୁଥିବାର ଦେଖି ଜଣେ ଲୋକ ପାଖକୁ ଆସି କାନ୍ଦିବାର କାରଣ ପ୍ରୂରିଲା। ଲିଟନ ଭିଡ଼ରେ ହଜିଯାଇଛି ଓ ମମିଡାଡିକୁ ଖୋଜୁଛି, ପାଉ ନାହିଁ ବୋଲି କହିଲା।
ତୁ ବ୍ୟସ୍ତ ହଅନା ଛୁଆ। ମୋ ସାଙ୍ଗରେ ଆ। ଆମେ ଦୁଇ ଜଣ ସାଙ୍ଗ ହୋଇ ତୋ ଡାଡ଼ି ମମିଙ୍କୁ ଖୋଜିବା କହି ଗାଡ଼ି ପାଖକୁ ନେଇ ଆସି ଗାଡ଼ିରେ ଜୋର କରି ବସାଇ ଦେଲା। ଡ୍ରାଇଭରକୁ ଆଗ ଛକକୁ ନେବାପାଇଁ କହିଲା। ଛକ ପାର ହୋଇ ଗାଡି ଆଗକୁ ରୂଲିଲା। ସେତିକିବେଳେ ଲିଟନ ପ୍ରୂରିଲା ମୋ ଡାଡି ମମିକୁ ଖୋଜିଥାନ୍ତେ ପରା, ତମେ ମୋତେ କୁଆଡେ ନଉଛ। ଗାଡି ରଖ… ଗାଡି ରଖ କହି କାର୍ର କାଚକୁ ଖୁବ୍ ଜୋରରେ ବାଡେଇଲା। ସେମାନେ ତାର ହାତ ଓ ମୁହଁରେ କପଡ଼ାରେ ବାନ୍ଧିଦେଲେ। ଆଉ ଧମକ ଦେଇ କହିଲେ, ବେଶି ପାଟି କଲେ ତୋ ଖପୁରି ଉଡେଇ ଦେବି। ଡରରେ ଲିଟନ କେବଳ ଡାଡିମମିକୁ ମନେ ପକାଇ କାନ୍ଦୁଥାଏ।
ଏଣେ ପୁଅର ନିଖୋଜ ଖବର ବାବୁ ଥାନାରେ ଦେଲେ ଏବଂ ନିରୁପାୟ ହୋଇ ସନ୍ଧ୍ୟାରେ ଘରକୁ ଫେରିଲେ। ସାନବାବୁ କୁଆଡେ ଗଲେ ବୋଲି ସନିଆ ଦୌଡ଼ି ଯାଇ ପ୍ରୂରିଲା ବାବୁଙ୍କୁ। ଦୁଖରେ ମର୍ମ।ହତ ହୋଇ କାନ୍ଦିକାନ୍ଦି କହିଲେ ବାବୁଆଣୀ! ପୁଅ ମେଳାରେ କୁଆଡ଼େ ହଜିଗଲାରେ ସନିଆ? ସେ ଘରେ ତା’ର ଅତି ନିଜର କହିଲେ ସାନବାବୁ ଥିଲେ? ତାଙ୍କୁ ଭଲରେ ରଖିଥିବ ଠାକୁରେ, କହିଲା ସନିଆ।
ସାନବାବୁଙ୍କ କଥା ଭାବି ଭାବି ତାକୁ ଭାରି ଦୁଖ ଲାଗୁଥାଏ। ସେ ତାଙ୍କ ପାଇଁ କ’ଣ କରିବ…? ହଠାତ୍ ଘନିଆ ଭାଇ କଥା ମନେପଡିଲା ତା’ର। ଯିଏ ତାଙ୍କ ଗାଁ ପାଖ ଲୋକ। ଭାରି ପାରିବାର ପିଲାଟିଏ। ଏକ ନିଃଶ୍ବାସେ ତା’ପାଖକୁ ଦୌଡ଼ିଲା ଏବଂ କହିଲା, ଘନିଆ ଭାଇ ମୋତେ ଟିକେ ସାହାଯ୍ୟ କରିବ? ହଁ। କହ। ମୋ ସାନବାବୁ ମେଳାରେ କୁଆଡ଼େ ହଜି ଯାଇଛନ୍ତି। ତାଙ୍କୁ ଟିକେ ଖୋଜିବା ରୂଲ। ଦୟାଳୁ ଘନିଆ ନିଜର କାମ ଧନ୍ଦା ଛାଡ଼ି ସନିଆ ସାଙ୍ଗରେ ବାହାରିଗଲା। ମେଳା ପଡ଼ିଆ ପାଖରେ ପହଞ୍ଚତ୍ ସମସ୍ତଙ୍କୁ ପଚରା ଉଚରା କରିବାରୁ ଜଣେ ବୃଦ୍ଧଲୋକ ଏ ବାବଦରେ ଜାଣିଛି ବୋଲି କହିଲା। ବୃଦ୍ଧଲୋକ କହିବା ଅନୁଯାୟୀ ସେମାନେ ଜଙ୍ଗଲ ଆଡକୁ ମାଡିରୂଲିଲେ। କିଛିବାଟ ଅତିକ୍ରମ କଲାପରେ ଦେଖିଲେ ବାଉଶ ଘେରା ଘର ବାହାରେ ଦୁଇ ବନ୍ଧୁକଧାରୀ ପହରା ଦେଉଛନ୍ତି। ସେମାନଙ୍କ ପଛପଟୁ ପାଦ ଚାପି ଚାପି ସେ ଘର ଆଡକୁ ଆଗେଇଲେ ଦୁଇଜଣ। ଦୁଇ ବାଉଶ ଫାଙ୍କରେ ସାନବାବୁଙ୍କୁ ଲୁହା ଝଞ୍ଜିରାରେ ବନ୍ଧା ହେବାର ଦେଖିଲେ ସେମାନେ। ତା’ପରେ ସେମାନେ ପତ୍ର ଆଢ଼ୁଆଳରେ ଲୁଚି ପ୍ରହରୀ ଦୁଇ ଜଣଙ୍କର ଗତିବିଧିକୁ ଲକ୍ଷ୍ୟ କଲେ। କିଛି ସମୟପରେ ସେମାନେ ଥକ୍କା ମେଣ୍ଟାଇବା ଆଳରେ ସେଇଠି ଶୋଇପଡିଲେ।
