ଉପକ୍ରମ :
ଆମ ଚାରିପାଖରେ ଅଛି ମାଟି, ପାଣି, ପବନ ଓ ବୃକ୍ଷରାଜି । ଆମ ଘର ଚାରିପାଖରେ ଏହିସବୁ ଘେରି ରହିଛି । ତେଣୁ ଏଗୁଡ଼ିକ ଆମର ପରିବେଶ । ପରିବେଶ ଦୂଷିତ ହେଲେ ଆମ୍ଭେମାନେ ଆଗେ ଅସୁସ୍ଥ ହୋଇପଡ଼ିବା । ପରିବେଶ ଭଲ ରହିଲେ ଆମେ ସୁସ୍ଥ ଓ ନିରୋଗ ଜୀବନ ନେଇ ଚଳିବା ।
ପରିବେଶ ଦୂଷିତ ହେବାର କାରଣ :
ବିଭିନ୍ନ କାରଣରୁ ପରିବେଶ ଦୂଷିତ ହୁଏ । ଜଙ୍ଗଲ କ୍ଷୟ ଯୋଗୁ ପରିବେଶ ନଷ୍ଟ ହୁଏ । ଜଙ୍ଗଲ କାଟିଦେବା ଦ୍ଵାରା ଆମ୍ଭେମାନେ ଅମ୍ଳଜାନ ପାଇପାରୁ ନାହୁଁ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବଢ଼ୁଛି । ଠିକ୍ ସମୟରେ ବର୍ଷା ହେଉ ନାହିଁ । ମାଟି ଧୋଇ ହୋଇଯାଉଛି ।
ଜନସଂଖ୍ୟା ବୃଦ୍ଧି ଯୋଗୁଁ ଘର କରିବା ଲାଗି ଅଧିକ ଜାଗା ଓ ବହୁତ କାଠ ଦରକାର । କଳକାରଖାନା ନିର୍ମ।ଣ ଯୋଗୁ ବାୟୁମଣ୍ଡଳ ଧୂଳି, ଧୂଆଁରେ ଆଚ୍ଛାଦିତ ହୋଇଯାଉଛି । ବିଶୁଦ୍ଧ ବାୟୁ ମିଳୁ ନାହିଁ । ଜାଳେଣି ଜଳିବାରୁ ଉତ୍ତପ୍ତ ଗ୍ୟାସ୍ ନିର୍ଗତ ହେଉଛି। କାଠ, କୋଇଲା, ପେଟ୍ରୋଲ, ଡିଜେଲ ଓ କିରୋସିନି ଜଳିବା ଦ୍ଵାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବଢ଼ିଯାଉଛି । ଏହା ବାୟୁକୁ ଦୂଷିତ କରୁଛି ।
ଗାଆଁ ନିକଟରେ ଶ୍ମଶାନ, ଗାଆଁ ପୋଖରୀରେ ଦଳ ଓ ଘର ପାଖରେ ଅଳିଆ ଆବର୍ଜନା ରହିଲେ ବାୟୁ ଦୂଷିତ ହୁଏ । ଯାନବାହନ ଚଳାଚଳରେ ବାୟୁ ଦୂଷିତ ହୁଏ । ଗାଆଁ ପୋଖରୀରେ ଗୋରୁ, ମଇଁଷି ଆଦି ଗାଧୋଇଲେ ଜଳ ଦୂଷିତ ହୁଏ । ପୋଖରୀ ହୁଡ଼ାରେ ମଳତ୍ୟାଗ କଲେ ବର୍ଷା ପାଣିରେ ତାହା ପୋଖରୀ ଜଳରେ ମିଶେ । ପୁଣି କୀଟନାଶକ ଔଷଧର ଗନ୍ଧ ବାୟୁରେ ମିଶିଲେ ବାୟୁ ଦୂଷିତ ହୁଏ ।
ପରିବେଶ ସୁରକ୍ଷା କରିବାର ଉପାୟ :
ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ । ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦେବା ବିଧେୟ । ବୃକ୍ଷରୋପଣ କାର୍ଯ୍ୟ ତ୍ଵରାନ୍ବିତ କରାଯିବା ଉଚିତ । ବୈଜ୍ଞାନିକ ଉପାୟରେ କାରଖାନାରେ ବିଷାକ୍ତ ବାଷ୍ପକୁ ବିଶୋଧନ କରାଯାଉ । ବଡ଼ବଡ଼ ନଦୀ ଜଳକୁ ବିଶୋଧନ କରାଯିବା ଦରକାର । ଦୈନିକ ସମ୍ବାଦପତ୍ର, ରେଡ଼ିଓ ଓ ଟିଭି ମାଧ୍ୟମରେ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପ୍ରଚାର କରାଯାଉ ।
ଶେଷକଥା :
ପରିବେଶ ଭଲ ରହିଲେ ସମସ୍ତେ ସୁସ୍ଥ ନିରାମୟ ଜୀବନଯାପନ କରିବେ, ପରିବେଶକୁ ସୁରକ୍ଷା କରିବା ଦାୟିତ୍ଵ ସମସ୍ତଙ୍କର, ପରିବେଶର କ୍ଷତି ହେଲେ ମାନବ ସମାଜର ପତନ ଘଟିବ । ମାନବ ଜାତିକୁ ରକ୍ଷା କରିବାକୁ ହେଲେ ପରିବେଶ ସୁରକ୍ଷା ଏକାନ୍ତ ଆବଶ୍ୟକ ।