US and UK conduct fresh strikes on Houthi targets techguruodia


ୱାସିଂଟନ ୨୩।୧: ୟେମେନସ୍ଥିତ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକା ଓ ବ୍ରିଟେନ ସେନା ଆକ୍ରମଣ ବୃଦ୍ଧି  ହୋଇଛି। ପେଣ୍ଟାଗନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆମେରିକା ଓ ବ୍ରିଟେନ ସେନା ସୋମବାର ୟେମେନସ୍ଥିତ ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ଆକ୍ରମଣ କରିଛନ୍ତି। ଏଥିରେ ହୁତିମାନଙ୍କ ଅଣ୍ଡରଗ୍ରାଉଣ୍ଡ ଷ୍ଟୋରେଜ୍ ଓ ମିଜାଇଲ ସର୍ଭିଲାନ୍ସ କ୍ୟାପାବିଲିଟିକୁ ଧ୍ୱଂସ୍ତ କରାଯାଇଛି। ୬ ଦେଶଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ମିଳିତ ବୟାନ ଅନୁସାରେ ୮ଟି ପୃଥକପୃଥକ ସ୍ଥଳ ଉପରେ ଆକ୍ରମଣ  ହୋଇଛି।

ଆମେରିକା ଓ ବ୍ରଟିଶ ସେନା  ଅଷ୍ଟ୍ରେଲିଆ, ବାହରୀନ, କାନାଡା ଓ ନେଦରଲ୍ୟାଣ୍ଡ ସମର୍ଥନରେ ଏହି ଆକ୍ରମଣ କରିଥିବା ମିଳିତ ବିବୃତ୍ତିରେ କୁହାଯାଇଛି। ଏଥିରେ ଜଣେ ବରିଷ୍ଠ ଆମେରିକୀୟ ସୈନ୍ୟ ଅଧିକାରୀ  ହୁତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଅନୁନ୍ୟ ୨୫ରୁ ୩୦ଟି ଗୋଳା ମାଡ଼ କରାଯାଇଥିବା କହିଛନ୍ତି। ଏହି ମିଳିତ ଆକ୍ରମଣ ଯୋଗୁ ହୁତିମାନଙ୍କ ଆକ୍ରମକତା ଏବେ ହ୍ରାସ ହେବ ବୋଲି ଆମେରିକୀୟ ଅଧିକାରୀମାନେ କହିଛନ୍ତି।

ଆମେରିକା ଓ ବ୍ରିଟେନର ସୈନ୍ୟ କାର୍ଯ୍ୟାନୁଷ୍ଠାନରେ ହୁତିଙ୍କ ନଷ୍ଟ ହୋଇଥିବା କ୍ଷେପଣାସ୍ତ୍ର, ଡ୍ରୋନ ଓ ରାଡାର ସଂଖ୍ୟା କେତେ ତାହା କିନ୍ତୁ ସ୍ପଷ୍ଟ ହୋଇ ନାହିଁ। ତେବେ ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରୀ ଗ୍ରାଣ୍ଟ ସାପସ୍‌ ଏକ ବୟାନରେ ତାଜା ଆକ୍ରମଣ ଆତ୍ମରକ୍ଷା ନିମନ୍ତେ ବୋଲି କହିଛନ୍ତି। ଏହି ସୈନ୍ୟ କାର୍ଯ୍ୟାନୁଷ୍ଠାନ ଯୋଗୁ ସେମାନଙ୍କ ସୀମିତ ଭଣ୍ଡାର କ୍ଷତିଗ୍ରସ୍ତ ହେବ ଓ ବୈଶ୍ୱିକ ବ୍ୟାପାର କ୍ଷମତାକୁ ବିପଦରେ ପକାଇବାକୁ ସେମାନଙ୍କ ଉଦ୍ୟମ ହ୍ରାସ ପାଇବ ବୋଲି ସେ କହିଛନ୍ତି।




Leave a Comment