ୟାର ସୁଯୋଗ ନେଇ ସେମାନେ ଲିଟନକୁ ସେଠାରୁ ବହୁ କଷ୍ଟରେ ମୁକୁଳାଇ ଘରକୁ ଆଣିଲେ। ଘରେ ବାବୁ ବାବୁଆଣୀ ପୁଅକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ। ଲିଟନ ପାଖରୁ ସବୁକଥା ଶୁଣି ସନିଆକୁ କ୍ଷମା ମାଗିଲେ ବାବୁ ବାବୁଆଣୀ। ତୁମେ ମୋ ବାପା ମା’ ଭଳି। ସନିଆ କହିଲା, ବାବୁ! ମୋତେ କାହିଁକି କ୍ଷମା ମାଗୁଛନ୍ତି। ବଡମାନେ କ’ଣ ସାନ ମାନଙ୍କୁ କ୍ଷମା ମାଗନ୍ତି? ନାଇରେ ସନିଆ, ତୁ ସାନ ହୋଇ ମଧ୍ୟ ଆଜି ଆମ ପାଇଁ ବହୁତ ବଡ଼ ହୋଇଯାଇଛୁ। ନାଇ…. ବାବୁ ସେମିତି କୁହନ୍ତୁନି। ମୋ ବାପାଙ୍କୁ ହରେଇଛି ଆଉ ମା’ ଭଉଣୀ ଠାରୁ କେତେ ଦୂରରେ ଅଛି। ସେମାନଙ୍କ ଠାରୁ ଦୂରେଇ ମୁଁ କେତେ କଷ୍ଟ ପାଉଛି, ମୁଁ ଜାଣେ ବାବୁ। ଆଉ ସାନବାବୁ ଦୁଖ କ’ଣ କେବେ ଜାଣି ନାହାନ୍ତି। ତୁମ ଦୁଇ ଜଣଙ୍କ ଠାରୁ ଦୂରେଇ ସେ କେମିତି ନିଜକୁ ସମ୍ଭାଳିଥିବେ ତାହା ମୁଁ ଅନୁଭବ କରିପାରୁଥିଲି।
ଏହି ନିଷ୍ପାପ ହୃଦୟରେ ଆମପ୍ରତି କେତେ ଭଲପାଇବା, କେତେ ସ୍ନେହମମତା, କେତେ ସମ୍ମାନବୋଧ ଅଛି ତାହା ତାର ଆଖିରେ ସ୍ପଷ୍ଟ ଝଲସି ଉଠୁଥିଲା। ଆଉ ଆମେ ତାକୁ ପର ପିଲା ଭାବି କେତେ ଅତ୍ୟାରୂର କରିଛେ ଭଲରେ ମୁଠେ ଖାଇବାକୁ ଦେଇନେ, ଭଲ ଖଣ୍ଡେ ପିନ୍ଧିବାକୁ ଦେଇନେ। ସ୍ନେହରେ କଥା ପଦେ କହିନେ। ତୁ ଆମ ଆଖି ଖୋଲି ଦେଇଛୁ ସନିଆ। ତୋର ଏଇ ‘ନିଷ୍ପାପ ହୃଦୟ’ ଆମ ଆଖିରେ ଥିବା ଗର୍ବ, ଅହଂକାରର ପରଦାକୁ ହଟେଇ ଦେଇଛି ବାପ। ଆଜିଠାରୁ ତୁ ଲିଟନ ସାଙ୍ଗରେ ଏକା ସ୍କୁଲରେ ପଢିବୁ। ଆଉ ତୋ ଭଉଣୀ ମଧ୍ୟ। ତୋ ମା’ ଓ ତୁ ସମସ୍ତେ ଆମ ଘରେ ଆମ ସାଙ୍ଗରେ ଏକାଠି ରହିବ।
ନୀତିଶିକ୍ଷା-ନିରହଂକାର ନିଃଷ୍ପାପ ଶିଶକୁ ଭଲପାଇଲେ ଏବଂ ନିଜର ସନ୍ତାନ ପରି ଭାବିନେଲେ ସର୍ବଦେବାଦେବୀଙ୍କ କୃପା ମିଳିଥାଏ। ଏଣୁ ବିପଦରେ ପଡ଼ିଥିବା କୌଣସି ଲୋକକୁ ତାର ସରଳତାର ସୁଯୋଗ ନେଇ ନିଜର ସୁଖ ସମୃଦ୍ଧି ନିମନ୍ତେ ଅନ୍ୟକୁ ଦୁଖକଷ୍ଟ ଦେବା ଅନୁଚିତ।

Artificial Intelligence in Odia ଆର୍ଟିଫ଼ିଶିୟାଲ ଇନ୍ଟେଲିଜେନ୍ସ ଶିଖନ୍ତୁ ଓଡିଆରେ

Leave a Comment