Under-19 Cricket World Cup 2024 Start From Today-Prameyanews7 techguruodia


ଜୋହାନ୍ସବର୍ଗ ୧୯।୦୧ : ଆରମ୍ଭ ହେବାରୁ ଯାଉଛି ଜୁନିୟର ବିଶ୍ୱକପ୍‌ । ଶୁକ୍ରବାରଠୁ ଦକ୍ଷିଣ ଆଫ୍ରିକାରେ  ଆରମ୍ଭ ହେବ ୧୯ବର୍ଷରୁ କମ ଦିନିକିଆ ବିଶ୍ୱକପ୍‌ର ୧୫ତମ ସଂସ୍କରଣ । ଏଥିପାଇଁ ଦକ୍ଷିଣ ଆଫ୍ରିକାରେ ସମସ୍ତ ଦଳ ପହଞ୍ଚି ଜୋରଦାର ଅଭ୍ୟାସ କରିଛନ୍ତି ।  ପ୍ରଥମ ଦିନରେ ରହିଛି ୨ଟି ମ୍ୟାଚ୍‌। ଆୟୋଜକ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଉଦ୍‌ଘାଟନୀ  ମୁକାବିଲା ଖେଳାଯିବ । ସେହିପରି ଅନ୍ୟ  ଏକ ମ୍ୟାଚ୍‌ରେ ଆମେରିକା(ୟୁଏସ୍‌ଏ) ଓ  ଆୟର୍ଲାଣ୍ଡ ପରସ୍ପରକୁ ଭେଟିବେ । ଆସନ୍ତା ୨୦ ତାରିଖରେ  ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ ।

ଚଳିତ ବିଶ୍ୱକପ୍‌ରେ ମୋଟ ୪୧ଟି ମ୍ୟାଚ୍‌ ଖେଳାଯିବ । ମୋଟ ୫ଟି ଷ୍ଟାଡିୟମ୍‌ ଖେଳାଯିବ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ । ୫ଟି ଷ୍ଟାଡ଼ିୟମ୍‌ ଯଥାକ୍ରମେ : ପୋଏଷ୍ଟ୍ରୁମ,  ବ୍ଲୋଏମ୍ଫଟନ, ବେନୋନି, କିମ୍ବର୍ଲି ଓ  ଇଷ୍ଟ ଲଣ୍ଡନ ରହିଛି । ତେବେ ବେନୋନିରେ ସେମି  ଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ  ହେବ । ଏଥର ଜୁନିୟର ବିଶ୍ୱକପ୍‌ ପାଇଁ  ଶ୍ରୀଲଙ୍କା ଆୟୋଜକ ରହିଥିଲା । ମାତ୍ର  ବୋର୍ଡରେ ରାଜନୈତିକ ହସ୍ତକ୍ଷେପକୁ ଆଧାର କରି ଶ୍ରୀଲଙ୍କାରୁ ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଶ୍ରୀଲଙ୍କା  ଆୟୋଜକ ଦେଶ ଭାବେ ଟୁର୍ଣ୍ଣାମେଣ୍ଟକୁ ଯୋଗ୍ୟତା ଅର୍ଜନ କରିଛି ।

୨୦୨୨ ସଂସ୍କରଣ  ଖେଳିଥିବା ସବୁ ଦଳ ମଧ୍ୟ ସିଧା ସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି ।  ବାକି ୫ଟି ଦଳ ଆଞ୍ଚଳିକ ଯୋଗ୍ୟତା  ପର୍ଯ୍ୟାୟ ଖେଳି ବିଶ୍ୱକପ୍‌କୁ ଉନ୍ନୀତ ହୋଇଛନ୍ତି । କୋଭିଡ୍‌ କଟକଣା ଯୋଗୁ  ଗତ ସଂସ୍କରଣ ଖେଳିନଥିବା ନ୍ୟୁଜିଲାଣ୍ଡ  ଏଥର ପୂର୍ବ ଏସିଆ-ପାସିଫିକ୍‌ ଯୋଗ୍ୟତା ପର୍ଯ୍ୟାୟ ଖେଳି ବିଶ୍ୱକପ୍‌ରେ ପହଞ୍ଚିଛି । ଆଫ୍ରିକାରୁ ନାମିବିୟା, ଏସିଆରୁ ନେପାଳ,  ୟୁରୋପ୍‌ରୁ ସ୍କଟଲାଣ୍ଡ ଓ ଆମେରିକାରରୁ  ୟୁଏସ୍‌ଏ ଯୋଗ୍ୟତା ଅର୍ଜନ କରିଛନ୍ତି । 

ଚଳିତ ବର୍ଷ ନୂଆ ଫର୍ମାଟ୍‌ରେ ଖେଳାଯିବ ସମସ୍ତ ମ୍ୟାଚ୍‌ । ଏଥର ଫର୍ମାଟ୍‌ ବେଶ୍‌ ରୋମାଞ୍ଚକର ରହିଛି । ୧୬ଟି ଦଳକୁ ୪ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ପ୍ରତି ଗ୍ରୁପ୍‌ରେ  ୪ଟି ଲେଖାଏଁ ଦଳ ରହିଛନ୍ତି । ପ୍ରତି ଗ୍ରୁପ୍‌ରୁ  ୩ଟି ଲେଖାଏଁ ଦଳ ପରବର୍ତ୍ତୀ ରାଉଣ୍ଡ୍‌କୁ  ଯୋଗ୍ୟତା ଅର୍ଜନ କରିବେ । ଯୋଗ୍ୟତା ଅର୍ଜନ କରିଥିବା ୧୨ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯିବ । ପ୍ରତି ଗ୍ରୁପ୍‌ରେ ୬ଟି ଲେଖାଏଁ ଦଳ ରହିବେ ।  ଏହି ରାଉଣ୍ଡ୍‌ର ନାମ ରଖା ଯାଇଛି ସୁପର  ସିକ୍ସ । ରାଉଣ୍ଡ ରବିନ ଫର୍ମାଟ୍‌ରେ ଏହି  ପର୍ଯ୍ୟାୟ ଖେଳାଯିବ । ଉଭୟ ଗ୍ରୁପ୍‌ରୁ ଶ୍ରେଷ୍ଠ  ୨ଟି ଲେଖାଏଁ ଦଳ ସେମି ଫାଇନାଲ୍‌କୁ  ଯୋଗ୍ୟତା ଅର୍ଜନ କରିବେ । ଏତିକିରେ  ଟୁର୍ଣ୍ଣାମେଣ୍ଟ ଶେଷ ହେବ ନାହିଁ । ପ୍ରଥମ  ପର୍ଯ୍ୟାୟରୁ ବାଦ ପଡ଼ିଥିବା ୪ଟି ଦଳ  ପୁନର୍ବାର ପରସ୍ପରକୁ ଭେଟିବେ ଓ ପ୍ରତ୍ୟେକ ଦଳର ସ୍ଥାନ ଚୂଡ଼ାନ୍ତ ହେବ।




Leave a Comment