U19 ବିଶ୍ୱକପ୍‌ ୨୦୨୪ : ଶନିବାର ଭାରତ-ବାଂଲାଦେଶ ମୁକାବିଲା techguruodia


ବ୍ଲୋଏମ୍ଫଟନ ୨୦। ୦୧ : ଆରମ୍ଭ ହୋଇଛି ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ । ଶନିବାର ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଓ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ପରସ୍ପରକୁ ଭେଟିବେ । ଉଭୟ ଦଳ ଶେଷ ୨ଟି ସଂସ୍କରଣର ଚାମ୍ପିଅନ୍‌ ହୋଇଥିବାରୁ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ରହିବ ।

ଗତ ଡିସେମ୍ବରରେ ଅନୁଷ୍ଠିତ ୧୯ବର୍ଷରୁ କମ୍‌ ଏସିଆ କପ୍‌ରେ ଭାରତକୁ ହରାଇ ବାଂଲାଦେଶ ଚାମ୍ପିଅନ୍‌ ହୋଇଥିଲା । ଏଥର ଭାରତ ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ଅଧିନାୟକ ଉଦୟ ସହରନଙ୍କ ଅଧିନରେ ଯୁବ ଦଳ ଚମତ୍କାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ଦଳରେ ଆର୍ସିନ କୁଲକର୍ଣ୍ଣୀ, ସୌମ୍ୟ କୁମାର ପାଣ୍ଡେ, ଆରାଭେଲି ଅଭନିଶଙ୍କ ଭଳି ପ୍ରତିଭାବାନ ଖେଳାଳି ରହିଛନ୍ତି । ଆର୍ସିନଙ୍କୁ ନେଇ ସମ୍ପ୍ରତି ବେଶ୍‌ ଚର୍ଚ୍ଚା ରହିଛି । ସେ ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର । ଦଳ ପକ୍ଷରୁ ଓପନ୍‌ କରୁଛନ୍ତି ।

ଆର୍ସିନ ଓ ଅଭନିଶ ଏଥର ଆଇପିଏଲ୍‌ ନିଲାମରେ ନଜରକୁ ଆସିଥିଲେ । ଆର୍ସିନଙ୍କୁ ଲକ୍ଷ୍ନୌ ଓ ଅଭନିଶଙ୍କୁ ଚେନ୍ନାଇ ସୁପରକିଙ୍ଗ୍‌ସ କିଣିଥିଲେ । ଏମାନଙ୍କ ବ୍ୟତୀତ ମୁମ୍ବାଇର ମୁସିର ଖାନ୍‌ ମଧ୍ୟ ନଜରରେ ରହିବେ । ସେ ସର୍ଫରାଜ ଖାନ୍‌ଙ୍କ ସାନ ଭାଇ । ମାତ୍ର ୮ବର୍ଷ ବୟସରୁ ସେ ସିନିୟର ସ୍ତରରେ କ୍ଲବ୍‌ କ୍ରିକେଟ୍‌ ଖେଳୁଛନ୍ତି । ଆରାଧ୍ୟ ଶୁକ୍ଳା, ସୌମ୍ୟ ଓ ଆର୍ସିନ ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ ।




Leave a Comment